ଦୁର୍ଘଟଣାରୁ ବର୍ତ୍ତିଲା ସମଲେଶ୍ୱରୀ ଏକ୍ସପ୍ରେସ୍‌ 

ରେଳ ଧାରଣାରେ ମାଟି ଅତଡ଼ା ଧସିଲା

ରାୟଗଡ଼ା/କଲ୍ୟାଣସିଂହପୁର : ରେଳ ଧାରଣାରେ ଫାଟ ଯୋଗୁଁ ୨୪ ଘଣ୍ଟା ବ୍ୟବଧାନରେ ବିଶାଖପାଟଣା-କୋର୍ବା ଏକ୍ସପ୍ରେସ୍‌ ଦୁଇ ଥର ଦୁର୍ଘଟଣାରୁ ବର୍ତ୍ତିଥିଲା। ଏହାପରେ ଆଜି କୋରାପୁଟ- ରାୟଗଡ଼ା ରେଳ ଲାଇନ୍‌ରେ ମାଟି ଅତଡ଼ା ଧସିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି ହାଓ୍ଵଡା- ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌। କେଆର ରେଳ ଲାଇନର କେଉଟଗୁଡାରୁ ଶିକରପାଇ ମଧ୍ୟରେ ମାଟି ଅତଡା ଧସିବାରୁ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ୩ ଘଣ୍ଟା ଅଟକି ରହିଥିଲା। ପରେ ରାସ୍ତା ସଫା କରିବା ପରେ ଏହି ଟ୍ରେନ୍‌ଟି ଜଗଦଳପୁର ଅଭିମୁଖେ ଯାତ୍ରା କରିଥିଲା।

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍‌ଣ ୪ଟା ବେଳେ ସମଲେଶ୍ୱରୀ ଟ୍ରେନ ରାୟଗଡା ଛାଡ଼ିଥିଲା। ତେବେ ୫ଟା ୧୫ ମିନିଟ ସମୟରେ ଶିକରପାଇ ରେଳ ଷ୍ଟେସନର ୧୪୯କିମି ପୋଲ ନିକଟରେ ମାଟି, ପଥର ଧସି ଟ୍ରାକ୍‌ ଉପରେ ପଡିଥିଲା। ଏହି ସମୟରେ ଏକ ବଡ଼ପଥର ଟ୍ରେନ୍‌ ଇଂଜିନ୍‌ରେ ବାଡେଇ ହେବାରୁ ଡ୍ରାଇଭର ଟ୍ରେନ୍‌କୁ ଅଟକାଇ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ଦିନ ଧରି  ପ୍ରବଳ ବର୍ଷା  କାରଣରୁ ରାୟଗଡ଼ା- କୋରାପୁଟ ରେଳ ଲାଇନ ପାର୍ଶ୍ୱରେ ଥିବା ପାହାଡ଼ରୁ ଅତଡ଼ା ଧସିଥିଲା। ବର୍ଷା ଦିନେ ଏହି ରାସ୍ତାରେ ଟ୍ରେନ୍‌ର ବେଗ କମ୍‌ ରହିଥାଏ। ତଥାପି ଧାରଣା ମଝିରେ ପଡ଼ିଥିବା ଏକ ପଥର ସହ ଇଂଜିନ୍‌ ବାଡେଇ ହେବାରୁ କ୍ଷତିଗ୍ରସ୍ତ ହୋଇଥିଲା। ବୈଷୟିକ ଦଳ ତୁରନ୍ତ ଘଟଣା ସ୍ଥଳରେ ଆଲୋକ ବ୍ୟବସ୍ଥା କରି ମାଟି ଓ ପଥରକୁ   ହଟାଇବାରେ ସକ୍ଷମ ହୋଇଥିଲେ। ରେଳବାଇ କର୍ତ୍ତୃପକ୍ଷ ରାୟଗଡ଼ାରୁ ଆଉ ଏକ ଇଂଜିନ ଘଟଣା ସ୍ଥଳକୁ ପଠାଇବା ପରେ  ଶିକରପାଇ ଷ୍ଟେସନ ନିକଟରେ ଅଟକି ରହିଥିବା ଟ୍ରେନ୍‌ରେ ଏହାକୁ ଯୋଡ଼ା ଯାଇଥିଲା। ରାତି ପ୍ରାୟ ସାଢେ ୮ ଟାରେ ଟ୍ରେନ୍‌ଟି ଗନ୍ତବ୍ୟ ପଥରେ ଯାତ୍ରା କରିଥିବା ଶିକରପାଇ ଷ୍ଟେସନ ପରିଚାଳକ ସୂଚନା ଦେଇଛନ୍ତି।

ଅପରପକ୍ଷରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ  ଜଗଦଲପୁର- ଭୁବନେଶ୍ୱର ହୀରାଖଣ୍ଡ ଟ୍ରେନ ବିଳମ୍ବରେ ଯାତ୍ରା କରୁଥିବା ସୂଚନା ମିଳିଛି। ଜଙ୍ଗଲିଆ ରାସ୍ତାରେ ଟ୍ରେନ ଅଟକି ରହିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଥିଲେ।

ସମ୍ବନ୍ଧିତ ଖବର