୨୫ ବିଇଓଙ୍କ ଦରମା ଅଟକିଲା

କାରଣଦର୍ଶାଅ ନୋଟିସ୍‌ ପଠାଇବାକୁ ଡିଇଓଙ୍କୁ ନିର୍ଦେଶ

ଅନୁଗୁଳ ଜିଲ୍ଲାର ସମସ୍ତ ବିଇଓଙ୍କ ଦରମା ବନ୍ଦ

ଭୁବନେଶ୍ୱର : ଆକ୍ସନ ମୁଡ୍‌ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗତ ୧୭ ତାରିଖରେ ୪ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଏବେ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ପାଳି ପଡ଼ିଛି। କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ତଥା ବିଭାଗର ଆଦେଶକୁ ନ ମାନିବାରୁ ରାଜ୍ୟର ୯ଟି ଜିଲ୍ଲାର ୨୫ ଜଣ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଦରମା ଅଟକ ରଖାଯାଇଛି।

ଗତ ୨୫ ତାରିଖରେ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଭିଡିଓ କନ୍‌ଫରେନ୍ସ ବୈଠକରେ ସମ୍ପୃକ୍ତ ବିଇଓମାନେ ଯୋଗଦେଇ ନ ଥିଲେ। ପୂର୍ବାହ୍ନ ୧୦ଟା ୧୫ରେ ବୈଠକ ଥିବାବେଳେ ୧୦ଟାରେ ପହଞ୍ଚିବା ଲାଗି ସେମାନଙ୍କୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ତାହାକୁ ହେୟଜ୍ଞାନ କରିଥିଲେ। ବୈଠକରେ ସାମିଲ ହୋଇ ନ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅକ୍ଟୋବର ମାସର ଦରମା ବନ୍ଦ କରାଯିବା ସହ କାରଣ ଦର୍ଶାଅ ନୋଟିସ୍‌ ପଠାଇବାକୁ ସମ୍ପୃକ୍ତ ୯ଟି ଜିଲ୍ଲାର ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦେଶ ଦିଆଯାଇଛି। ଯଦି ବିଇଓମାନଙ୍କ ଉତ୍ତର ସନ୍ତୋଷଜନକ ନ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ନେବାକୁ ବି କୁହାଯାଇଛି।

ସବୁଠାରୁ ବଡ଼ କଥା ହେଲା ଯେ ସଚିବ ଶ୍ରୀ ମହାପାତ୍ରଙ୍କ ଭିଡିଓ କନ୍‌ଫରେନ୍ସରେ ଅନୁଗୁଳ ଜିଲ୍ଲାର ଜଣେ ବି ହେଲେ ବିଇଓ ଯୋଗଦେଇ ନ ଥିଲେ। ସଚିବଙ୍କ ବୈଠକ ଜାଣି ମଧ୍ୟ ଅଗୁଗୁଳ, ଆଠମଲ୍ଲିକ, ବଅଁରପାଳ, ଛେଣ୍ଡିପଦା, କଣିଆଁ, କିଶୋରନଗର, ପାଲଲହଡ଼ା ଏବଂ ତାଳଚେର ବ୍ଲକ ଶିକ୍ଷା ଅଧିକାରୀ କାହିଁକି ଅନୁପସ୍ଥିତି ରହିଥିଲେ ତାହାକୁ ନେଇ ସନ୍ଦେହ ଉପୁଜିଛି। ସେହିପରି ବୌଦ୍ଧ ଜିଲ୍ଲାର ବୌଦ୍ଧ, ବଲାଙ୍ଗୀର ଜିଲ୍ଲାର ଅଗଲପୁର, ବଲାଙ୍ଗୀର, ଦେଓଗାଁ, ସଇଁତଳା, କେନ୍ଦୁଝର ଜିଲ୍ଲାର କେନ୍ଦୁଝର, ମାଲକାନଗିରି ଜିଲ୍ଲାର ମାଲକାନଗିରି, ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼, ନୟାଗଡ଼, ପୁରୀ ଜିଲ୍ଲାର ପୁରୀ, ଅସ୍ତରଙ୍ଗ, ସତ୍ୟବାଦୀ, ରାୟଗଡ଼ା ଜିଲ୍ଲାର ବିସମକଟକ, କୋଲନାରା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଏବଂ ମାଣେସ୍ୱର ବିଇଓଙ୍କ ଦରମା ବନ୍ଦ କରି ଦିଆଯାଇଛି।

କାର୍ଯ୍ୟାନୁଷ୍ଠାନ ନେଇ ଆଜି ପ୍ରାଥମିକ ଶିକ୍ଷା ନିର୍ଦେଶକ ଚୂଡ଼ାମଣି ସେଠ୍‌ ୯ଟି ଯାକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ପଠାଇଛନ୍ତି। ଶ୍ରୀ ସେଠ୍‌ କହିଛନ୍ତି ଯେ ବିଭାଗୀୟ ସଚିବଙ୍କ ନିିର୍ଦେଶ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଛି। ନିର୍ଧାରିତ ସମୟରେ ବିଇଓମାନେ ବୈଠକରେ ଯୋଗଦେଇ ନ ଥିଲେ। ତେଣୁ କୈଫୟତ ମଗାଯିବା ସହ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବିଦ୍ୟାଳୟ କର୍ତୃପକ୍ଷଙ୍କଠାରୁ ଛୁଟି ନ ନେଇ ଗଣଶିକ୍ଷା ବିଭାଗର ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବାରୁ ଗତ ୧୭ ତାରିଖରେ ୩ ଜଣ ନିୟମିତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କୁ କୌଫୟତ ମଗାଯାଇଥିଲା। ଶିକ୍ଷକଶିକ୍ଷୟିିତ୍ରୀ ବିଦ୍ୟାଳୟରେ ଶିକ୍ଷାଦାନରେ ଅବହେଳା ପ୍ରଦର୍ଶନ କରି ଛୁଟି କିମ୍ବା ଅନୁମତି ନ ନେଇ ବିଭାଗୀୟ ଦପ୍ତର ଓ ନିର୍ଦେଶାଳୟକୁ ବାରମ୍ବାର ଆସୁଥିବାରୁ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏଥିରୁ ନିବୃତ୍ତ ରହିବା ପାଇଁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର