ବର୍ଷକୁ ଚାହିଦା ୬.୭୦ ଲକ୍ଷ ଟନ୍ ଲୁଣ, ଉତ୍ପାଦନ ୧୫୦ ଟନ୍

ଭୁବନେଶ୍ୱର : ଓଡ଼ିଶା ପାଇଁ ବାର୍ଷିକ ୬ ଲକ୍ଷ ୭୦ ହଜାର ମେଟ୍ରିକ୍ ଟନ୍ ଲୁଣ ଆବଶ୍ୟକ। କିନ୍ତୁ ଗତ ବର୍ଷ ରାଜ୍ୟରେ ଉତ୍ପାଦିତ ହୋଇଛି ମାତ୍ର ୧୫୦ ମେଟ୍ରିକ୍ ଟନ୍ ଲୁଣ। ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଓଡ଼ିଶା ପାଇଁ ବାର୍ଷିକ ଆବଶ୍ୟକ ପଡ଼ୁଥିବା ୬.୭୦ ଲକ୍ଷ ଟନ୍ ଲୁଣ ମଧ୍ୟରୁ ଖାଇବା ପାଇଁ ୨.୨୦ ଲକ୍ଷ ଟନ୍ ବ୍ୟବହାର କରାଯାଉଥିବା ବେଳେ ଶିଳ୍ପ ସଂସ୍ଥା ପାଇଁ ସାଢ଼େ ୪ ଲକ୍ଷ ଟନ୍ ଲୁଣ ଆବଶ୍ୟକ। ରାଜ୍ୟରେ ୨୦୧୦-୧୧ ବର୍ଷରେ ୨୬୫୮ ମେଟ୍ରିକ୍ ଟନ୍ ଲୁଣ ଉତ୍ପାଦିତ ହୋଇଥିବା ବେଳେ ୨୦୧୬-୧୭ ବେଳକୁ ଏହାର ପରିମାଣ ଥିଲା ୧୯୭୫ ମେଟ୍ରିକ୍ ଟନ୍। ତେବେ ୨୦୧୭-୧୮ ବର୍ଷରେ ଓଡ଼ିଶାରେ ମାତ୍ର ୧୫୦ ମେଟ୍ରିକ୍ ଟନ୍ ଲୁଣ ଉତ୍ପାଦିତ ହୋଇଛି। ଲୁଣ ଉତ୍ପାଦନ ପାଇଁ ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଗଞ୍ଜାମ ଜିଲ୍ଲାର ହୁମା ଓ ବିଞ୍ଚଣାପାଲି ଏବଂ ବାହୁଦା ଓ ବାଲେଶ୍ୱର ବୋଳଙ୍ଗରେ ୪ଟି ଲବଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି ରହିଛି। ଏଥିମଧ୍ୟରୁ କେବଳ ବାଲେଶ୍ବର ଜିଲ୍ଲାର ବୋଳଙ୍ଗ ସମବାୟ ସଂସ୍ଥା କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ ୩ଟି ଯାକ ବନ୍ଦ ରହିଛି। ରାଜ୍ୟରେ ଲୁଣ ଉତ୍ପାଦନ ବୃଦ୍ଧି ପାଇଁ ଓ ଲବଣ ଶ୍ରମିକମାନଙ୍କ ଜୀବିକାରେ ଉନ୍ନତି ଲାଗି ସରକାର ୨୦୦୭-୦୮ରୁ ୨୦୧୩-୧୪ ମଧ୍ୟରେ ୩ଟି ଲବଣ ସମବାୟ ସମିତିକୁ ୯୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର