ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଦୁଇ ଦିନ ରିମାଣ୍ଡରେ ଯିବ ଅଭିଯୁକ୍ତ

କଟକ : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍‌କୁ ସାଲେପୁର ପୁଲିସ ଦୁଇ ଦିନ ରିମାଣ୍ଡରେ ନେଇ ପଚରା ଉଚୁରା କରିବ। ଏଥିପାଇଁ କଟକ ଅତିରିକ୍ତ ଦୌରାଜଜ୍‌ ତଥା ସ୍ୱତନ୍ତ୍ର ଅଦାଲତ ଅନୁମତି ଦେଇଛନ୍ତି। ଆଜି ଅଭିଯୁକ୍ତ ମୁସ୍ତାକକୁ ସାଲେପୁର ପୁଲିସ ପୋକ୍ସୋ ମାମଲାର ବିଚାର ପାଇଁ ଗଠିତ କଟକ ସ୍ୱତନ୍ତ୍ର ଅଦାଲତରେ ହାଜର କରିଥିଲା। ଅଭିଯୁକ୍ତକୁ ତଦନ୍ତକାରୀ ସଂସ୍ଥାର ହେପାଜତରେ ଅଧିକ ପଚରା ଉଚୁରା ଜରୁରି ବୋଲି ଅଦାଲତରେ ଦର୍ଶାଇ ସାଲେପୁର ପୁଲିସ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଅଦାଲତ ମାମଲାର ଶୁଣାଣି କରି ମୁସ୍ତାକକୁ ୨ ଦିନ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଥିଲେ। ଅନ୍ୟପକ୍ଷରେ ହାଜିରା ପରେ ମୁସ୍ତାକକୁ ଅଦାଲତ ଚୌଦ୍ୱାର ଜେଲ ହାଜତକୁ ପଠାଇ ଦେଇଛନ୍ତି। ଶନିବାର ପୁଲିସ ମୁସ୍ତାକକୁ ଚୌଦ୍ୱାର ଜେଲରୁ ଦୁଇ ଦିନ ରିମାଣ୍ଡରେ ନେବ। ରିମାଣ୍ଡ ଅବଧି ଶେଷ ହେବା ପରେ ମେ’ ୭ ତାରିଖ ଦିନ ମୁସ୍ତାକକୁ ପୁଲିସ ଅଦାଲତରେ ହାଜର କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ଦେବାଶିଷ ସାମନ୍ତରାୟ ମାମଲା ପରିଚାଳନା କରୁଛନ୍ତି।

ଅନ୍ୟପକ୍ଷରେ ଆଜି ସାଲେପୁର ପୁଲିସ ଏସ୍‌ସିବି ମେଡିକାଲ ଯାଇ ତଦନ୍ତ କରିଛି। ସାଲେପୁର ଥାନା ଆଇଆଇସି ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ସହିତ ଏକ ପୁଲିସ ଦଳ ପୀଡିତାଙ୍କ ବେଡ୍‌ ଟିକଟ ଓ ତାଙ୍କ ଚିକିତ୍ସା ସଂପର୍କିତ କେତେକ ନଥିପତ୍ର ସଂଗ୍ରହ କରିଛନ୍ତି। ପୀଡିତାଙ୍କୁ ଚିିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ପୁଲିସ ଆଜି ଆଲୋଚନା କରିଥିବା ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଫୋଗଳ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁ କନ୍ୟାଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ଚିକିତ୍ସିତ ଅବସ୍ଥାରେ ଗତ ୨୯ ତାରିଖରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସାଲେପୁର ପୁଲିସ ମହମ୍ମଦ ମୁସ୍ତାକକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର