ସାହିତ୍ୟ ଘର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ୨୫ ହଜାରରୁ ଅଧିକ ଗଛ ଲାଗିଲା

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ଗତ ଆଠବର୍ଷ ହେଲା କାର୍ଯ୍ୟ କରିଆସୁଥିବା ସଂଗଠନ ‘ସମ୍ବାଦ ସାହିତ୍ୟ ଘର’ ଏ ବର୍ଷଠାରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଗତ ୭ ଜୁଲାଇରୁ ଆରମ୍ଭ ହୋଇ ପ୍ରାୟ ଦେଢ଼ମାସ କାଳ ଚାଲିବା ପରେ ଗତ ୧୮ ତାରିଖ ରବିବାର ଯୁବ ସ୍ବାଭିମାନ ଦିବସରେ ଉଦ୍‌ଯାପିତ ହୋଇଛି। ନିଜ ଜନ୍ମଦିନରେ ‘ସମ୍ବାଦ’ ପରିବାରର ମୁଖ୍ୟ ସୈାମ୍ୟରଂଜନ ପଟ୍ଟନାୟକ ଭୁବନେଶ୍ବର ଖାରବେଳନଗରସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ଗୋଟିଏ ସୁଗନ୍ଧରାଜ ଓ ଗୋଟିଏ ଜାମୁକୋଳି ଗଛ ଲଗାଇ ‘ସମ୍ବାଦ ସାହିତ୍ୟ ଘର’ ଦ୍ବାରା ମାସାଧିକ କାଳ ଚାଲିଥିବା ଏହି ବୃକ୍ଷରୋପଣ ଅଭିଯାନକୁ ଉଦଯାପିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଶାଖାର ସଭ୍ୟସଭ୍ୟାମାନେ ଭାଗ ନେଇ ମୋଟ ୨୫ ହଜାରରୁ ଅଧିକ ଗଛ ଲଗାଇଥିବା ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି।

ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମର ଉଦ୍ୟୋକ୍ତାମାନଙ୍କୁ କୃତଜ୍ଞତା ଜଣାଇବା ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘‘ଗତ କିଛିବର୍ଷ ହେଲା ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ଯୁବବନ୍ଧୁମାନେ ସାରା ରାଜ୍ୟରେ ଗର୍ବ କଲାଭଳି କାର୍ଯ୍ୟକ୍ରମ ରକ୍ତଦାନ ଶିବିରମାନ ଆୟୋଜନ କରିଆସୁଛନ୍ତି। ସଂପ୍ରତି ଯେତେବେଳେ ସାରା ବିଶ୍ବରେ ପରିବେଶର ଦୁଃସ୍ଥିତିକୁ ନେଇ ଚିନ୍ତାପ୍ରକଟ କରାଯାଉଛି, ଆମେ ସମ୍ବାଦ ପରିବାର ତରଫରୁ ଏହି ଆହ୍ବାନକୁ ଏ ବର୍ଷ ଗ୍ରହଣ କରିଛୁ। ପରିବେଶର ସୁରକ୍ଷା ପାଇଁ ଯେଉଁ ଯୋଜନା କରିଛୁ, ସାହିତ୍ୟ ଘରର ବନ୍ଧୁମାନେ ପ୍ରଥମ ବର୍ଷ ସାରା ରାଜ୍ୟରେ ଗଛ ଲଗାଇବା ଆରମ୍ଭ କରିଛନ୍ତି। ସେମାନଙ୍କୁ କୃତଜ୍ଞତା ଜଣାଉଛି। ଜନ୍ମଦିନରେ ସେମାନଙ୍କର ଗୋଟିଏ ଗୋଟିଏ ଗଛ ମୋ ପାଇଁ ହଜାର ହଜାର ଶୁଭେଚ୍ଛା ସହ ସମାନକହିଲେ ଅତ୍ୟୁକ୍ତି ହେବନାହିଁ। ଆଗକୁ ଏହି କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବା ଆଶା କରାଯାଏ।’’

ସମ୍ବନ୍ଧିତ ଖବର