ସମଲେଶ୍ୱରୀ ମନ୍ଦିରରେ ଫାଟ : ଦଶହରା ପରେ ମରାମତି

ନୂଅାଁଖାଇ ଲଘ୍ନ ନିର୍ଧାରଣ ଆଜି, ଦଶହରାରେ ସୁନା ଅଳଙ୍କାର ପିନ୍ଧିବେ ସମଲେଶ୍ୱରୀ

ସମ୍ବଲପୁର : ସମଲେଶ୍ୱରୀ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ଚିହ୍ନଟ ହୋଇଛି। ଦଶହରା ପରେ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ମରାମତି କରିବ- ଏହା କହିଛନ୍ତି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ କମିଟି ସଭାପତି ସଞ୍ଜୟ ବାବୁ।

ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ବାବୁ କହିଛନ୍ତି, ପୂର୍ବରୁ ସମଲେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ଲାଷ୍ଟିକ ପେଣ୍ଟ ଲଗାଯାଇ ଥିଲା। ମାତ୍ର ଏଥିଯୋଗୁଁ ମନ୍ଦିର ମଧ୍ୟରେ ଥିବା ଫାଟ ଲୁଚି ଯାଉଛି। ପ୍ଲାଷ୍ଟିକ ପେଣ୍ଟ ଏବଂ ମାର୍ବଲ ହଟାଇବା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ଲାଷ୍ଟିକ ପେଣ୍ଟ ହଟା ଯିବା ପରେ ଫାଟ ଚିହ୍ନଟ ହୋଇଥିଲା। ଏହାର ମରାମତି ପାଇଁ ଟ୍ରଷ୍ଟବୋର୍ଡ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଖର୍ଚର ଆକଳନ କରାଯାଇଛି। ଏ ନେଇ ସଂସ୍କୃତି ବିଭାଗ ପକ୍ଷରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ ପରେ ଟଙ୍କା ମଂଜୁର ହୋଇଛି। ଆଉ କିଛି ଦିନ ପରେ ନୂଆଁଖାଇ ଏବଂ ଦଶହରା ପଡ଼ୁଛି। ବର୍ତ୍ତମାନ ମରାମତି କଲେ, ଦୁଇ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ପାଳନରେ ସମସ୍ୟା ହେବ। ଏଥିପାଇଁ ବର୍ତ୍ତମାନ କାମଚଳା ଚୂନ ଲଗାଯାଇଛି। ଦଶହରା ପରେ ଫାଟ ସ୍ଥାନର ଷ୍ଟିଚିଂ ହେବ। ଏଥିସହିତ ମାର୍ବଲ ହଟାଇ ଖଣ୍ଡୋଲାଇଟ ପାଇଁ ମଧ୍ୟ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଯୋଜନା କରିଛି। ଚଳିତ ବର୍ଷ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମଲେଶ୍ୱରୀ ମନ୍ଦିରର ଇଂଜିନିୟରିଂ ମ୍ୟାପ୍‌ କରାଯାଇଛି। ପରବର୍ତ୍ତୀ ସମୟରେ ମନ୍ଦିରର ବିକାଶ କାର୍ଯ୍ୟ କରାଗଲେ ଏହି ଇଂଜିନିୟରିଂ ମ୍ୟାପ୍‌ ସହାୟକ ହୋଇ ପାରିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ବିରେନ୍ଦ୍ର ରାଏ, ସନ୍ତୋଷ ପୃଷେଠ, ପୂଜକ ଅମ୍ବିକା ରାୟ, ପୂଜା କମିଟିର ଇନ୍ଦ୍ରନୀଳ ପ୍ରିୟଦର୍ଶୀ, ସଂଜୀବ ସିଂ, ସ୍ୱାଗତ ରାଏ, ସଂଜୀବ ମହାପାତ୍ର, ପ୍ରେମରାଜ ପାଣିଗ୍ରାହୀ ଏବଂ ହେମନ୍ତ ମିଶ୍ର ଉପସ୍ଥିତ ଥିଲେ।

ନୂଅାଁଖାଇ ଲଘ୍ନ ନିର୍ଧାରଣ ଆଜି

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସେପ୍ଟେମ୍ବର ୩ ତାରିଖରେ ଲଘ୍ନ ନିର୍ଧାରଣ କରାଯିବ। ସୋମବାର ଅପରାହ୍ନରେ ବରହମପୁରା ମନ୍ଦିର ପ୍ରାଙ୍ଗଣରେ ପଣ୍ଡିତ ମହାସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଲଘ୍ନ ନିର୍ଧାରଣ ହେବ।

ଦଶହରାରେ ସୁନା ଅଳଙ୍କାର ପିନ୍ଧିବେ ସମଲେଶ୍ୱରୀ

ସମ୍ବଲପୁର : ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ସୁନା ଅଳଙ୍କାର ପିନ୍ଧିବେ। ତାଙ୍କର କିଛି ରୁପା ଅଳଙ୍କାରକୁ ସୁନା କରାଯିବ। ଦୁର୍ଗା ପୂଜା ଅବସରରେ ସେ ଏହାର ପରିଧାନ କରିବେ। ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ, ଦୁର୍ଗା ପୂଜା କମିଟି ଏବଂ ଦାତବ୍ୟ ଭକ୍ତଙ୍କ ଠାରୁ ମିଳିଥିବା ସୁନାରୁ ମାଙ୍କ ରୁପା ଅଳଙ୍କାରକୁ ସୁନା କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଛନ୍ତି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ। ଏଥିପାଇଁ ୨୦ ଲକ୍ଷ ଟଙ୍କାର ନିଜସ୍ୱ ସମ୍ବଳ ସହିତ କାର୍ଯ୍ୟ ଆରମ୍ଭ କରାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର