ଭିମ୍‌ସାରର ଅଧ୍ୟାପକଙ୍କୁ ଆର୍ଥିକ ପ୍ରୋତ୍ସାହନ

ମାସିକ ଅତିରିକ୍ତ ୫୦ହଜାରରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଦିଆଯିବ

ଭୁବନେଶ୍ୱର: ବୁର୍ଲା ଭିମ୍‌ସାରରେ କାର୍ଯ୍ୟ କରୁଥିବା ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ମାସିକ ଅତିରିକ୍ତ ୫୦ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ପ୍ରଥମଥର ଲାଗି ଭିମ୍‌ସାରର ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ସହକାରୀ ପ୍ରଫେସର ଏହି ସୁବିଧା ପାଇବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହୃଦ୍‌ରୋଗ, ସ୍ନାୟୁରୋଗ, ଏଣ୍ଡୋକ୍ରାଇନୋଲୋଜି, ଗ୍ୟାଷ୍ଟ୍ରୋ, ନେଫ୍ରୋଲୋଜି, ନ୍ୟୁରୋ ସର୍ଜରି, ୟୁରୋଲୋଜି, ପ୍ଲାଷ୍ଟିକ ସର୍ଜରି, ପେଡିଆଟ୍ରିକ୍‌ ସର୍ଜରି ଓ କାର୍ଡିଓଥୋରାସିକ୍‌ ସର୍ଜରି ଭଳି ସୁପର ସ୍ପେସାଲିଷ୍ଟ ବିଭାଗର ପ୍ରଫେସରଙ୍କୁ ମାସିକ ଅତିରିକ୍ତ ୨ଲକ୍ଷ, ଆସୋସିଏଟ୍‌ ପ୍ରଫେସରଙ୍କୁ ଦେଢ଼ ଲକ୍ଷ ଓ ସହକାରୀ ପ୍ରଫେସରଙ୍କୁ ୧ଲକ୍ଷ ଲେଖାଏଁ ଅତିରିକ୍ତ ଅର୍ଥ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛ। ସେହିପରି ଅନ୍ୟ ପ୍ରାୟ ୨୧ଟି ସ୍ନାତନ ବିଭାଗର ପ୍ରଫେସର, ଆସୋସିଏଟ ପ୍ରଫେସର ଓ ସହକାରୀ ପ୍ରଫେସରମାନଙ୍କୁ ମଧ୍ୟ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଭିମ୍‌ସାର ବିକାଶ ଓ ଗୁରୁତ୍ୱ ଆଦିକୁ ସ୍ୱତନ୍ତ୍ରଭାବେ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ଭିମ୍‌ସାର ସ୍ନାତକ ବିଭାଗର ପ୍ରଫେସରଙ୍କୁ ମଧ୍ୟ ମାସିକ ୧ଲକ୍ଷ ୨୫ହଜାର, ଆସୋସିଏଟ୍‌ ପ୍ରଫେସରଙ୍କୁ ୧ଲକ୍ଷ ଓ ସହକାରୀ ପ୍ରଫେସରଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଅତିରିକ୍ତ ଅର୍ଥ ପ୍ରଦାନ କରାଯିବା ପାଇଁ ଅନୁମୋଦନ ଦେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର