ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଡେମୋ ଦେଖାଇଲା ମୁସ୍ତାକ, ସରିଲା ରିମାଣ୍ଡ, ଫେରିଲା ଚୌଦ୍ୱାର ଜେଲ

କଟକ/ନିଶ୍ଚିନ୍ତକୋଇଲି : ରିମାଣ୍ଡରେ ଆସି ଆଜି ନିଜ ଅପରାଧ କାର୍ଯ୍ୟକଳାପର ଡେମୋ ଦେଖାଇଛି ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍‌। ସେ କିପରି ଘଟାଇଥିଲା ଘଟଣା। ଚକ୍‌ଲେଟ୍‌ ଦେବାର ବାହାନା ଦେଖାଇ ଘରୁ ବାହାରିବା ମାତ୍ରେ ସ୍କୁଲ ପରିସରକୁ କିଭଳି ଟେକି ନେଇ ଥିଲା। ସେଠାରେ ନାବାଳିକାର ତଣ୍ଟିକୁ ଚିପି ମୁଣ୍ଡକୁ ଚଟାଣରେ କିପରି ପିଟିଥିଲା ସେ ସବୁ ଦେଖାଇଥିଲା ଅଭିଯୁକ୍ତ। ଘରଠାରୁ ମାତ୍ର ୨ଶହ ମିଟର ଦୂରରେ ଏଭଳି ବିଭତ୍ସ ଘଟଣା ଘଟାଇ କିଭଳି ଫେରାର ହୋଇଯାଇଥିଲା ସେ ସବୁର ଡେମୋ ବି ପୁଲିସକୁ ଦେଖାଇଥିଲା ମୁସ୍ତାକ। ଆଜି ଦିନ ପ୍ରାୟ ୩ଟା ବେଳେ ଅଭିଯୁକ୍ତକୁ ନେଇ ପୁଲିସ ଗାଁକୁ ଯାଇଥିଲା। ମାତ୍ର ଦଶ ମିନିଟ ଭିତରେ ଡେମୋ ଶେଷ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତ ମୁସାକ୍‌କୁ ଆଣି କୋର୍ଟରେ ହାଜର କରାଇଥିଲା। ରିମାଣ୍ଡ ଶେଷ ହୋଇଥିବାରୁ ତାକୁ ଚୌଦ୍ୱାର ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା।

ଫୋଗଳ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ରେଡ଼୍‍ ଫ୍ଲାଗ୍‌ ମାନ୍ୟତା ଦେଇ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛି। ଏଥିପାଇଁ ଆଇନଜୀବୀ ଅକ୍ଷୟ ନାୟକଙ୍କୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ଭାବେ ନିଯୁକ୍ତି ଦିଆଯାଇଛି। ତିନି ଦିନ ତଳେ ଶିଶୁଆ ଜେଲରେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଗାମୁଛା ଛିଣ୍ଡିଯିବାରୁ ବଂଚି ଯାଇଥିଲା। ତେବେ ଗତକାଲି ଅଭିଯୁକ୍ତକୁ ସ୍ୱତନ୍ତ୍ର କୋର୍ଟରେ ହାଜର କରି ରିମାଣ୍ଡରେ ନେବା ଆବେଦନ କରିଥିଲେ। କୋର୍ଟ ଦୁଇଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେବା ପରେ ଆଜି ଅଭିଯୁକ୍ତକୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚୁରା ଚଳାଇଥିଲା। ଆଜି ତଦନ୍ତ ସାରି ପୁଲିସ ପୁଣି କଟକ ପୋକ୍ସୋ ମାମଲାର ବିଚାର ପାଇଁ ଗଠିତ କଟକ ସ୍ୱତନ୍ତ୍ର ଅଦାଲତରେ ହାଜର କରିବା ପରେ ଅଭିଯୁକ୍ତକୁ ଚୌଦ୍ୱାର ସର୍କଲ ଜେଲକୁ ପଠାଇ ଦିଆଯାଇଛି। ଦିନ ପ୍ରାୟ ୩ଟାରେ ସାଲେପୁର ଥାନା, ନିଶ୍ଚିନ୍ତକୋଇଲି ବ୍ଲକ୍‌ ଫଗୋଳ ପଂଚାୟତର ଜଗନ୍ନାଥପୁର ଗାଁରେ ସାଲେପୁର ଏସ୍‌ଡିପିଓ ପ୍ରଦ୍ୟୁମ୍ନ ଜେନା, ସାଲେପୁର ଥାନା ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ, ମାହାଙ୍ଗା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡା, ନେମାଳ ଥାନା ଅଧିକାରୀ ଯୁଗଳ କିଶୋର ଦାସ, ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ପ୍ରଦ୍ୟୁମ୍ନ ବେହେରା ପ୍ରମୁଖ କଡାସୁରକ୍ଷା ବଳୟରେ ଅଭିଯୁକ୍ତକୁ ଧରି ଗାଁରେ ପହଞ୍ଚିବାପରେ ସେଠାରେ ଡେମୋ ଦେଖାଇଥିଲା ଅଭିଯୁକ୍ତ। ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସତର୍କ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅଭିଯୁକ୍ତର ପତ୍ନୀ ଗାଁକୁ ଫେରି ନଥିବା ବେଳେ ତା’ ପରିବାରର ଅନ୍ୟ ସଦସ୍ୟ ଇତିମଧ୍ୟରେ ଗାଁକୁ ଫେରି ଆସିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର