ଲିଜ୍‌ ଜମି ବିକ୍ରି ପାଇଁ ପୂର୍ବତନ ସାମରିକ କର୍ମଚାରୀଙ୍କୁ ଅନୁମତି ଦେବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସରକାର ଲିଜ ସୂତ୍ରରେ ପ୍ରଦାନ କରିଥିବା ଜମିକୁ ବିକ୍ରି କରିବା ପାଇଁ ପୂର୍ବତନ ସାମରିକ କର୍ମଚାରୀଙ୍କୁ ଅନୁମତି ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସଂପୃକ୍ତ ପୂର୍ବତନ ସାମରିକ କର୍ମଚାରୀ ପୁଣି ଥରେ ଜମି ଲିଜ୍‌ ପାଇଁ ସରକାରଙ୍କ ନିକଟରେ ଆବେଦନ କରି ପାରିବେ ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ଦାସଶର୍ମାଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବା ବେଳେ ଇନ୍ଦ୍ରଜିତ ପାଲବାବୁ, ଜୟନ୍ତୀ ନାୟକ ଓ ସୁରେନ୍ଦ୍ର କୁମାର ରାଉତ ତାଙ୍କୁ ସହାୟତା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଗଭର୍ଣ୍ଣମେଣ୍ଟ ଗ୍ରାଣ୍ଟସ୍‌ ଆକ୍ଟ, ୧୮୯୫ ଅନୁସାରେ ଜଣେ ସାମରିକ କର୍ମଚାରୀ ଅବସର ନେବା ପରେ ଯଦି ଭୂମିହୀନ ହୋଇଥିବେ ତେବେ ତାଙ୍କୁ ସରକାରଙ୍କ ପକ୍ଷରୁ ଜମି ଯୋଗାଇଦେବା ପାଇଁ ବ୍ୟବସ୍ଥା ରହିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ପୂର୍ବତନ ସାମରିକ କର୍ମଚାରୀ ଦିଲ୍ଲୀପ କୁମାର ଦାସଶର୍ମା ଚାକିରିରୁ ଅବସର ଗ୍ରହଣ କରିବା ପରେ ଜମି ପାଇବା ପାଇଁ ବାରିପଦା ତହସିଲଦାରଙ୍କ ନିକଟରେ ଦରଖାସ୍ତ କରିଥିଲେ। ତହସିଲଦାରଙ୍କ ନିକଟରେ ରାଜସ୍ୱ ନିରୀକ୍ଷକ ତଦନ୍ତ କରି ଦାଖଲ କରିଥିବା ରିପୋର୍ଟରେ ଶ୍ରୀ ଦାସଶର୍ମା ଭୂମିହୀନ ବୋଲି ଦର୍ଶାଯାଇଥିଲା। ୨୦୦୦ ମସିହାରେ ତହସିଲଦାର ବାରିପଦା ଗ୍ରାମାଞ୍ଚଳରେ ପୂର୍ବତନ ସାମରିକ କର୍ମଚାରୀ ଶ୍ରୀ ଦାସଶର୍ମାଙ୍କୁ ୪.୩୬ଏକର ଜମି ଲିଜ୍‌ ସୂତ୍ରରେ ଯୋଗାଇଦେଇଥିଲେ। ଏହି ଜମି ୧୦ ବର୍ଷ ଭିତରେ ସେ କାହାକୁ ହସ୍ତାନ୍ତର କିମ୍ବା ବିକ୍ରି କରି ପାରିବେ ନାହିଁ ବୋଲି ସର୍ତ୍ତରୋପ କରାଯାଇଥିଲା। ଲିଜ୍‌ ପ୍ରଦାନର ୧୦ ବର୍ଷ ପରେ ଅସୁସ୍ଥତା ଦର୍ଶାଇ ଏହି ଜମି ବିକ୍ରି କରିବା ପାଇଁ ଶ୍ରୀ ଦାସଶର୍ମା ଜିଲ୍ଲା ସବ୍‌ରେଜିଷ୍ଟା୍ରରଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କ ଦରଖାସ୍ତକୁ ସବ୍‌-ରେଜିଷ୍ଟ୍ରାର ଏଡିଏମ୍‌ଙ୍କ ନିକଟକୁ ପଠାଇ ଦେଇଥିଲେ। ଏହି ଲିଜ୍‌ ଜମି ବିକ୍ରି ହୋଇପାରିବନାହିଁ ଦର୍ଶାଇ ଏଡିଏମ୍‌ ୨୦୧୬ରେ ତାଙ୍କ ଆବେଦନ ଖାରଜ କରି ଦେଇଥିଲେ। ଏପରି ନିଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ଦାସଶର୍ମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର