ସାକ୍ଷୀଗୋପାଳ ମନ୍ଦିରରେ ସିସିଟିଭି ଲଗାଇବାକୁ ସେବାୟତଙ୍କ ବିରୋଧ

ପ୍ରତିବାଦରେ ନୀତି ବନ୍ଦ କଲେ ସିଂହାରୀ ସେବକ, ଲାଗିବାର ଅଧଘଣ୍ଟା ପରେ ସିସିଟିଭି ଖୋଲିଲା ପ୍ରଶାସନ

ପୁରୀ : ସତ୍ୟବାଦୀସ୍ଥିତ ସାକ୍ଷୀ ଗୋପାଳ ମନ୍ଦିରରେ ରାଧା ପାଦ ସ୍ପର୍ଶକୁ ନେଇ ଦେଖା ଦେଇଥିବା ବିବାଦ ନୂଆ ମୋଡ ନେଇଛି। ରାଧାପାଦ ସ୍ପର୍ଶକୁ ନେଇ କଟକଣା ଲାଗିବା ପରେ ଦେବୋତ୍ତର କମିସନର ମନ୍ଦିର ବେହରଣ ଦ୍ବାରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଆଧାର‌ରେ ଆଜି ପ୍ରଶାସନ ପକ୍ଷରୁ ମନ୍ଦିର ବେହରଣ ଦ୍ବାରରେ ୪ଟି ସିସିଟିଭି କ୍ୟାମେରା ଲଗାଯାଇଥିଲା। ମାତ୍ର ସିଂହାରୀ ସେବକମାନେ ଏହାକୁ ବିରୋଧ କରି ପ୍ରାୟ ଅଧଘଣ୍ଟା ନୀତି ବନ୍ଦ କରି ଦେଇଥିଲେ। ସିସିଟିଭି ନ ଖୋଲିଲେ ନୀତି ଅଚଳ କରି ଦେବାକୁ ସେବାୟତମାନଙ୍କ ପକ୍ଷରୁ ଧମକ ଦିଆଯାଇଥିଲା। ତେବେ ଆଜି କାର୍ତ୍ତିକ ସୋମବାର ଉପଲକ୍ଷେ ମନ୍ଦିରରେ ପ୍ରବଳ ଭିଡ ଥିବାରୁ ପ୍ରଶାସନ ବାଧ୍ୟ ହୋଇ ଲଗାଇଥିବା ସମସ୍ତ ସିସିଟିଭିକୁ ଖୋଲିବାକୁ ବାଧ୍ୟ ହୋଇଛି। ଅପରାହ୍ନ ୪ଟାରେ ଲାଗିଥିବା ସିସିଟିଭିକୁ ମାତ୍ର ଅଧାଘଣ୍ଟା ପରେ ଖୋଲି ଦିଆଯାଇଥିଲା। ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖ ପବିତ୍ର ଅଁଳା ନବମୀ ତିଥିରେ ରାଧାପାଦ ଦର୍ଶନ ହେବ। ତେବେ ରାଧାପାଦ ଦର୍ଶନ ନାମରେ ରାଧାପାଦ ସ୍ପର୍ଶ କରାଯାଉଛି। ସେବକମାନେ ଶାସ୍ତ୍ରୀୟ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରି ଭକ୍ତମାନଙ୍କୁ ରାଧାପାଦ ସ୍ପର୍ଶ କରାଉଥିଲେ। ଚଳିତ ବର୍ଷ ଏ ନେଇ ଅଭିଯୋଗ ହେବା ପରେ ରାଧା ପାଦ ସ୍ପର୍ଶ ବନ୍ଦ କରିବାକୁ ବୈଠକରେ ନିଷ୍ପତ୍ତିି ହୋଇଥିଲା‌। ଏହାକୁ ନିୟନ୍ତ୍ରଣ କରିବା ଲାଗି ଦେବୋତ୍ତର କମିସନର ସିସିଟିଭି ଲଗାଇବାକୁ କହିଥିଲେ। ପୂର୍ବ ନିଷ୍ପତ୍ତି ମୁତାବକ ବେ‌ହରଣ ଦ୍ବାରରେ ୪ଟି ସିସିଟିଭି ଲଗାଯାଇଥିଲେ ମଧ୍ୟ ସେବାୟତଙ୍କ ଚାପରେ ଏହାକୁ ଖୋଲି ଦିଆଯାଇଛି। ସିସିଟିଭି ଲାଗିଲେ ରାଧାପାଦ ସ୍ପର୍ଶ କରାଇ ଟଙ୍କା ଆଦାୟ କରୁଥିବା ସେବକ ଧରାପଡିଯିବା ଭୟ ଥିବାରୁ ଏହାକୁ ବିରୋଧ କରାଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର