ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ସମା‌ରୋହ ଆଜି

ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ‘ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୧୯’ର ପୁରସ୍କାର ପ୍ରଦାନ ସମାରୋହ ୧୯ ତାରିଖ ଶନିବାର ଅନୁଷ୍ଠିତ ହେବ। ଭୁବନେଶ୍ବରର ହୋଟେଲ ମେ’ ଫେୟାର କନ୍‌ଭେନ୍‌ସନ୍‌ ହଲ୍‌ରେ ଏହି ଉତ୍ସବ ଅପରାହ୍ନ ୫ଟା ୩୦ରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟର ସଫଳ ଉଦ୍ୟୋଗୀମାନଙ୍କୁ ଏହି ଉତ୍ସବରେ ପୁରସ୍କୃତ କରିବେ। ଏଥିରେ ସମ୍ବାଦର ସମ୍ପାଦକ ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏବଂ ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଯୋଗଦେବେ।

ରାଜ୍ୟର ସଫଳ ଉଦ୍ୟୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିବା ଲାଗି ସମ୍ବାଦ ପକ୍ଷରୁ ଗତବର୍ଷଠାରୁ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ପ୍ରଦାନ କରାଯାଇ ଆସୁଛି। ଚଳିତ ବର୍ଷ ହେଉଛି ଏହି ପୁରସ୍କାରର ଦ୍ବିତୀୟ ସଂସ୍କରଣ। ଏଥର ୫ଟି ବର୍ଗରେ ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରାଯିବ। ସେହି ବର୍ଗ ଗୁଡ଼ିକ ହେଲା କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ(ସିଏସଆର), ଲାର୍ଜ(ବୃହତ୍), ମିଡିୟମ୍‌(ମଧ୍ୟମ), ସ୍ମଲ୍‌(କ୍ଷୁଦ୍ର) ଏବଂ ଏମର୍ଜିଂ(ଉଦୀୟମାନ)। ପ୍ରତ୍ୟେକ ବର୍ଗରୁ ଉଦ୍ୟୋଗୀମାନଙ୍କୁ ଚୟନ କରାଯାଇ ପ୍ଲାଟିନମ, ସ୍ବର୍ଣ୍ଣ ଏବଂ ରୌପ୍ୟ ଭଳି ତିନି ପ୍ରକାର ପୁରସ୍କାର ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ଆୟୋଜନ ନେଇ ବିଶେଷ ସୂଚନା ଗତ ନଭେମ୍ବରରେ ଦିଆଯାଇଥିଲା ଏବଂ ସ୍ବତନ୍ତ୍ର ଲୋଗୋକୁ ଉନ୍ମୋଚନ କରାଯାଇଥିଲା। ଏହାପରେ କମ୍ପାନିଗୁଡ଼ିକ ଠାରୁ ଆବେଦନ ଆହ୍ବାନ କରାଯାଇଥିଲା। ଚଳିତବର୍ଷ ଜାନୁଆରି ୪ରେ ଆବେଦନ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିଲା। ଏହାପରେ ବିଚାରକ ମଣ୍ଡଳୀଙ୍କ ଏକ ବୈଠକରେ ବିଜେତାମାନଙ୍କୁ ଚୟନ କରାଯାଇଛି। ସେମାନଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯିବ।

ଚଳିତବର୍ଷ ପ୍ରଥମଥର ପାଇଁ ଏହି ପୁରସ୍କାରରେ ସିଏସ୍‌ଆର୍‌ ବର୍ଗକୁ ସାମିଲ କରାଯାଇଛି। ଏହି ପୁରସ୍କାର ପାଇବା ପାଇଁ ଉଦ୍ୟୋଗୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଗତ ସଂସ୍କରଣ ତୁଳନାରେ ଏଥର ଦୁଇ ଗୁଣରୁ ଅଧିକ ଆବେଦନ ମିଳିଥିଲା।

ସମ୍ବନ୍ଧିତ ଖବର