ଭୁବନେଶ୍ୱର : ପ୍ରତି ଘରେ ମାନବିକ ଆବେଦନ ରହିଛି। ଗଳ୍ପ, କବିତା ଓ ଉପନ୍ୟାସ ସେଇଠୁ ଜନ୍ମ ନିଏ। ତେବେ ସହର ନୁହେଁ, ବରଂ ଗ୍ରାମୀଣ ସାହିତ୍ୟରେ ଓଡ଼ିଶାର ଆତ୍ମା ଲୁଚି ରହିଛି। ତେଣୁ ଭବିଷ୍ୟତରେ ଗାଁ’ରୁ ହିଁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି ଜ୍ଞାନପୀଠ ବିଜୟିନୀ ଔପନ୍ୟାସିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ।
Sambad is now on WhatsApp
Join and get latest news updates delivered to you via WhatsApp
ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆଜି ଅନୁଷ୍ଠିତ ‘ସମ୍ବାଦ ସାହିତ୍ୟ ଘର’ର ୫ମ ରାଜ୍ୟସ୍ତରୀୟ ସମାବେଶରେ ଅତିଥି ଭାବେ ଯୋଗଦେଇ ଡ. ରାୟ କହିଲେ, ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି ହେଲେ ଖାଲି ସାହିତ୍ୟ ବଞ୍ଚିବ ନାହିଁ। ପଠନ ଓ ବ୍ୟବହାର ସାହିତ୍ୟକୁ ବଞ୍ଚାଇ ରଖିବ। ଶିଶୁ ସାହିତ୍ୟ ସମ୍ପର୍କରେ ସେ ମତ ରଖି କହିଲେ, ଶିଶୁର ମନସ୍ତତ୍ୱକୁ ନେଇ ଲେଖିବା ସହଜ ନୁହେଁ। ତେଣୁ ଶିଶୁଙ୍କ ପାଇଁ ଲେଖିବା ଓ ଶିଶୁଙ୍କୁ ଲେଖାଇବା ଆମର ଦାୟିତ୍ୱ। ସେମାନେ ହିଁ ଭବିଷ୍ୟତରେ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିବେ। ଏଥିପାଇଁ ଶିଶୁଙ୍କୁ ଆକର୍ଷିତ କରିବା ଭଳି ଚିତ୍ରଭିତ୍ତିକ ସାହିତ୍ୟ ସୃଷ୍ଟି ହେଉ। ବିଦ୍ୱାନ ଓ ପ୍ରତିଷ୍ଠିତ ବ୍ୟକ୍ତି ପଖାଳ ଓ ଓଡ଼ିଆ ଖାଦ୍ୟ ଛାଡ଼ିପାରୁନାହାନ୍ତି। କିନ୍ତୁ ଘରେ ଭାଷା କାହିଁକି ବ୍ୟବହାର କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।
ଜ୍ଞାନପୀଠ ବିଜେତା କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ‘ସାହିତ୍ୟ ଓ ସାମ୍ବାଦିକତା’ ସମ୍ପର୍କରେ ଉଦ୍ବୋଧନ ଦେଇ କହିଲେ, ସାହିତ୍ୟ ଓ ସାମ୍ବାଦିକତା ପରସ୍ପର ଜଡ଼ିତ। ବିଭିନ୍ନ ଦେଶରେ ଭିନ୍ନଭିନ୍ନ ସମୟରେ ସମ୍ବାଦପତ୍ର ସାହିତ୍ୟ ଜରିଆରେ ଲୋକଙ୍କ ପାଇଁ ଦିଗବାରେଣୀ ହୋଇଛି। ତେଣୁ ସମ୍ବାଦରୁ ସାହିତ୍ୟକୁ ବାଦ୍ ଦେଲେ ସମ୍ବାଦର କିଛି ଅର୍ଥ ରହିବ ନାହିଁ। ସଂପ୍ରତି ସିରିଆରେ ଘଟୁଥିବା ମାନବୀୟ ଦୁଃଖଦ ଘଟଣା, ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସମ୍ପର୍କରେ ଉଦାହରଣ ଦେଇ କହିଲେ, ଏହା କେବଳ ସମ୍ବାଦ ନୁହେଁ ବରଂ ସାହିତ୍ୟ ମଧ୍ୟ। ସମାଜନୀତି, ଅର୍ଥନୀତି ଓ ରାଜନୀତି ସମ୍ପର୍କରେ ସମ୍ବାଦ ଅତ୍ୟନ୍ତ କମ୍ ଲେଖାଯାଉଛି। ତେଣୁ ସମ୍ବାଦପତ୍ରର ଢାଞ୍ଚା ବଦଳିବା ଦରକାର ବୋଲି ସେ କହିଥିଲେ।
‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ପିଲାଙ୍କ ସାହିତ୍ୟ ସମୃଦ୍ଧ ନହେଲେ ଉତ୍ତରପିଢ଼ି ପାଇଁ ଭାଷା ସୁରକ୍ଷିତ ହେବ ନାହିଁ। ପିଢ଼ି ପରେ ପିଢ଼ି ଭାଷାର ବ୍ୟବହାର ନକଲେ ଭାଷା ବଞ୍ଚିବ ନାହିଁ। ତେବେ ପିଲାଙ୍କ ନିକଟରେ ପିଲାଙ୍କ ଭାଷାରେ ଆମ ଭାଷା ସାହିତ୍ୟକୁ ପହଞ୍ଚାଇବାକୁ ପଡ଼ିବ। ଏଥିପାଇଁ ଭାଷା ଓ ସାହିତ୍ୟକୁ କାରିଗରୀ କୌଶଳ ଅନୁକୂଳ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ସାହିତ୍ୟ ଘରର ସଭ୍ୟ/ସଭ୍ୟାମାନେ ଯଦି ରାଷ୍ଟ୍ରର ଅବକ୍ଷୟରେ ଅଙ୍କୁଶ ଆଣିବା ପାଇଁ ସାମର୍ଥ୍ୟ ରଖିପାରିଲେ ଏହି ସମାବେଶ ତା’ର ଯଥାର୍ଥତା ପ୍ରତିପାଦନ କରିପାରିବ ବୋଲି ସେ କହିଥିଲେ। ସାହିତ୍ୟ ଘରର ୧୧ ହଜାର ସଭ୍ୟ/ସଭ୍ୟାମାନେ ରାଜ୍ୟର ୧୦ ହଜାର ଉଚ୍ଚବିଦ୍ୟାଳୟରେ ଓଡ଼ିଆ ଭାଷା ଠିକ୍ ଭାବେ ପଢ଼ା ହେଉଛି କି ନାହିଁ ତାହାର ବେସରକାରୀ ତଦାରଖକାରୀ ଭାବେ ଦାୟିତ୍ୱ ନେବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ।
ପ୍ରାରମ୍ଭରେ ‘ସମ୍ବାଦ’ର ମୁଖ୍ୟ ମହା ପ୍ରବନ୍ଧକ ଅରବିନ୍ଦ ଦାସ ଅତିଥିଙ୍କୁ ମଞ୍ଚକୁ ସ୍ୱାଗତ କରିଥିବା ବେଳେ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ପ୍ରାରମ୍ଭିକ ସୂଚନା ସହ ବିବରଣୀ ପାଠ କରିଥିଲେ। ଶେଷରେ ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ସାହିତ୍ୟ ଘର’ର ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିବା ବେଳେ ବୁଲେଟିନ୍ ଲୋକାର୍ପିତ ହୋଇଥିଲା। ଉତ୍ସବ ଶେଷରେ ଯୋଡ଼ା, ବୈପାରୀଗୁଡ଼ା, ଲେଫ୍ରିପଡ଼ା, କଣାସ, ଶାମାଖୁଣ୍ଟା, ଶାସନ ଝାଡ଼ଖଣ୍ଡ, ଦାନଗଦି, ବିନିକା ସଦର, ଭବାନୀପାଟଣା ଓ ପୋଲସରା ସାହିତ୍ୟଘର ଶାଖାକୁ ପୁରସ୍କୃତ କରାଯାଇଥିଲା।