‘ସମ୍ବାଦ’ର ଚତୁସ୍ତ୍ରିଂଶତ୍ ବାର୍ଷିକ ଉତ୍ସବ ଅକ୍ଟୋବର ୪ରେ

ଏଥରର ଅତିଥି ରାଜ୍ୟପାଳ ଗଣେଶୀ ଲାଲ ଏବଂ ବିଖ୍ୟାତ ସାମ୍ବାଦିକ ସିଦ୍ଧାର୍ଥ ବରଦରାଜନ୍‌

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୪ ତାରିଖ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ‘ସମ୍ବାଦ’ର ଚତୁସ୍ତ୍ରିଂଶତ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଏବଂ ‘ହିନ୍ଦୁ’ର ପୂର୍ବତନ ସଂପାଦକ ତଥା ‘ଦ ୱାୟାର’ର ପ୍ରତିଷ୍ଠାତା ସଂପାଦକ ବିଖ୍ୟାତ ସାମ୍ବାଦିକ ଶ୍ରୀ ସିଦ୍ଧାର୍ଥ ବରଦରାଜନ୍‌ ମୁଖ୍ୟବକ୍ତା ଭାବେ ଯୋଗଦେବେ।

ଗଣିତ ଶାସ୍ତ୍ରର ପ୍ରଫେସର ଶ୍ରୀ ଗଣେଶୀ ଲାଲ ୧୯୯୬ରୁ ୧୯୯୯ ଯାଏ ହରିୟାଣା ସରକାରରେ ମନ୍ତ୍ରୀ ଥିଲେ। ଜଣେ ସୁବକ୍ତା ଭାବରେ ତାଙ୍କର ଖ୍ୟାତି ରହିଛି। ସେହିଭଳି ଲଣ୍ଡନ୍ ସ୍କୁଲ ଅଫ୍‌ ଇକୋନୋମିକ୍ସ ତଥା କଲମ୍ବିଆ ବିଶ୍ବବିଦ୍ୟାଳୟରେ ପଢ଼ିଥିବା ଶ୍ରୀ ବରଦରାଜନ୍ ନ୍ୟୁୟର୍କ ୟୁନିଭର୍‌ସିଟିରେ କିଛି ବର୍ଷ ଅଧ୍ୟାପନା କରିଥିଲେ। ୧୯୯୫ରେ ସେ ଇଂରାଜି ଦୈନିକ ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ସମ୍ପାଦନା ବିଭାଗରେ କାର୍ଯ୍ୟାରମ୍ଭ କରିଥିଲେ। ୨୦୦୪ରେ ସେ ‘ହିନ୍ଦୁ’ ଖବର କାଗଜର ଡେପୁଟି ଏଡିଟର୍ ଭାବେ ଯୋଗ ଦେଇଥିବା ବେଳେ ୨୦୧୧ରେ ତାହାର ସଂପାଦକ ହୋଇଥିଲେ। ୨୦୦୫ରେ ୟୁନାଇଟେଡ୍ ନେସନ୍ସ କରେସ୍‌ପଣ୍ଡେଣ୍ଟସ ଆସୋସିଏସନ୍ ତରଫରୁ ଏଲିଜାବେଥ୍ ନିଉଫର୍ ମେମୋରିଆଲ୍‌ ପ୍ରାଇଜ୍ ପାଇଛନ୍ତି ବରଦରାଜନ୍। ଏହି ଉତ୍ସବରେ ‘ସମ୍ବାଦ’ର ଶୁଭେଚ୍ଛୁ ଓ ରାଜ୍ୟର ବୁଦ୍ଧିଜୀବୀମାନେ ଯୋଗ ଦେବାପାଇଁ ‘ସମ୍ବାଦ’ ପରିବାର ତରଫରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର