ବିକ୍ରି ହେବ ଫେରୋକ୍ରୋମ୍!

ରାଜନୈତିକ ପେଞ୍ଚରେ ଫସିଛି ତଳଙ୍ଗି ଖଣି

ଯାଜପୁର ରୋଡ୍‌: ହାତରେ ଖଣି ଅଛି। କଞ୍ଚାମାଲ ମହଜୁଦ୍ ଅଛି। ଉତ୍ପାଦନ ବି ଠିକ୍‌ ଠାକ୍ ହେଉଛି। ଆବଶ୍ୟକ ଠାରୁ ଢେର କମ୍ ସଂଖ୍ୟକ କର୍ମଚାରୀରେ କାମ ହେଉଛି। ପ୍ଲାଣ୍ଟର ଉତ୍ପାଦନ ହାଇ କାର୍ବନ ଫେରୋକ୍ରୋମ୍ (ଏଚସିଏସି)ର ବଜାର ଚାହିଦା ବି ରହିଛି। ଏତେ ସତ୍ତ୍ବେ ୨୦୧୫ରୁ ଫେରୋକ୍ରୋମ୍ କାରଖାନା କ୍ଷତିରେ ଚାଲୁଛି। ବାର୍ଷିକ ପାଖାପାଖି ୩୦ କୋଟି ଟଙ୍କା କ୍ଷତି ହେଉଛି ବୋଲି କୁହାଯାଉଛି। ସେପଟେ ହାତରେ ଥିବା ଖଣିକୁ ମଧ୍ୟ ରାଜନୈତିକ ପେଞ୍ଚପାଞ୍ଚ ଭିତରେ ବନ୍ଦ କରିଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ୫୦ବର୍ଷ ପୁରୁଣା ଯାଜପୁର ଜିଲ୍ଲାର ପ୍ରଥମ କ‌ାରଖାନାକୁ କୌଣସି ପ୍ରକାରେ କ୍ଷତି ଦର୍ଶାଇ ଶାଗାମାଛ ଦରରେ ବିକି ଦେବାକୁ ‌ଏକ ପ୍ରକାର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହେବାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି।

୧୯୬୭ ମସିହାରେ ଅବିଭକ୍ତ କଟକ ଜିଲ୍ଲାର ଯାଜପୁରରୋଡ୍ ଠାରେ ପ୍ରଥମ ସରକାରୀ ଉଦ୍ୟୋଗ ଭାବେ ଫେରୋକ୍ରୋମ୍ ପ୍ଲାଣ୍ଟର ଶୁଭ ଦିଆଯାଇଥିଲା। ଶୁଭ ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ। ଲକ୍ଷ୍ୟ ଥିଲା ଏଠାରେ କିଛି ଲୋକଙ୍କୁ ନିଯୁକ୍ତି ମିଳିବ, ଯାଜପୁରରେ ମହଜୁଦ୍ ଥିବା କ୍ରୋମାଇଟ୍‌କୁ ବ୍ୟବହାର କରି ସରକାର କିଛି ରାଜସ୍ବ ପାଇବେ। ଏହାର ଠିକ୍ ଦୁଇବର୍ଷ ପରେ ଅର୍ଥାତ୍ ୧୯୬୯ ମସିହା ନଭେମ୍ବର ମାସରେ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଥିଲା। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଶହ ଶହ କର୍ମଚାରୀ ନିଯୁକ୍ତି ପାଇଥିଲେ। ଆରମ୍ଭ ‌େବଳେ ପ୍ରାୟ ୪୫୦ କର୍ମଚାରୀ, ଶତାଧିକ ଠିକା ଶ୍ରମିକ କାର୍ଯ୍ୟ କରୁଥିଲେ। ଦୈନିକ ପ୍ରାୟ ୬୦ ମେଟ୍ରିକ ଟନ୍ ଏଚସିଏଫସି ଉତ୍ପାଦନ ହେଉଥିଲା। ବର୍ତ୍ତମାନ କାରଖାନାରେ ୧୬୦ ଜଣ ଅଫିସର, କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ୫୦୦ରୁ ଅଧିକ ଠିକା ଶ୍ରମିକ ଏବଂ ୧୦୦ ପାଖାପାଖି ପରିବହନ କର୍ମଚାରୀ ନିଯୁକ୍ତି ପାଇଛନ୍ତି। କାରଖାନା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ଲୋକ ଉପକୃତ ହେଉଛନ୍ତି। ପ୍ଲାଣ୍ଟ କ୍ଷତିରେ ଚାଲୁଥିବା ଦର୍ଶାଯାଉଥିବା ବେଳେ ସେପଟେ କେନ୍ଦୁଝର ଜିଲ୍ଲାର ବଡ଼ବିଲ‌େର ଥିବା କଳିଙ୍ଗ କାରଖାନାରୁ ୬୦ଜଣ କର୍ମଚାରୀଙ୍କୁ ଏଠାରେ ଅବସ୍ଥାନ କରାଯାଇଛି। ଏହି ୬୦ ଜଣ କର୍ମଚାରୀଙ୍କ ଦରମା ବାବଦକୁ କାରଖାନା ତହବିଲରୁ ୪୦ ଲକ୍ଷ ଟଙ୍କା ଯାଉଛି। ପ୍ଲାଣ୍ଟ କ୍ଷତିରେ ଚାଲୁଥିବା ବେଳେ ଏହି ୬୦ କର୍ମଚାରୀଙ୍କୁ କ’ଣ ପାଇଁ ଏଠାରେ ଅବସ୍ଥାପିତ କରାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନଙ୍କ ସ୍ଥାନରେ ନୂଆ ନିଯୁକ୍ତି ହୋଇଥିଲେ ୩ ଭାଗରୁ ଭାଗେ ଦରମାରେ କାର୍ଯ୍ୟ ହୋଇପାରିଥାନ୍ତା ବୋଲି କେତେକ କର୍ମଚାରୀ ମତ ପୋଷଣ କରିଛନ୍ତି।

ଅନ୍ୟ ପକ୍ଷରେ କାରଖାନା ହେପାଜତରେ ରହିଛି ତଳଙ୍ଗି କ୍ରୋମାଇଟ୍ ଖଣି। ୧୯୯୩ ମସିହାରେ ହାତକୁ ନିଆଯାଇଥିବା ଏହି ଖଣି ଏବେ ରାଜନୈତିକ ପେଞ୍ଚ ଭିତରେ ଫସିଯାଇଛି। ୬୧୦ ଏକର ପରିମିତ ଜମିରେ ଥିବା ଏହି ଖଣିକୁ କାରଖାନା କର୍ତୃପକ୍ଷ ୯୯ ବ‌ର୍ଷ ପାଇଁ ଲିଜ୍ ନେଇଥିବା ବେଳେ ମାତ୍ର ୨୫ ବର୍ଷରେ ଖଣିକୁ ବନ୍ଦ କରିବାକୁ ମସୁଧା କରାଯାଉଛି। ଏହି ୨୫ ବର୍ଷ ମଧ୍ୟରେ ଖଣିର ଦୁଇଟି କ୍ବାରି ଏକ ଓ ଦୁଇ ନମ୍ବର ରୁ ଉତ୍ତୋଳନ କାର୍ଯ୍ୟ ଶେଷ ହୋଇଥିବା ବେଳେ ୩ ନମ୍ବର କ୍ବାରିର ଉତ୍ତୋଳନ ବନ୍ଦ ରହିଛି। ୩ ନମ୍ବର କ୍ବାରିରେ ଶ୍ରମିକ ଆନ୍ଦୋଳନ ଯୋଗୁଁ ଉତ୍ତୋଳନ ହୋଇପାରୁ ନାହିଁ। ପାଖାପାଖି ୩ ଲକ୍ଷ ମେଟ୍ରିକ୍ ଟନ୍ କ୍ରୋମାଇଟ୍ ଏଠାରେ ଗଚ୍ଛିତ ରହିଛି। ଖଣି ଉତ୍ତୋଳନ ଆରମ୍ଭ କଲା ବେଳେ ଯେତିକି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ଏବେ ୨୭ ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସେହିପରି ଭୁବନେଶ୍ବରସ୍ଥ ମୁଖ୍ୟ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ କେତେକ ସ୍ଥାନରୁ ଶ୍ରମିକ ଛଟେଇ କରାଯାଇଛି। ଅନ୍ୟପଟେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ୧୦ ଜଣ କର୍ମଚାରୀଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରୁ ଖଣିକୁ ବନ୍ଦ କରିଦିଆଯିବ ବୋଲି ମଧ୍ୟ ନୋଟିସ୍ ଜାରି କରାଯାଇଛି। ଏହାକୁ ନେଇ ପ୍ଲାଣ୍ଟରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେବଳ ପୂଜା ବୋନସ ଦେଇ ନଥିବାରୁ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଦୀର୍ଘଦିନ ହେବ ପ୍ଲାଣ୍ଟରେ ଅଚଳାବସ୍ଥା ଜାରି ରହିଛି। ବୋନସ୍ ପାଇଁ କାରଖାନା ବନ୍ଦ କରିବା ଘଟଣାରେ ହସ୍ତକ୍ଷେପ ନକରିବା ଘଟଣା କର୍ତ୍ତୃପକ୍ଷଙ୍କୁ ସଂଦେହ ଘେରକୁ ଟାଣି ନେଇଛି। ଖଣି ବନ୍ଦ କରିବା ଓ କାରଖାନାରେ ଶ୍ରମିକ ଅଶାନ୍ତି ସୃଷ୍ଟି କରି ଅଚଳାବସ୍ଥା ସୃଷ୍ଟି କରାଯିବା କୁଚକ୍ରୀ ଗୋଷ୍ଠୀର ଚାଲ୍‌ ବୋଲି ବୁଦ୍ଧିଜୀବୀ ମହଲରେ ସମାଲୋଚନା ହେଉଛି। କୌଣସି ପ୍ରକାର ପ୍ଲାଣ୍ଟକୁ କ୍ଷତି ଦର୍ଶାଇ ବିକ୍ରି କରିଦେବାକୁ ମସୁଧା ଚାଲିଥିବା ଅଭିଯୋଗ ହେଉଛି। ଏଠାରେ ସୂଚନା ଥାଉକି ୨୦୦୨ ମସିହାରେ ଏମିତି ଅନୁରୂପ ଭାବେ କାରଖାନାକୁ କ୍ଷତି ଦର୍ଶାଇ ବନ୍ଦ କରିଦେବାକୁ ଚକ୍ରାନ୍ତ କରିଥିଲେ। ମାତ୍ର ସେ‌େତବେଳେ ବିଭିନ୍ନ ଆଡ଼ୁ ଚାପ ପଡ଼ିବା ଫଳରେ ବାଧ୍ୟ ହୋଇ କର୍ତୃପକ୍ଷ ଏଥିରୁ ଓହରି ଯାଇ କାରଖାନାକୁ ପୁନଃ ଚାଲୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ପୁଣି ବିକ୍ରି ପାଇଁ ମସୁଧା ଚାଲିଛି।

ସମ୍ବନ୍ଧିତ ଖବର