ଲୁଣ: ଦରକାର ୬.୭୦ ଲକ୍ଷ , ଉତ୍ପାଦନ ୩୧୩୫ ଟନ୍‌

ଭୁବନେଶ୍ୱର : ରାଜ୍ୟରେ ବାର୍ଷିକ ୬.୭୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଲୁଣର ଆବଶ୍ୟକତା ଥିବା ବେଳେ ବର୍ଷକୁ ଉତ୍ପାଦିତ ହେଉଛି ମାତ୍ର ୩୧୩୫ ମେଟ୍ରିକ୍‌ ଟନ୍‌ ଲୁଣ। ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି।

ଓଡ଼ିଶାରେ ୪ଟି ଲବଣ ସମବାୟ ସମିତି ଥିବା ବେଳେ ସେଥିରୁ ଏବେ ୩ଟି ଅଚଳ ହୋଇପଡ଼ିଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି। ଗଞ୍ଜାମର ହୁମା ଓ ବାହୁଦା, ବାଲେଶ୍ୱରର ବୋଳଙ୍ଗ ଏବଂ ପୁରୀର ଅସ୍ତରଙ୍ଗଠାରେ ତିନୋଟି ଲୁଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି ରହିଥିଲା। ଏଥିରୁ କେବଳ ବୋଳଙ୍ଗ ଲବଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି କାର୍ଯ୍ୟକ୍ଷମ ଅଛି। ସରକାରଙ୍କ ପକ୍ଷରୁ କୁହାଯାଇଛି, ୨୦୧୭-୧୮ ବର୍ଷରେ ଓଡ଼ିଶାରେ ୩,୧୩୫ ମେଟ୍ରିକ୍‌ ଟନ୍‌ ଲୁଣ ଉତ୍ପାଦିତ ହୋଇଥିବା ବେଳେ ରାଜ୍ୟ ପାଇଁ ବାର୍ଷିକ ୬.୭୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଆବଶ୍ୟକ। ଏଥିମଧ୍ୟରୁ ୪.୫୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଶିଳ୍ପ ପାଇଁ ଆବଶ୍ୟକ ପଡ଼ୁଛି।

ଓଡ଼ିଶାରେ ଲୁଣ ଉତ୍ପାଦନ ବୃଦ୍ଧି ସହିତ ଲବଣ ଶ୍ରମିକମାନଙ୍କ ଜୀବିକାରେ ସୁଧାର ଆଣିବା ପାଇଁ ୨୦୦୭ରୁ ୨୦୧୪ ବର୍ଷ ମଧ୍ୟରେ ତିନୋଟି ଲବଣ ସମବାୟ ସମିତିକୁ ୯୪ ଲକ୍ଷ ଟଙ୍କା ଦିଆଯାଇଥିଲେ ବି ଏଗୁଡ଼ିକ ସଚଳ ହୋଇପାରିନାହାନ୍ତି। ଅଚଳ ଲବଣ ସମବାୟ ସମିତିଗୁଡ଼ିକୁ ସଚଳ କରିବା ପାଇଁ ଗତବର୍ଷ ଅକ୍ଟୋବର ମାସରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପାଲୁର କେନାଲ ଖନନ କରିବାରୁ ଲୁଣ ଉତ୍ପାଦନରେ ଦ୍ରୁତ ହ୍ରାସ ଓ ଲବଣ ଶ୍ରମିକଙ୍କ ବେରୋଜଗାରୀ ବିଷୟ ଉପରେ ଅନୁଧ୍ୟାନ ଲାଗି ଏଥିରେ ନିଷ୍ପତ୍ତି ନିଆଯାଇଛି। ଗତ ଫେବୃଆରି ମାସରେ ମଧ୍ୟ ଲବଣ ଶିଳ୍ପର ବିକାଶ ଓ ଲବଣ ସମବାୟ ସମିତିଗୁଡ଼ିକୁ ସଚଳ କରିବା ପାଇଁ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଛି।

ସମ୍ବନ୍ଧିତ ଖବର