ଜୁନ୍‌ ପହିଲାରୁ ‘ସମବାୟ ଆପଣଙ୍କ ଦ୍ୱାରରେ’ ଅଭିଯାନ

ଭୁବନେଶ୍ୱର : ରାଜ୍ୟର ସମସ୍ତ କୃଷକଙ୍କ ନିକଟରେ ପହଞ୍ଚିବା ପାଇଁ ‘ସମବାୟ ଆପଣଙ୍କ ଦ୍ୱାରରେ-୨୦୧୮’ ନାମକ ରାଜ୍ୟ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଜୁନ୍‌ ପହିଲାରୁ ଏହି ଅଭିଯାନ ଆରମ୍ଭ ହୋଇ ଜୁଲାଇ ଶେଷ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରସ୍ତୁତ ନିୟମାବଳୀକୁ ସରକାର ମଞ୍ଜୁରି ଦେଇଛନ୍ତି। ଏହି ଅଭିଯାନରେ ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ) ‘ଓ୍ଵାନ୍‌ ଷ୍ଟପ୍‌ ଷ୍ଟେପ୍‌’ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଅଭିଯାନକୁ ବ୍ୟାପକ ରୂପ ଦେବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ସହିତ ଆଜି ସମବାୟ ବିଭାଗ ସଚିବ ରଂଜନା ଚୋପ୍‌ଡ଼ା କୃଷି ମିଆଦ ଋଣ ମଞ୍ଜୁରି ଏବଂ ପ୍ରଦାନ ନେଇ ଅନ୍ୟ ଏକ ନିୟମାବଳୀ ଚୂଡ଼ାନ୍ତ କରିଛନ୍ତିି।

‘ସମବାୟ ଆପଣଙ୍କ ଦ୍ୱାରରେ’ ପାଇଁ ପ୍ରସ୍ତୁତ ନିୟମାବଳୀ ଅନୁଯାୟୀ ରାଜ୍ୟର ସମସ୍ତ କୃଷକ ପାକ୍‌ସ ସଭ୍ୟ ନୁହନ୍ତି। ପ୍ରାୟ ୪୫ ଲକ୍ଷ କିଷାନ କ୍ରେଡିଟ୍‌ କାର୍ଡ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୨୧ ଲକ୍ଷ ୪୪ ହଜାର ୩୭ଟି କାର୍ଡ କାର୍ଯ୍ୟକ୍ଷମ। ପାକ୍‌ସ ନିକଟରେ ପ୍ରାୟ ୧୧ ଲକ୍ଷ କୃଷକ ଋଣ ଖିଲାପକାରୀ ଥିବାରୁ ସେମାନେ ଅନ୍ୟାନ୍ୟ ସୂତ୍ରରୁ ଋଣ ନେଉଛନ୍ତି। ପ୍ରାୟ ୧୭ ଲକ୍ଷ ରୁପେ କାର୍ଡ ଦିଆଯାଇଥିଲେ ବି ସେଥିମଧ୍ୟରୁ ପ୍ରାୟ ୪.୬୫ ଲକ୍ଷ କାର୍ଡ ବ୍ୟବହାର ହେଉଛି। ବିଶେଷ କରି ପାକ୍‌ସ ପକ୍ଷରୁ ଭାଗଚାଷୀ ବା ଯୁଗ୍ମ ଦେୟ ଗୋଷ୍ଠୀ(ଜଏଣ୍ଟ ଲାଏବିଲିଟି ଗ୍ରୁପ୍‌ ବା ଜେଏଲ୍‌ଜି)ଙ୍କୁ ଋଣ ପ୍ରଦାନ ଦିଆଯାଉନାହିଁ। ଏପରି କି ଏହି ଗୋଷ୍ଠୀମାନେ କ୍ରିୟାଶୀଳ ନୁହନ୍ତି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ‘ସମବାୟ ଆପଣଙ୍କ ଦ୍ୱାରରେ’ ଅଭିଯାନ ଆରମ୍ଭ କରୁଛନ୍ତିି।

ଏହି ନିୟମାବଳୀ ଅନୁଯାୟୀ ସମସ୍ତ ଅଣସଭ୍ୟଙ୍କୁ ପାକ୍‌ସରେ ସଭ୍ୟଭୁକ୍ତ କରିବାକୁ ପଦକ୍ଷେପ ନିଆଯିବ। ପ୍ରତି ପାକ୍‌ସ ଜରିଆରେ ଅନ୍ତତଃପକ୍ଷେ ୧୦ଟି ଜେଏଲ୍‌ ବା ଭାଗଚାଷୀ ଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ଯୋଗ୍ୟ ବିବେଚିତ କୃଷକଙ୍କ ପାଇଁ କୃଷି ମିଆଦ ଋଣ ରାଶି ବୃଦ୍ଧି କରାଯିବ। ପ୍ରତ୍ୟେକ ପାକ୍‌ସରେ ଖୋଲିବ ଏଟିଏମ୍‌। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରତ୍ୟେକ ଅଣଋଣୀ କୃଷକଙ୍କୁ ସାମିଲ କରିବାକୁ ପଦକ୍ଷେପ ନିଆଯିବ। ଅଭିଯାନକୁ ଗଣ ସଂପର୍କ କାର୍ଯ୍ୟକ୍ରମରେ ପରିଣତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଗ୍ରାମରେ ଏହି ଅଭିଯାନ ଆୟୋଜନ କରାଯିବ। ପ୍ରତ୍ୟେକ ପାକ୍‌ସରେ କୃଷକ ସଂପର୍କ ଶିବିରରେ କୃଷକଙ୍କ ସମ୍ମିଳନୀ ଆୟୋଜନ ହେବ। ପ୍ରତ୍ୟେକ ପାକ୍‌ସ ଅନ୍ତର୍ଗତ ୧୦ଜଣ ପ୍ରଗତିଶୀଳ ତଥା ସଠିକ୍‌ ସମୟରେ ଋଣ ପରିଶୋଧ କରୁଥିବା ଚାଷୀଙ୍କୁ ଚିହ୍ନଟ କରି ସମ୍ବର୍ଦ୍ଧିତ କରାଯିବ। ଏହି ଅଭିଯାନ ସଂପର୍କରେ ପର୍ଯ୍ୟାୟ ଭିତ୍ତିକ କାର୍ଯ୍ୟକ୍ରମ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଶେଷରେ ଦୁଇମାସ ଧରି ‘ସମବାୟ ଆପଣଙ୍କ ଦ୍ୱାରରେ’ ଅଭିଯାନ ଆରମ୍ଭ ହେବ ବୋଲି ନିୟମାବଳୀରେ ଦର୍ଶାଯାଇଛି। ଏଥିପାଇଁ ଜିଲ୍ଲାସ୍ତରରେ ୫ଜଣିଆ କମିଟି ଗଠନ କରିବାକୁ ସମବାୟ ସମିତି, ରେଜିଷ୍ଟ୍ରାରଙ୍କ ତରଫରୁ ଆଜି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର