ଜେଲରେ ଆତ୍ମହତ୍ୟା ଉଦ୍ୟମ ଘଟଣା : ସ୍ୱତନ୍ତ୍ର ସେଲ୍‌ରେ ସାଲେପୁର ଦୁଷ୍କର୍ମ ଅଭିଯୁକ୍ତ, ଗାମୁଛା ଛିଣ୍ଡି ଯିବାରୁ ବର୍ତ୍ତିଗଲା

କଟକ/ସାଲେପୁର : ମାତ୍ର ସାଢେ ତିନି ହାତି ଖୋର୍ଦ୍ଧା ଗାମୁଛାରେ ଆତ୍ମହତ୍ୟା ଉଦ୍ୟମ କରିଥିଲା ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ମହମ୍ମଦ ମୁସାକ୍‌। ହେଲେ ଫାଶ ପକାଇବା ପାଇଁ ଶିଶୁଆ ଜେଲରେ କୌଣସି ରେଲିଂ ନଥିବାରୁ କବାଟରେ ଗାମୁଛା ଫାଶ ପକାଇ ଆତ୍ମହତ୍ୟା ଉଦ୍ୟମ କରିିଥିଲାବେଳେ ଓହଳିଲା ବେଳକୁ ଗାମୁଛା ଫାଟି ଯାଇଥିଲା। ସେହି ସମୟରେ ଅଭିଯୁକ୍ତକୁ ଖୋଜିଖୋଜି ଜେଲ କର୍ତ୍ତୃପକ୍ଷ ପାଇଖାନା ପାଖରେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ। ଆତ୍ମହତ୍ୟା ଉଦ୍ୟମ ପଣ୍ଡ ହେବା ପରେ ଜେଲରେ ଅଭିଯୁକ୍ତ ରହୁଥିବା କକ୍ଷର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୩ଜଣ ଓ୍ଵାର୍ଡର ସୁରକ୍ଷା ଦାୟିତ୍ୱରେ ରହିବା ସହ ୪ନମ୍ବର ସ୍ୱତନ୍ତ୍ର କକ୍ଷରେ ତାକୁ ରଖାଯାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଦିଆଯାଉଥିବା ଜେଲର ରୁନୁବାଳା ଦେଇ ସୂଚନା ଦେଇଛନ୍ତି।

ଅନ୍ୟପଟେ ଗିରଫ ହେବା ଦିନଠାରୁ ଜେଲରେ ସେ କାନ୍ଦୁଥିବା ବେଳେ ଫାଶୀ ଦଣ୍ଡାଦେଶ ନେଇ ସ୍ୱତନ୍ତ୍ର ଆଇନ କଥା ଜାଣି ସେ ଗତ ଦୁଇଦିନ ହେଲା ମୁଣ୍ଡ ତଳକୁ ପୋତି ବସିଥିଲା। ଏପରିକି ଜେଲରେ କାହା ସହିତ ଠିକ୍‌ ଭାବରେ କଥାବାର୍ତ୍ତା ମଧ୍ୟ କରୁନଥିଲା। ଅନ୍ୟପଟେ ଆଜି ଜେଲରେ ଅନ୍ୟ କଏଦୀଙ୍କ ସହ ସେ କ୍ୟାରମ୍‌ ଖେଳିଥିବା ଜଣାପଡିଛି। ତେବେ ଫାଶୀ ହେବା ଆଗରୁ ନିଜେ ମରିଯିବା ଭଲ ଭାବି ସେ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିିଛି। ଗତକାଲିର ଘଟଣା ପରେ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ ତା’ ବିରୋଧରେ ଆଉ ଏକ ମାମଲା ରୁଜୁ କରିିଛି।

ତେବେ ପୀଡିତାଙ୍କ ମୃତ୍ୟୁ ପରଠାରୁ ଅଭିଯୁକ୍ତଙ୍କ ପରିବାର ଲୋକ ଗାଁ ଛାଡି ଅନ୍ୟତ୍ର ରହୁଛନ୍ତି। ଗତ ମାସ ୨୧ ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ହୋଇଥିଲା। ପୀଡିତା ଚିକିତ୍ସାଧୀନ ଅବସ୍ଥାରେ ୨୯ତାରିଖରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର