‘ସାହିତ୍ୟରେ ଉତ୍କର୍ଷତା ନାହିଁ, ଅଛି ନିରନ୍ତର ସାଧନା’

ଶରତ ଚନ୍ଦ୍ର ପ୍ରଧାନଙ୍କୁ ‘ସାହିତ୍ୟ ଭାରତୀ ସମ୍ମାନ’

କଟକ : ସାହିତ୍ୟ ଏକ ଯାତ୍ରୀ। ନଦୀ ଭଳି ଏହା ପ୍ରବାହମାନ। ସାହିତ୍ୟର ଉତ୍ପତ୍ତି ଅଛି, ଲକ୍ଷ୍ୟ ବି ରହିଛି। କିନ୍ତୁ ଲକ୍ଷ୍ୟ ପୂରଣ ପରେ ଏହା ସ୍ଥିର ନ ହୋଇ ପ୍ରବାହମାନ। ଶ୍ରୀ ଗଙ୍ଗାଧର ରଥ ଫାଉ‌‌େଣ୍ଡସନ ପକ୍ଷରୁ କଳା ବିକାଶ କେନ୍ଦ୍ରରେ ଆୟୋଜିତ ଚତୁର୍ବିଂଶତମ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋହରେ ଯୋଗଦେଇ ବୋଲି ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ ଏହା କହିଛନ୍ତି।

ଏହି ସାରସ୍ବତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ‌ ଯୋଗଦେଇ ଶ୍ରୀମତୀ ରାୟ କହିଲେ, ସାହି‌ତ୍ୟର ଲକ୍ଷ୍ୟ ସମ୍ମାନ ନୁହେଁ। ସମ୍ମାନ କେବଳ ଏକ ସାମାଜିକ ସ୍ବୀକୃତି। ସାହିତ୍ୟରେ ସିଦ୍ଧି, ଶିଖର ବା ଉତ୍କର୍ଷତା ବୋଲି କିଛି ନାହିଁ, ଅଛି କେବଳ ସାଧନା ଆଉ ସାଧନା। ସାହିତ୍ୟ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାରେଖା ମଧ୍ୟରେ ସୀମିତ ନ ରଖି ବ୍ରହ୍ମାଣ୍ଡରେ ଅମୃତ ବଣ୍ଟନ କରିଥାଏ ବୋଲି ଶ୍ରୀମତୀ ରାୟ କହିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରାବନ୍ଧିକ, ସମାଲୋଚକ ସାହିତ୍ୟିକ ଡ. ପ୍ରକାଶ କୁମାର ପରିଡ଼ା କହିଥିଲେ, ସମାଜରେ ଅନେକ ଅପୂର୍ଣ୍ଣତା ରହିଛି। ସେସବୁ ଅପୂର୍ଣ୍ଣତା ସାହିତ୍ୟ ମାଧ୍ୟମରେ ହିଁ ପୂର୍ଣ୍ଣ ହୋଇପାରି‌ବ। ଏହି ହିତସାଧନ ପାଇଁ କବି, ଲେଖକ, ପ୍ରାବନ୍ଧିକମାନେ ଲେଖନୀ ଚାଳନା କରିବାକୁ ଡ. ପରିଡ଼ା ଆହ୍ବାନ ଦେଇଥିଲେ।

ଫାଉଣ୍ଡେସନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହରେ ପ୍ରଖ୍ୟାତ କବି ତଥା ପ୍ରାବନ୍ଧିକ ଡ. ଶରତ ଚନ୍ଦ୍ର ପ୍ରଧାନଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନ ସ୍ବରୂପ ଡକ୍ଟର ପ୍ରଧାନଙ୍କୁ କୋଣାର୍କ ମନ୍ଦିରର ‌ଏକ ରୌପ୍ୟ ପ୍ରତିରୂପ ସମେତ ୧ଲକ୍ଷ ଟଙ୍କା ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।

ଏହାସହିତ ବିଶିଷ୍ଟ ରାଜନୀତିଜ୍ଞ ତଥା ସାରସ୍ବତ ସ୍ରଷ୍ଟା ସେକ୍ ମତ୍‌ଲୁବ ଅଲ୍ଲୀଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନସ୍ବରୂପ ଶ୍ରୀ ଅଲ୍ଲୀଙ୍କୁ ଏକ ରୌପ୍ୟ ଫଳକ ସମେତ ମାନପତ୍ର ଦିଆଯାଇଥିଲା। କାବ୍ୟ ସାହିତ୍ୟ ପାଇଁ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତିଙ୍କୁ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର ଓ କଥାକାର କୃପାସାଗର ସାହୁଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ କବି ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ସମେତ ରୌପ୍ୟ ଫଳକ ଦିଆଯାଇଥିଲା। ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କବି ପ୍ରୀତିଧାରା ସାମଲ ଓ ସାହିତ୍ୟିକ ସରୋଜ ବଳଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ଦିଆଯାଇଥିଲା। ପୁରସ୍କାର ସ୍ବରୂପ ଉଭୟ ପ୍ରତିଭାଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଅର୍ଥରାଶି ଓ ରୌପ୍ୟ ଫଳକ ଦେଇ ସମ୍ମାନିତ କରାଯାଇଥିଲା।

ନିଜର ପ୍ରତିକ୍ରିୟାରେ ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ କହିଥିଲେ ଯେ, ସାହିତ୍ୟ ସୃଷ୍ଟି କେବଳ ଆନନ୍ଦ ବିତରଣ ଓ ମଣିଷଙ୍କ ମଧ୍ୟରେ ଦିବ୍ୟ ଚେତନା ସୃଷ୍ଟି କରିବା ପାଇଁ। ମେଘ ବିନା ଯେପରି ଇନ୍ଦ୍ରଧନୁ ଦେଖାଯାଏ ନାହିଁ, ସେହିପରି ସମ୍ବେଦନଶୀଳତା ବିନା ଭଲ ସାହିତ୍ୟ ସୃଷ୍ଟି କରିହୁଏ ନାହିଁ ‌ବୋଲି ଡକ୍ଟର ପ୍ରଧାନ କହିଥିଲେ।

ଟ୍ରଷ୍ଟର ସଦସ୍ୟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦିକା କଥାଶିଳ୍ପୀ ସୁସ୍ମିତା ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଡାକ୍ତର ଅଳକା ରଥ ମଞ୍ଚ ସଂଯୋଜନା କରିଥିବା ବେଳେ ଲିପ୍ସିତା ରଥ ଓ ଆଇନଜୀବୀ ସଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଡ. ବନ୍ଦିତା ଦାଶ, ଡ. ଶିଶିର କୁମାର ବେହେରା, ଅଧ୍ୟାପକ କମଳ କୁମାର ମାହୁନ୍ତ, ବିଦ୍ୟୁତ୍‌ ପ୍ରଧାନ ମାନପତ୍ର ପାଠ କରିଥିଲେ।

ଉତ୍ସବରେ ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ଜଷ୍ଟିସ୍ ନିତ୍ୟାନନ୍ଦ ପୃଷ୍ଟି, ସାଂସଦ ଭର୍ତ୍ତୃହରି ମହତାବ, ଡକ୍ଟର ପ୍ରଭାତ କୁମାର ମିଶ୍ର, ବୀଣାପାଣି ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର