‘ସମ୍ବାଦ’ର ପ୍ରୋତ୍ସାହନ ସ୍ୱାଗତଯୋଗ୍ୟ: ଦିଲୀପ ରାୟ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡସ୍‌ ଅଫ ଓଡ଼ିିଶା, ପ୍ରାଇଡ୍‌ ଅଫ ଇଣ୍ଡିଆ- ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ -୨୦୧୮କୁ ନେଇ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ଶିଳ୍ପୋଦ୍ୟୋଗୀମାନଙ୍କୁ ଅଗ୍ରସର ହେବା ପାଇଁ ପ୍ରେରଣା ଦେବ ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଶିଷ୍ଟ ରାଜନେତା ତଥା ମେଫେୟାର ହୋଟେଲ୍‌ ଏଣ୍ଡ୍‌ ରିସର୍ଟସର ସିଏମ୍‌ଡି ଦିଲୀପ ରାୟଙ୍କ ମତାମତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା…।

ସଫଳ ଶିଳ୍ପସଂସ୍ଥାକୁ ସମ୍ମାନିତ କରିବା ପାଇଁ ସମ୍ବାଦ ପକ୍ଷରୁ ହେଉଥିବା ଏହି ଆଓ୍ଵାର୍ଡ ସମ୍ପର୍କରେ ଆପଣଙ୍କ ମତ କ’ଣ ?
ସଫଳ ଶିଳ୍ପୋଦ୍ୟୋଗୀଙ୍କୁ ସମ୍ବାଦ ମାଧ୍ୟମରେ ଯେଉଁ ପ୍ରୋତ୍ସାହନ ଦିଆଯାଉଛି ତାହା ସ୍ୱାଗତଯୋଗ୍ୟ। ଓଡିଶାର ଅନ୍ୟ କେହି ଏପରି କାର୍ଯ୍ୟକ୍ରମ କରୁ ନାହାନ୍ତି। ସମ୍ବାଦର ଏହି ପ୍ରୟାସ ଓଡ଼ିଶାରେ ଶିଳ୍ପ ବିକାଶ ଓ ନିଯୁକ୍ତି ସମ୍ଭାବନା ସୃଷ୍ଟିରେ ସହାୟକ ହେବ।

ଖଣିଜଭିତ୍ତିକ ଶିଳ୍ପ ବ୍ୟତୀତ ଓଡ଼ିଶାରେ ଅନ୍ୟ କେଉଁ କେଉଁ କ୍ଷେତ୍ର ଶିଳ୍ପ ସମ୍ଭାବନା ବହନ କରେ। ବିଶେଷକରି ରାଜ୍ୟରେ ହୋଟେଲ ଶିଳ୍ପର ଭବିଷ୍ୟତ କେମିତି ?
ରାଜ୍ୟରେ ଖଣିଜଭିତ୍ତିକ ଶିଳ୍ପ ଚରମ ସ୍ତରରେ ପହଞ୍ଚିଛି, ତେଣୁ କଞ୍ଚାମାଲ ଉପଲବ୍ଧ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ। ତେବେ ଓଡ଼ିଶାରେ ଏମିତି ଅନେକ ସବୁଜ କ୍ଷେତ୍ର ଅଛି; ଯେଉଁଠି ନୂଆ ଶିଳ୍ପ ସମ୍ଭାବନା ଆବିଷ୍କାରଯୋଗ୍ୟ। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଅନେକ ସମ୍ଭାବନା ବହନ କରେ। ମାତ୍ର ଏହାର ବିକାଶ ଆଶାନୁରୂପ ହୋଇପାରିନି। ଆମେ କେବଳ କଟକ, ପୁରୀ, ଭୁବନେଶ୍ୱର ଭଳି ଅଞ୍ଚଳରେ ସୀମିତ ରହୁଛନ୍ତି। ଫୁଲବାଣୀରୁ ସୁନ୍ଦରଗଡ଼ ଯାଏ ପଶ୍ଚିମ ଓଡ଼ିଶାରେ ଅନେକ ମନୋରମ ପ୍ରାକୃତିକ ଦୃଶ୍ୟରାଜି, ବିରଳ ଲୋକ ସଂସ୍କୃତି ଦେଶ-ବିଦେଶର ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଯଥେଷ୍ଟ।

ପର୍ଯ୍ୟଟନରେ କେବଳ ଯେ କର୍ମନିଯୁକ୍ତିର ବ୍ୟାପକ ସୁଯୋଗ ରହିଛି ତାହା ନୁହେଁ, ବରଂ ଏହା ଜରିଆରେ ରାଜସ୍ୱ ଅଭିବୃଦ୍ଧିର ଉଜ୍ୱଳ ସମ୍ଭାବନା ଅଛି। ବାଣିଜ୍ୟ ଓ ପର୍ଯ୍ୟଟନ ବିକାଶ ହେଲେ ହୋଟେଲ୍‌ ଶିଳ୍ପ ଉତ୍ସାହିତ ହେବ। କୃଷି ଶିଳ୍ପ ଓ ବିଶେଷକରି ଖାଦ୍ୟ ପ୍ରକ୍ରିୟାକରଣ ଓଡ଼ିଶା ପାଇଁ ବିପୁଳ ସମ୍ଭାବନା ବହନ କରେ। ଅନ୍ତର୍ଜାତୀୟ ଚାହିଦା ବହନ କରୁଥିବା ମକା, ମାଣ୍ଡିଆ ଭଳି ଶସ୍ୟଠାରୁ ଆରମ୍ଭ କରି ବିଭିନ୍ନ ଋତୁରେ ପର୍ଯ୍ୟାପ୍ତ ଭାବେ ଉପଲବ୍ଧ ଆମ୍ବ, ପଣସ, ପିଜୁଳି ଆଦି ଫଳର ମୂଲ୍ୟଯୁକ୍ତ କାରବାର ପାଇଁ ଖାଦ୍ୟ ପ୍ର୍ରକିୟାକରଣ ଅତ୍ୟନ୍ତ ସମୟୋପଯୋଗୀ। ଏହାଛଡ଼ା ସାମୁଦ୍ରିକ ଖାଦ୍ୟର ପ୍ରକ୍ରିୟାକରଣ ମଧ୍ୟ ବୈଦେଶିକ ମୁଦ୍ରା ଆୟକୁ ଉତ୍ସାହିତ କରିବ। ତେବେ ଉତ୍ପାଦିତ କୃଷିଜାତ ଦ୍ରବ୍ୟଗୁଡ଼ିକୁ ନଷ୍ଟ କିମ୍ବା ଅଭାବୀ ବିକ୍ରିରୁ ରକ୍ଷା କରିବା ପାଇଁ ରାଜ୍ୟରେ ଶୀତଳ ଭଣ୍ଡାର ଆନ୍ଦୋଳନ ଜରୁରୀ।

