ସମ୍ବଲପୁର: ଘରଭାଙ୍ଗି ପଡ଼ିବାରୁ ୨ ମୃତ; ୨ ଆହତ

ସମ୍ବଲପୁର: ରବିବାର ସକାଳ ସାଢ଼େ ସାତଟା ପରେ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଡେଙ୍ଗସରଗି ଗ୍ରାମରେ ଗୋଟାଏ ମାଟିଘର ଭାଙ୍ଗି ପଡ଼ିବାରୁ ସେଥିରେ ଥିବା ୨ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।

୨ ମୃତବ୍ୟକ୍ତି ହେଉଛନ୍ତି ୪୦ ବର୍ଷୀୟ ଚହଳା ପ୍ରଧାନ ଏବଂ ତାଙ୍କ ୧୫ ବର୍ଷୀୟ ଝିଅ ଭାଗ୍ୟ। ଆହତଙ୍କ ମଧ୍ୟରେ ଅଛନ୍ତି ଚହଳାଙ୍କ ୧୪ ବର୍ଷିୟ ପୁଅ ଶକ୍ତି ଓ ଝିଅର ପୁଅ ନାତି ୧୦ ବର୍ଷିୟ କାର୍ତ୍ତିକ।

ଚହଳାଙ୍କ ପରିବାର ବସବାସ କରୁଥିବା ମାଟିଘର ପାଖରେ ଜଣେ ପଡ଼ୋଶୀଙ୍କର ପକ୍କାଘର ତିଆରି ଚାଲୁଥିଲା। କୌଣସି କାରଣରୁ ପକ୍କାଘରର ଇଟାକାନ୍ଥ ଭୁଷୁଡ଼ି ଚହଳାଙ୍କ ଘର ଉପରେ ପଡ଼ିବାରୁ ତାଙ୍କ ଘର ମଧ୍ୟ ଭାଙ୍ଗିଯାଇଥିଲା। ଫଳରେ ସେତେବେଳେ ଘରେ ଥିବା ସମସ୍ତ ସଦସ୍ୟ ଭଙ୍ଗାକାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ।

ପଡ଼ୋଶୀମାନେ ସେମାନଙ୍କୁ ଉଦ୍ଧାର କରି ଘରୋଇ ଗାଡ଼ି ଯୋଗେ ସଦର ହସ୍‌ପିଟାଲ୍‌ ନେଇଥିଲେ। ସେଠାରେ ପହଞ୍ଚିଲା ବେଳକୁ ଚହଳା ଓ ଭାଗ୍ୟଙ୍କର ପ୍ରାଣବାୟୁ ଉଡ଼ିଯାଇ ସାରିଥିଲା।

ଗୁରତର ଆହତ ଶକ୍ତି ଓ କାର୍ତ୍ତିକଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର