ଏହି ପୁରସ୍କାର ସୁସ୍ଥ ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବାତାବରଣ ସୃଷ୍ଟି କରିବ: ଅଭିଜିତ୍‌ ପତି

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ଆଗାମୀ ଜାନୁଆରି ୧୯ ତାରିଖରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ-ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି। ସମ୍ବାଦର ଏହି ପ୍ରୟାସକୁ ସେମାନେ ପ୍ରଶଂସା କରିଛନ୍ତି। ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଥିବା କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ପୂର୍ବରୁ ଏଭଳି କୌଣସି ମଞ୍ଚ ନଥିଲା ବୋଲି ସେମାନେ ମତ ଦେଇଛନ୍ତି। ଏହି ପୁରସ୍କାରର ପ୍ରଭାବ ବିଜୟୀ ସଂସ୍ଥାଗୁଡ଼ିକୁ ଲୋକମାନଙ୍କର ଅଧିକ ନିକଟତର କରିବ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌, ଝାରସୁଗୁଡ଼ାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଜିତ ପତିଙ୍କ ମତାମତକୁ ନେଇ ‘ସମ୍ବାଦ’ର ସ୍ୱତନ୍ତ୍ର ଉପସ୍ଥାପନା।

ଏ ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କଣ?
ସମ୍ବାଦ ଗ୍ରୁପ୍‌ ଓଡ଼ିଶାରେ ଏକ ଅତ୍ୟନ୍ତ ସମ୍ମାନସ୍ପଦ ସଂସ୍ଥା। ସେମାନଙ୍କର ସୁଦୃଢ଼ ଉପସ୍ଥିତି ଏହି ପୁରସ୍କାରକୁ ଅତୁଳନୀୟ ଓ ସମ୍ମାନଜନକ କରିପାରିଛି। ଏଭଳି ପୁରସ୍କାର ସ୍ଥାପନ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ।
ଏହା ଓଡ଼ିଶାର ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ କି?
ବାସ୍ତବରେ ଏହି ପୁରସ୍କାର ଓଡ଼ିଶାରେ ସୁସ୍ଥ ଏବଂ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ଶିଳ୍ପ ବାତାବରଣ ସୃଷ୍ଟି କରିବ ଏବଂ ତାହାକୁ ସୁଦୃଢ଼ ମଧ୍ୟ କରିବ।
ଆପଣ ଭାବୁନାହାନ୍ତି କି ଏଭଳି ପୁରସ୍କାର ବର୍ତ୍ତମାନ ସମୟର ଆବଶ୍ୟକତା?
ଏକ ଗଣମାଧ୍ୟମ ସଂସ୍ଥା ତରଫରୁ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଓଡ଼ିଶା ଏବେ ପ୍ରଗତି ପଥରେ ରହିଛି ଏବଂ ଏଭଳି ପୁରସ୍କାର ସମସ୍ତଙ୍କୁ ଶ୍ରେଷ୍ଠ ପଦ୍ଧତି ଏବଂ ଉତ୍କର୍ଷ ଆପଣେଇବା ପାଇଁ ଉତ୍ସାହିତ କରିବ।
ଏହି ପୁରସ୍କାର ନୂଆ ପିଢ଼ିଙ୍କୁ ଉଦ୍ୟୋଗୀ ହେବା ପାଇଁ ଅନୁପ୍ରାଣିତ କରିବ କି?
ଏହି ପୁରସ୍କାର ନିଶ୍ଚିତ ଭାବେ ନୂଆ ବର୍ଗର ଉଦ୍ୟୋଗୀଙ୍କୁ ଅନୁପ୍ରାଣିତ କରିବ। ଏହା ଓଡ଼ିଶାରେ ଷ୍ଟାର୍ଟ-ଅପ୍‌ ବିପ୍ଳବ ଆରମ୍ଭ କରିପାରେ।
ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା ଉପରେ ଆପଣଙ୍କ ମତ କଣ?
ବର୍ତ୍ତମାନ ସୁଦ୍ଧା ଶିଳ୍ପାୟନ ଧାରା ଉତ୍ସାହଜନକ ରହିଛି। ମାତ୍ର ଓଡ଼ିଶା ପାଖରେ ଥିବା ସୁଯୋଗକୁ ଏ ପର୍ଯ୍ୟନ୍ତ ପୂର୍ଣ୍ଣ ବିନିଯୋଗ କରାଯାଇପାରିନାହିଁ। ଯଦି କେତେକ ଜିନିଷକୁ ଠିକ୍‌ ଭାବେ ପରିଚାଳନା କରାଯାଇପାରିବ ତେବେ ରାଜ୍ୟର ସାମାଜିକ-ଅର୍ଥନୈତିକ ସ୍ଥିତିରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରିବ।
ଶିଳ୍ପାୟନର ଗତି ବଢ଼ାଇବା ପାଇଁ କଣ କରାଯିବା ଦରକାର?
ନିରନ୍ତର ଅଭିବୃଦ୍ଧି ହାସଲ କରିବାକୁ ହେଲେ ପ୍ରାକୃତିକ ସମ୍ବଳ ଭିତ୍ତିକ ଶିଳ୍ପ କ୍ଷେତ୍ରରେ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଗଲେ ଭଲ ହେବ।
କେଉଁ କ୍ଷେତ୍ର ସରକାରଙ୍କ ସହାୟତା ଆବଶ୍ୟକ କରୁଛି?
ମାନୁଫାକ୍‌ଚରିଂ ହେଉଚି ଏକ କ୍ଷେତ୍ର ଯାହା ତତ୍କାଳ ସହାୟତା ଆବଶ୍ୟକ କରୁଛି।
କେଉଁ କ୍ଷେତ୍ରରେ ଶିଳ୍ପ ଜଗତ ପାଇଁ ଅଧିକ ସୁଯୋଗ ରହିଛି?
ମାନୁଫାକ୍‌ଚରିଂ ଏବଂ ସେବା କ୍ଷେତ୍ର।
ରାଜ୍ୟର ସହଜ ବ୍ୟବସାୟ ବାତାବରଣରେ ଉନ୍ନତି ଆଣିବା ପାଇଁ ସରକାର କ’ଣ କରିବା ଦରକାର?
ଶିଳ୍ପ ସଂସ୍ଥାଗୁଡ଼ିକର ରହିଥିବା ସମସ୍ୟାଗୁଡ଼ିକ ବିଷୟରେ ଜାଣିବା ପାଇଁ ସରକାର ନିୟମିତ ବ୍ୟବଧାନରେ ସମସ୍ତ ଅଂଶୀଦାରଙ୍କ ସହିତ ଆଲୋଚନା କରିବା ଦରକାର ଏବଂ ସେହି ଅନୁସାରେ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରିବା ଉଚିତ।

ସମ୍ବନ୍ଧିତ ଖବର