ପାଖାପାଖି ୫୦ଟି ଖଣିଜଭିତ୍ତିକ ଶିଳ୍ପସଂସ୍ଥା ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି। ହେଲେ ସେଥିରୁ ହାତଗଣତି ସଂସ୍ଥା ଉତ୍ପାଦନକ୍ଷମ, ଅନ୍ୟଗୁଡିକର ସ୍ଥିତି ଅସ୍ପଷ୍ଟ। କେବଳ ଖଣି ଆଶାରେ ଅନ୍ୟ ଶିଳ୍ପସଂସ୍ଥାମାନେ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ କି?
ହଁ, ଏଥିପାଇଁ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ। ବାସ୍ତବରେ ଯେଉଁମାନଙ୍କର ଶିଳ୍ପ ସଂସ୍ଥା ରହିଛି ସେମାନଙ୍କ ନିକଟରେ ଖଣି ନାହିଁ। ଖଣି ଲିଜ୍‌ ପାଇଁ ବ୍ରିଟିଶ ଶାସନ କାଳରୁ ଚାଲିଆସିଥିବା ‘ଫାଷ୍ଟ କମ୍‌ ଫାଷ୍ଟ ସର୍ଭିସ’ ନୀତି ଅତ୍ୟନ୍ତ ଅବାଞ୍ଛିତ। ଏହି ନୀତି ରାଜ୍ୟରେ ଖଣିଜଭିତ୍ତିକ ଶିଳ୍ପ ବିକାଶରେ ପ୍ରତିବନ୍ଧକ ସାଜିଥିଲା।

ଅନେକ ଶ୍ରମିକ ସଙ୍ଗଠନର ଆଶଙ୍କା ଆର୍‌ଏସ୍‌ପି ସମେତ ସେଲ୍‌ ପରିଚାଳନାଧୀନ ଇସ୍ପାତ କାରଖାନାଗୁଡିକର ଘରୋଇକରଣ ହେବ। ଆପଣ ଏମିତି କିଛି ଆଶଙ୍କା କରୁଛନ୍ତି କି?
ଏଭଳି କିଛି ପ୍ରସ୍ତାବ ନାହିଁ, ସେଭଳି ଆଶଙ୍କା ଭିତ୍ତିହୀନ।

ଶିଳ୍ପ ସହର ଝାରସୁଗୁଡ଼ା ଓ ଅନୁଗୁଳ ଅତ୍ୟନ୍ତ ପ୍ରଦୂଷିତ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସତର୍କ କରାଇଛନ୍ତି। ଏଭଳି ମାତ୍ରାଧିକ ଶିଳ୍ପାୟନ ପ୍ରଦୂଷଣ ଜ୍ୱାଳାକୁ ଅଧିକ ବିପଦଜ୍ଜନକ କରିବ କି?
କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଭବିଷ୍ୟତ ପାଇଁ ବିପଦଜ୍ଜନକ। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପ ସଂସ୍ଥାର ବିଷାକ୍ତ ବର୍ଜ୍ୟ ଓ ବିଭିନ୍ନ ସହରାଞ୍ଚଳରୁ ଦୈନିକ ବାହାରୁଥିବା କଠିନ ଓ ତରଳ ବର୍ଜ୍ୟ ବିନା ଟ୍ରିଟ୍‌ମେଣ୍ଟରେ ନଦୀରେ ମିଶୁଥିବାରୁ ଜଳ ଦୂଷିତ ହେଉଛି। ଶିଳ୍ପ ସଂସ୍ଥାଗୁଡ଼ିକ କଟକଣା ନମାନି ବାୟୁ ପ୍ରଦୂଷଣ କରୁଛନ୍ତିି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ କ୍ଷେତ୍ରରେ ଅଧିକ କଠୋର ହେବା ଉଚିତ୍‌।

ରାଜ୍ୟ ସରକାରଙ୍କ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌କୁ ୧୦ ନମ୍ବରରୁ କେତେ ମାର୍କ ଦେବେ?
ଏହି ନୀତି ଆରମ୍ଭ ହୋଇଛି ମାତ୍ର ବାସ୍ତବରେ ଏହା କେତେ ଉପଯୋଗୀ ଆଗାମୀ ଦିନରେ ଜଣାପଡ଼ିବ। ସେତେବେଳେ ମୁଁ ମାର୍କ ଦେଇ ପାରିବି।

ସମ୍ବନ୍ଧିତ ଖବର