‘ପ୍ୟାକ୍ସ ପ୍ରାଶାସନିକ ଫଣ୍ଡ’କୁ ସମବାୟ ସମିତି କର୍ମଚାରୀ ମହାସଂଘର ବିରୋଧ

ଭୁବନେଶ୍ୱର : ସମବାୟ ସମିତି କର୍ମଚାରୀଙ୍କ ନିମନ୍ତେ ନୂତନ ଭାବେ ପ୍ରଚଳନ ହେବାକୁ ଯାଉଥିବା ‘ପ୍ୟାକ୍ସ ପ୍ରାଶାସନିକ ଫଣ୍ଡ’କୁ ‘ନିଖିଳ ଓଡ଼ିଶା ସମବାୟ ସମିତି କର୍ମଚାରୀ ମହାସଂଘ’ ଦୃଢ ବିରୋଧ କରିଛି। ଯେଉଁ ଉପାୟରେ ଏହି ଫଣ୍ଡର ଖସଡ଼ା ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ପ୍ୟାକ୍ସକୁ ମାସିକ ପନ୍ଦର ହଜାର ଟଙ୍କା ଦେବା ନିମନ୍ତେ ସିଦ୍ଧାନ୍ତ ହୋଇଛି ତାହା ଦୁର୍ଭାଗ୍ୟଜନକ ବୋଲି ସଂଘ ପ୍ରକାଶ କରିଛି। ସିଦ୍ଧାନ୍ତ ହୋଇଥିବା ତରିକା ଅନୁଯାୟୀ ଯଦି କାର୍ଯ୍ୟକାରୀ କରାଯାଏ ତେବେ ପ୍ୟାକ୍ସ ଓ ସେଥିରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଆଭ୍ୟନ୍ତରୀଣ ଅବସ୍ଥା ବୈଦ୍ୟନାଥ କମିଟି ରିପୋର୍ଟ ପ୍ରଚଳନ ହେବା ପୂର୍ବରୁ ଯେପରି ଥିଲା ତାହାଠାରୁ ଅଧିକ ଦୟନୀୟ ହୋଇ ପଡ଼ିବ ବୋଲି ସଂଘ ଆଶଙ୍କା ପ୍ରକାଶ କରିଛି।

ଆଜି ହୋଟେଲ୍‌ କେଶରୀ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ପଦାଧିକାରୀମାନେ ଉପସ୍ଥିତ ରହି ସରକାରଙ୍କ ଏଭଳି ନିଷ୍ପତ୍ତିର ବିରୋଧ କରିଥିଲେ। ସେହିଭଳି ଗତ ୨୦୧୭ ମସିହା ସେପ୍‌ଟେମ୍ବର ୨୬ ତାରିଖରେ ସମବାୟ ନିବନ୍ଧକ ଦେଇଥିବା ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ଦାବି କରିଛି। ଓଡ଼ିଶା ଭଳି ଏକ କୃଷିବହୁଳ ରାଜ୍ୟରେ ସମବାୟ ସମିତି କର୍ମଚାରୀ ସଂଘର ଦାବି ପ୍ରତି ସରକାର ଦୃଷ୍ଟି ନ ଦେବା ଦୁର୍ଭାଗ୍ୟଜନକ ବୋଲି ସଂଘର କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପଦେଷ୍ଟା ଲିଙ୍ଗରାଜ ମଲ୍ଲ, ସଭାପତି ନିରଞ୍ଜନ ସାହୁ, ଉପ ସଭାପତି ଅରୁଣ ଉଦୟ ପାତ୍ର, ଶ୍ରୀଧର କୁମାର ଚୌଧୁରୀ, ସୁଧାନିଧି ମୋଟାରି, ପ୍ରଦୀପ୍ତ କୁମାର ମହାନ୍ତି, ସାଧାରଣ ସଂପାଦକ ରାଧାମୋହନ ସାମଲ, ନିତେଶ କୁମାର ସାହୁ, ପ୍ରତାପ କୁଅଁର, ହରିଶ୍ଚନ୍ଦ୍ର ଦାଶ ମହାପାତ୍ର, ଗିରିଶ ଖିଲାର, ନୃସିଂହ ଚରଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର