ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : ୨୧ ଦିନରେ ୫ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ
କଟକ : ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲିର ଜଗନ୍ନାଥପୁର ଗାଁରେ ଘଟିଥିବା ଚାଞ୍ଚଲ୍ୟକର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ସ୍ୱତନ୍ତ୍ର କୋର୍ଟରେ ୫ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲା ରୁଜୁ ହେବାର ମାତ୍ର ୨୧ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ମୃତ ନାବାଳିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ, ରାଜ୍ୟ ଫରେନ୍ସିକ ସାଇନ୍ସ ଲାବ୍ରୋଟୋରୀରୁ ଆସିଥିବା ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡିଏନ୍ଏ ରିପୋର୍ଟର ନକଲ ମଧ୍ୟ ଦାଖଲ ହୋଇଛି। କୋର୍ଟରେ ଏହି ମାମଲାର ବିଚାର ସମୟରେ ଅନୁଧ୍ୟାନ କରିବାକୁ ସାଲେପୁର ଇନ୍ସ୍ପେକ୍ଟର ତଥା ମାମଲାର ତଦନ୍ତକାରୀ ଅଧିକାରୀ(ଆଇଓ)ଦେବେନ୍ଦ୍ର କୁମାର ମଲ୍ଲିକଙ୍କୁ ହୋଲ୍ଡିଂ ଆଇଓ ଭାବେ ନିଯୁକ୍ତ କରାଯାଇଛି। ଏଥିସହିତ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତ କରିବାକୁ କଟକ ଜିଲ୍ଲା ପୁଲିସ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଏପ୍ରିଲ ୨୧ ତାରିଖ ସନ୍ଧ୍ୟାରେ ନାବାଳିକାକୁ ସ୍ଥାନୀୟ ଅଞ୍ଚଳର ମହମ୍ମଦ ମୁସ୍ତାକ ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ସହ ହତ୍ୟା ଉଦ୍ୟମ କରିଥିଲା। ଗୁରୁତର ଆହତ ଅବସ୍ଥାରେ ଏକ ସ୍କୁଲ ପିଣ୍ଡାରେ ନାବାଳିକାକୁ ଫିଙ୍ଗି ଅଭିଯୁକ୍ତ ଫେରାର ହୋଇଯାଇଥିଲା । ବଡ଼ ମେଡିକାଲ୍ର ଶିଶୁରୋଗ ବିଭାଗରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ନାବାଳିକାଙ୍କର ଏପ୍ରିଲ୍ ୨୯ ତାରିଖରେ ମୃତ୍ୟୁ ହୋଇଥିଲା । ସାଲେପୁର ଥାନା ପୁଲିସ ଆଇପିସିର ଦଫା ୩୭୬(ଏ), (ବି), ୩୦୨, ୩୬୩ ଏବଂ ପୋକ୍ସ ଆଇନର ଧାରା ୬ ଅନୁଯାୟୀ ଅଭିଯୁକ୍ତ ମୁସ୍ତାକକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ନୂତନ ଅଧ୍ୟାଦେଶକୁ ଭିତ୍ତି କରି ଏହି ଘଟଣାଟି ଓଡ଼ିଶାର ପ୍ରଥମ ଦୁଷ୍କର୍ମ ମାମଲା ଭାବେ କ୍ରାଇମ୍ବ୍ରାଞ୍ଚ ଗ୍ରହଣ କରିଥିଲା । ମାମଲାକୁ ରେଡ୍ ଫ୍ଲାଗ୍ ମାନ୍ୟତା ଦିଆଯାଇଥିଲା । ଘଟଣାକୁ ରେଡ୍ ଫ୍ଲାଗ୍ ମାନ୍ୟତା ମିଳିଥିବାରୁ ଚାରି ସପ୍ତାହ ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ ହେବାର ନିୟମ ରହିଛି। ସେହି ଆଧାରରେ ଗ୍ରାମାଞ୍ଚଳ ପୁଲିସ ମାତ୍ର ୨୧ ଦିନ ମଧ୍ୟରେ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଇନ୍ସ୍ପେକ୍ଟର ଦେବେନ୍ଦ୍ର କୁମାର ମଲ୍ଲିକଙ୍କୁ ହୋଲ୍ଡିଂ ଆଇଓ ଭାବେ ନିଯୁକ୍ତ କରାଯାଇଛି । କୋର୍ଟରେ ମାମଲାର ବିଚାର ଚାଲିଥିବାବେଳେ ଠିକ୍ ସମୟରେ ସାକ୍ଷୀଙ୍କୁ କୋର୍ଟରେ ହାଜର କରିବା ଏବଂ ବୈଜ୍ଞାନିକ ପ୍ରମାଣ ଇତ୍ୟାଦି ଦାଖଲ କରିବାର ଦାୟିତ୍ୱ ଶ୍ରୀ ମଲ୍ଲିକଙ୍କ ଉପରେ ନ୍ୟସ୍ତ କରାଯାଇଛି। ମାମଲାର ବିଚାର ଚାଲିଥିବା ସମୟରେ ପ୍ରତ୍ୟେକ ୧୫ ଦିନରେ ଥିରେ ଇନ୍ସ୍ପେକ୍ଟର ଏକ ସମୀକ୍ଷା ବୈଠକ କରିବା ସହିତ କୌଣସି ସମସ୍ୟା ଥିଲେ ବରିଷ୍ଠ ଅଧିକାରୀଙ୍କ ପରାମର୍ଶ ନେବେ ବୋଲି ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।