ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ସାକ୍ଷ୍ୟ ଗ୍ରହଣ ଆରମ୍ଭ, ଡାକ୍ତରଙ୍କୁ ଜେରା

କଟକ: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ଶୁଣାଣି ଆରମ୍ଭ ହୋଇଛି। କଟକ ସ୍ୱତନ୍ତ୍ର କୋର୍ଟ ତଥା ତୃତୀୟ ଅତିରିକ୍ତ ଦୌରା ଜଜ୍‌ ଆନନ୍ଦ ନାରାୟଣ ମହାରଣାଙ୍କ ଇଜିଲାସରେ ଆଜି ଦୁଇ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ପୀଡିତା ନାବାଳିକାଙ୍କ ପ୍ରଥମେ ଚିକିତ୍ସା କରିଥିବା ସାଲେପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏସ୍‌.ଯାଜୋଡିଆ ଆଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ତାଙ୍କୁ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ଜେରା ମଧ୍ୟ କରିଥିଲେ। ଏଥି ସହିତ ନାବାଳିକାଙ୍କ ମୃତଦେହର ଶବବ୍ୟବଚ୍ଛେଦ କରିଥିବା ଏସସିବି ମେଡିକାଲର ଡାକ୍ତର ଅମରେନ୍ଦ୍ର ନାୟକଙ୍କ ମଧ୍ୟ ଆଜି ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଶ୍ରୀ ନାୟକଙ୍କୁ ପ୍ରତିପକ୍ଷ ଜେରା ମଧ୍ୟ କରିଥିଲେ। କିନ୍ତୁ ଜେରା ଅଧା ରହିଥିଲା। ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଡାକ୍ତର ନାୟକଙ୍କୁ ଜେରା କରାଯିବ। ଆଜି ମାମଲାର ସାକ୍ଷ୍ୟ ଗ୍ରହଣ ସମୟରେ ସାକ୍ଷୀମାନେ ତଦନ୍ତ ସମୟରେ ପୀଡିତାଙ୍କ ଚିକିତ୍ସା ତଥା ଶବବ୍ୟବଚ୍ଛେଦ ସଂପର୍କିତ ଜବତ ନଥିପତ୍ରକୁ ଚିହ୍ନଟ କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ମାମଲାରେ ୪୬ଜଣ ସାକ୍ଷୀ ରହିଛନ୍ତି। ମାମଲା ପରିଚାଳନା ପାଇଁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ଅକ୍ଷୟ କୁମାର ନାୟକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୮, ଏପ୍ରିଲ ୨୧ ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଫୋଗଳ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁ କନ୍ୟାଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ଚିକିତ୍ସିତ ଅବସ୍ଥାରେ ଏପ୍ରିଲ୨୯ ତାରିଖରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସାଲେପୁର ଥାନା ପୁଲିସ ଭାରତୀୟ ପିଙ୍ଗଳ ଆଇନର ଦଫା ୩୭୬(ଏ),(ବି), ୩୦୨, ୩୬୩ ଏବଂ ପୋକ୍ସ ଆଇନର ଧାରା ୬ ଅନୁଯାୟୀ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମେ’ ୧୧ରେ ଅଦାଲତରେ ଏହି ମାମଲାର ଚର୍ଜସିଟ ଦାଖଲ ହୋଇଥିଲା। ମାମଲା ରୁଜୁ ହେବାର ମାତ୍ର ୨୧ ଦିନ ମଧ୍ୟରେ ୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଏଥିରେ ପୀଡ଼ିତା ନାବାଳିକାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ରାଜ୍ୟ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀରୁ ଆସିଥିବା ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡିଏନ୍‌ଏ ରିପୋର୍ଟର ନକଲ ରହିଛି।

ସମ୍ବନ୍ଧିତ ଖବର