‘ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରି ଉତ୍କର୍ଷର ଉପାସକ ହେବୁ’

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮ ପାଇଁ ପ୍ରସ୍ତୁତି ଆରମ୍ଭ

ଜାନୁଆରି ୧୯ରେ ହେବ ସମ୍ବର୍ଦ୍ଧନା ଉତ୍ସବ
ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଆବେଦନ କରିବାର ଶେଷ ତାରିଖ ୬ ଜାନୁଆରି

ଭୁବନେଶ୍ୱର : ନୂଆବର୍ଷ ୨୦୧୮ କାହା ପାଇଁ କ’ଣ ହୋଇପାରେ କିନ୍ତୁ ‘ସମ୍ବାଦ’ ପାଇଁ ଏହା ସ୍ୱତନ୍ତ୍ର ଅନୁଭବ ଆଣିଦେବ। ଓଡ଼ିଶା ତଥା ଦେଶର ସଫଳ ଉଦ୍ୟୋଗୀମାନଙ୍କ ଗହଣରେ ନୂଆ ବର୍ଷ ପାଳନ କରାଯିବ। ଯେଉଁମାନେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରି ଓଡ଼ିଶା ବାହାରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି ଏବଂ ଦେଶରେ ଓଡ଼ିଶାକୁ ଗର୍ବିତ କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରି ‘ସମ୍ବାଦ’ ଉତ୍କର୍ଷର ଉପାସକ ହେବା ନେଇ ଅଭିଳାଷ ରଖିଛି ବୋଲି ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଆଜି ହୋଟେଲ ନ୍ୟୁ ମାରିଅନ ପରିସରରେ ‘ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଘୋଷଣା କରି ଶ୍ରୀ ପଟ୍ଟନାୟକ ଏହି ମତ ରଖିଛନ୍ତି।

ଆଜି ଅପରାହ୍ଣରେ ଏହାର ସ୍ୱତନ୍ତ୍ର ଲୋଗୋ ଉନ୍ମୋଚନ ଉତ୍ସବରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ଆସନ୍ତାବର୍ଷ ଜାନୁଆରି ୧୯ ତାରିଖରେ ଭୁବନେଶ୍ୱରର ହୋଟେଲ କ୍ରାଉନରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସଫଳ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଆଜିର ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓଡ଼ିଶାରେ ଉତ୍କର୍ଷ ହାସଲ କରିଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ସମ୍ମାନିତ କରିବା ପାଇଁ ‘ସମ୍ବାଦ’ର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିିଥିଲେ। ସେ କହିଲେ, ଯେକୌଣସି ଦେଶର ଅଗ୍ରଗତି ଶିଳ୍ପ ଉପରେ ନିର୍ଭରଶୀଳ। ଅର୍ଥନୀତିରେ ଅଭିବୃଦ୍ଧିରେ ଶିଳ୍ପର ଯୋଗଦାନ ଅଧିକ ରହିଥାଏ। ରାଜ୍ୟରେ ପ୍ରଚୁର ପରିମାଣର ଖଣିଜ ସମ୍ପଦ ଥିଲେ ମଧ୍ୟ ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ହୋଇଥିବାରୁ ଆମର ବିକାଶ ଯେଭଳି ହେବା କଥା ତାହା ହୋଇପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ୨୦୨୦ ସୁଦ୍ଧା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ୩ଟି ଷ୍ଟାର୍ଟଅପ୍‌ କେନ୍ଦ୍ର ମଧ୍ୟରେ ସ୍ଥାନିତ କରିବା ଲାଗି ପ୍ରଚେଷ୍ଟା ଚଳାଇଛନ୍ତି। ସେହି ସମୟ ସୁଦ୍ଧା ରାଜ୍ୟରେ କିଭଳି ୧୦୦୦ ଷ୍ଟାର୍ଟଅପ୍‌ ଉଦ୍ୟୋଗୀ ସୃଷ୍ଟି ହେବେ ତାହାକୁ ପ୍ରଧାନ୍ୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଶିଳ୍ପସଂସ୍ଥା ଓ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ସମ୍ବାଦ’ ଯେଉଁ ଉଦ୍ୟମ ଆରମ୍ଭ କରିଛି ତାହା ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ସାମଲ କହିଥିଲେ।

ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଏହା ମଧ୍ୟ କହିଥିଲେ ସମ୍ବାଦପତ୍ରଗୁଡ଼ିକ ଅନ୍ୟମାନଙ୍କର ଭୁଲକୁ ଖୋଜିଥାନ୍ତି ଏବଂ ଭଲ କଥାକୁ ଅଣଦେଖା କରିଥାନ୍ତି ବୋଲି ସାଧାରଣରେ ଧାରଣା ରହିଛି। ସେହି କଥାକୁ ଭୁଲ ପ୍ରମାଣିତ କରିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ସମ୍ବାଦ ପକ୍ଷରୁ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମ ମୋ ମତରେ ଏକ ସତସଙ୍ଗ। କାରଣ ଯେଉଁମାନଙ୍କୁ ଆମେ ସମ୍ବର୍ଦ୍ଧିତ କରିବୁ ସେମାନେ କେବଳ ଓଡ଼ିଶାର ବ୍ରାଣ୍ଡ୍‌ ହୋଇ ନଥିବେ ସାରା ଭାରତ ପାଇଁ ସଫଳତାର ବିନ୍ଧାଣି ହୋଇ ରହିଥିବେ। ଓଡ଼ିଶାରେ ୮୦ ଦଶକରେ ହଜାରେ ଦିନରେ ହଜାରେ ଶିଳ୍ପର ପରିକଳ୍ପନା କରାଯାଇଥିଲା। ଏହାପରେ ବୃହତ୍‌ ଶିଳ୍ପ ସ୍ଥାପନ ପାଇଁ ମଧ୍ୟ ପ୍ରୟାସ କରାଯାଇଛି। କିନ୍ତୁ ଯେତିକି ସଫଳତା ମିଳିବା କଥା ତାହା ମିଳିନାହିଁ। ଏହା ସତ୍ତ୍ୱେ ମାନ୍ଦାବସ୍ଥା ସମୟରେ ବି ଯେଉଁମାନେ ଉତ୍କର୍ଷ ଲାଭ କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏହା ଏକ ଛୋଟ ପ୍ରୟାସ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଆଜିର ଉତ୍ସବରେ ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଏହି ସମ୍ବାଦ କର୍ପୋରେଟ ଏକ୍ସେଲେନ୍ସ ଆଓ୍ଵାର୍ଡ଼ ସମ୍ପର୍କରେ ବିସ୍ତତ ସୂଚନା ଦେବା ସହ ଶିଳ୍ପ ସଂସ୍ଥାମାନେ ଏହି ପୁରସ୍କାର ପାଇବା ପାଇଁ କେମିତି ଆବେଦନ କରିବେ ତାହା ପ୍ରକାଶ କରିଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ସେ କହିଥିଲେ ଓଡ଼ିଶାରେ ଗଣମାଧ୍ୟମ ଓ ମନୋରଂଜନ ଶିଳ୍ପ କ୍ଷେତ୍ରରେ ସମ୍ବାଦ ଗ୍ରୁପ୍‌ ଏକ ସ୍ତମ୍ଭ ସ୍ଥାପନ କରିଛି। ଏବେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ବାଦ ପକ୍ଷରୁ ଏଭଳି ନୂଆ ପଦକ୍ଷେପ ନିଆଯାଇଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବାଦର ଭୁବନେଶ୍ୱର ମହାନଗର ସଂସ୍କରଣର ମୁଖ୍ୟ ଗୌତମବୁଦ୍ଧ ଦାସ ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କର୍ପୋରେଟ ସଂସ୍ଥା ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

କେଉଁମାନେ ଆବେଦନ କରିପାରିବେ

ଏହି ପୁରସ୍କାର ଆବେଦନ ପାଇଁ ବ୍ରାଣ୍ଡ୍‌/କମ୍ପାନି ଗୁଡ଼ିକ ନିମନ୍ତେ ୩ଟି ପ୍ରାକ୍‌ ଯୋଗ୍ୟତା ରଖାଯାଇଛି। ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଲା କମ୍ପାନିର ପଞ୍ଜୀକରଣ ଓ ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାରେ ହୋଇଥିବ। ଦ୍ୱିତୀୟରେ କମ୍ପାନିର ଉତ୍ପାଦ ବା ସେବାର ଉପସ୍ଥିତି ଓଡ଼ିଶା ବାହାରେ ରହିଥିବ। ତୃତୀୟ ଯୋଗ୍ୟତାଟି ହେଲା କମ୍ପାନିଟି ନିଶ୍ଚିତ ଭାବେ ୩ ବର୍ଷ ଧରି ସକ୍ରିୟ ହୋଇଥିବ।

କେମିତି ଆବେଦନ କରିବେ

ଏହି ପୁରସ୍କାର ପାଇଁ ଆବେଦନ କରିବାକୁ ହେଲେ ଜଣକୁ www.sambadawards.in ଓ୍ଵବସାଇଟ୍‌କୁ ଯିବାକୁ ହେବ। ଏହି ଓ୍ଵବସାଇଟ୍‌ରୁ ଆବେଦନ ଫର୍ମକୁ ସହଜରେ ଡାଉନ୍‌ଲୋଡ କରାଯାଇ ପାରିବ ଏବଂ ଏହି ଆବେଦନ ଫର୍ମକୁ ପୂରଣ କରି ୨୦୧୮ ଜାନୁଆରି ୬ ତାରିଖ ସୁଦ୍ଧା ଦାଖଲ କରିବାକୁ ହେବ। ଯଦି ଏ ନେଇ କାହା ମନରେ କୌଣସି ପ୍ରଶ୍ନ ରହିଥାଏ ତାହେଲେ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି।

ଚୟନ ପ୍ରକ୍ରିୟା

ଚୟନ ପ୍ରକ୍ରିୟା ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ହେବ। କମ୍ପାନି/ବ୍ରାଣ୍ଡ୍‌ ଗୁଡ଼ିକ ସେମାନଙ୍କ ସମ୍ପର୍କରେ ନିଜଆଡ଼ୁ ଯାଞ୍ଚ ହୋଇଥିବା ସୂଚନା ଦେବେ। ଏହି ସୂଚନାକୁ ଅଭିଜ୍ଞ ଓ ନିରପେକ୍ଷ ବିଚାରକ ମଣ୍ଡଳୀ ବିଚାର କରି ବିଜେତା ଚୟନ କରିବେ। ବିଚାରକମଣ୍ଡଳୀ ନେଇଥିବା ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ବିବେଚନା କରାଯିବ।

କେଉଁ ବର୍ଗରେ ଦିଆଯିବ ପୁରସ୍କାର

ମୁଖ୍ୟତଃ ବ୍ରାଣ୍ଡ୍‌/କମ୍ପାନିଗୁଡ଼ିକୁ ପିଏସ୍‌ୟୁ, ଲାର୍ଜ ଏଣ୍ଟରପ୍ରାଇଜ୍‌, ମିଡିୟମ୍‌ ଏଣ୍ଟରପ୍ରାଇଜ୍‌, ସ୍ମଲ୍‌ ଏଣ୍ଟରପ୍ରାଇଜ୍‌, ଏବଂ ଏମର୍ଜିଂ ଏଣ୍ଟରପ୍ରାଇଜ୍‌ ଏହିଭଳି ୫ଟି ବର୍ଗରେ ପୁରସ୍କୃତ କରାଯିବ। ପ୍ରତ୍ୟେକ ବର୍ଗରେ ପ୍ଲାଟିନମ୍‌, ଗୋଲ୍‌ଡ ଓ ସିଲ୍‌ଭର ଏହିଭଳି ମୋଟ ୧୫ଟି ପୁରସ୍କାର ପ୍ରଦାନ କରାଯିବ। ଯେଉଁସବୁ ବର୍ଗରେ ପୁରସ୍କାର ଦିଆଯିବ ସେଗୁଡ଼ିକ ହେଲା:
ବ୍ରାଣ୍ଡ୍‌ ଅଫ୍‌ ଦି ଇୟର-ପିଏସ୍‌ୟୁ
(ପ୍ଲାଟିନମ୍‌, ଗୋଲ୍‌ଡ ଓ ସିଲ୍‌ଭର)
ବ୍ରାଣ୍ଡ୍‌ ଅଫ୍‌ ଦି ଇୟର-ଲାର୍ଜ
(ପ୍ଲାଟିନମ୍‌, ଗୋଲ୍‌ଡ ଓ ସିଲ୍‌ଭର)
ବ୍ରାଣ୍ଡ୍‌ ଅଫ୍‌ ଦି ଇୟର-ମିଡିୟମ୍‌
(ପ୍ଲାଟିନମ୍‌, ଗୋଲ୍‌ଡ ଓ ସିଲ୍‌ଭର)
ବ୍ରାଣ୍ଡ୍‌ ଅଫ୍‌ ଦି ଇୟର-ସ୍ମଲ
(ପ୍ଲାଟିନମ୍‌, ଗୋଲ୍‌ଡ ଓ ସିଲ୍‌ଭର)
ବ୍ରାଣ୍ଡ୍‌ ଅଫ୍‌ ଦି ଇୟର-ଇମର୍ଜିଂ
(ପ୍ଲାଟିନମ୍‌, ଗୋଲ୍‌ଡ ଓ ସିଲ୍‌ଭର)

ସମ୍ବନ୍ଧିତ ଖବର