ଓରିଡିଏଲ୍‌ ହାତରେ ସମ୍ବଲପୁର-ବ୍ରହ୍ମପୁର ରେଳଲାଇନ୍, ଦୈର୍ଘ୍ୟ ୨୪୦ କିଲୋମିଟର, ୧୮ ଷ୍ଟେସନ୍, ୫ ସୁଡ଼ଙ୍ଗ

ନିବେଶକ ଆଗ୍ରହ ଦେଖାଇଲେ ପ୍ରକଳ୍ପର ଭାଗ୍ୟ ଫିଟିବ

ସମ୍ବଲପୁର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଫାଙ୍କା ପଡ଼ିଥିବା ବିଶାଳ ଭୂଭାଗକୁ ଯୋଡ଼ିବା ପାଇଁ ୟୁପିଏ ସରକାର ସମୟରେ ସମ୍ବଲପୁର-ବ୍ରହ୍ମପୁର ରେଳପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ୨୦୧୭ରେ ଗଠିତ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌ (ଓରିଡିଏଲ୍‌) ନାମକ କମ୍ପାନିକୁ ଏହି ପ୍ରକଳ୍ପର ଦାୟିତ୍ବ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଓଡ଼ିଶା ସରକାରଙ୍କ ୫୧% ଓ କେନ୍ଦ୍ର ରେଳ ମନ୍ତ୍ରଣାଳୟର ୪୯% ଭାଗୀଦାରିରେ ସୃଷ୍ଟ ସରକାରୀ କମ୍ପାନି ହେଉଛି ଓରିଡିଏଏଲ୍‌। ଓରିଡିଏଏଲ୍‌ ପୁଣି ଏହି ପ୍ରକଳ୍ପରେ ନିବେଶ ପାଇଁ ବାହ୍ୟ କମ୍ପାନିମାନଙ୍କଠାରୁ ନିବେଶ ଆହ୍ବାନ କରିଛି। ରେଳ କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶ ଓଡ଼ିଶା ପାଇଁ ନୂଆ ହୋଇଥିଲାବେଳେ ଏଥିପାଇଁ ନିବେଶକଙ୍କ ଆଗ୍ରହ ଉପରେ ଏହି ପ୍ରକଳ୍ପର ଭାଗ୍ୟ ନିର୍ଭର କରୁଛି।

ଏହି ପ୍ରକଳ୍ପର ପ୍ରାଥମିକ ଯାନ୍ତ୍ରିକ ଟ୍ରାଫିକ୍ (ପିଇଟି) ସର୍ଭେ ଶେଷ ହୋଇ ରିପୋର୍ଟ ରେଳ ବୋର୍ଡକୁ ପ୍ରଦାନ କରାଯାଇସାରିଛି। ପ୍ରକଳ୍ପ ପ୍ରାରମ୍ଭରେ ସମ୍ବଲପୁର ଓ ବ୍ରହ୍ମପୁର ମଧ୍ୟରେ କରାଯିବାକୁ ଯୋଜନା ଥିଲାବେଳେ ପରବର୍ତ୍ତୀ ସମୟରେ ଜଗନ୍ନାଥପୁରରୁ ରେଢ଼ାଖୋଲ ପର୍ଯ୍ୟନ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାଛଡ଼ା କଦଳୀଗଡ଼ରୁ ବାମୁର ପର୍ଯ୍ୟନ୍ତ ଏକ ୱାଇ ଲିଙ୍କ ଲାଇନ୍‌ କରିବାକୁ ପରବର୍ତ୍ତୀ ସମୟରେ ସ୍ଥିର ହୋଇଛି। ଆରମ୍ଭରୁ ଏହାର ଦୈର୍ଘ୍ୟ ୨୭୦ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲାବେଳେ ପରବର୍ତ୍ତୀ ସମୟରେ ୨୪୦.୫ କିଲୋମିଟରରେ ସୀମିତ ରଖା ଯାଇଛି। ଗଂଜାମ ଜିଲ୍ଲାରୁ ବାହାରି କନ୍ଧମାଳ, ବୌଦ୍ଧ, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ହେବାକୁ ଥିବା ଏହି ରେଳ ଲାଇନ୍‌ରେ ୫ଟି ସୁଡ଼ଙ୍ଗ, ୩୮ଟି ବଡ଼ ପୋଲ, ୧୮୪ଟି କ୍ଷୁଦ୍ର ପୋଲ ରହିବ। ଏହାକୁ ସମ୍ପୂର୍ଣ୍ଣଭାବେ ଲେଭେଲ କ୍ରସିଂ ଶୂନ୍ୟ କରାଯିବ। ଏହି ଲାଇନ୍‌ରେ ମୋଟ ୧୮ଟି ରେଳ ଷ୍ଟେସନ ରହିବ। ଏହି ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ଭାବେ ୨୯୫୭.୪୫ କୋଟି ଟଙ୍କା ନିର୍ମାଣ ଖର୍ଚ୍ଚ ହେବ ବୋଲି ଆକଳନ କରା ଯାଇଥିଲାବେଳେ ବାହ୍ୟ ନିବେଶ ଆହ୍ବାନ ପାଇଁ ଡକା ଯାଇଥିବା ଆବେଦନରେ ଏହା ୫୭୬୫ କୋଟି ଟଙ୍କା ଦର୍ଶାଯାଇଛି। ତ‌ହିଁରେ ଜମି ଅଧିଗ୍ରହଣ ଖର୍ଚ୍ଚ ବି ରହିଛି। ଏହି ପ୍ରକଳ୍ପ ପାଇଁ ୭୩୫ ଏକର କୃଷି ଓ ୩୨୫ ଏକର ଜଙ୍ଗଲ ଜମିକୁ ମିଶାଇ ମୋଟ ୧୦୬୦ ଏକର ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ୨୦୨୫ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଧାରିତ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା କେବଳ ଏହା ସର୍ଭେରେ ସୀମିତ ରହିଛି। ରାଜ୍ୟ-କେନ୍ଦ୍ର ସହଭାଗିତାରେ ନବଗଠିତ କମ୍ପାନି ଓରିଡିଏଲ୍‌ର ଏହା ପ୍ରଥମ ପ୍ରକଳ୍ପ ହୋଇଥିବାରୁ ୨୦୨୫ ମଧ୍ୟରେ ଏହା ସଂପୂର୍ଣ୍ଣ ହୋଇ ପାରିବ କି ନାହିଁ ତାହା ସଂସ୍ଥାର କାର୍ଯ୍ୟ ଦକ୍ଷତା ଉପରେ ଅନେକଟା ନିର୍ଭର କରୁଛି।

ଗୋପାଳପୁର ବନ୍ଦରକୁ କୋଇଲା କ୍ଷେତ୍ର ସହ ଯୋଡ଼ିବ
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଝାରସୁଗୁଡ଼ା ଜିଲ୍ଲା ଇବ୍‌ ଭ୍ୟାଲି କୋଇଲା କ୍ଷେତ୍ରରୁ ସମ୍ବଲପୁର ସିଟି ଷ୍ଟେସନ, ରେଢ଼ାଖୋଲ ଦେଇ ସିଧାସଳଖ ଗୋପାଳପୁର ବନ୍ଦରକୁ କୋଇଲା ପରିବହନ କରାଯାଇ ପାରିବ। ସେହିପରି ପାରାଦୀପ ବନ୍ଦର ଉପରେ ବଢ଼ୁଥିବା ଚାପକୁ ହ୍ରାସ କରିବା ପାଇଁ ତାଳଚେର କୋଇଲା କ୍ଷେତ୍ରରୁ ମଧ୍ୟ ଏହି ରୁଟ୍‌ ଦେଇ କୋଇଲା ଗୋପାଳପୁର ବନ୍ଦରକୁ ପଠାଯାଇ ପାରିବ। ତାଳଚେରରୁ ରେଢ଼ାଖୋଲକୁ ବାଇପାସ୍ କରି ବାମୁର ୱାଇ-ଲିଙ୍କ ଦେଇ ଗୋପାଳପୁରକୁ କୋଇଲା ପ୍ରେରଣ ଲାଭଦାୟକ ହେବ। ଏହି ରେଳ ଲାଇନ୍ ରାଜ୍ୟର ପଶ୍ଚିମାଞ୍ଚଳକୁ ସିଧାସଳଖ ଗୋପାଳପୁର ବନ୍ଦର ସହ ଯୋଡ଼ୁଥିବାରୁ ବନ୍ଦରରୁ ରପ୍ତାନି ଓ ଆମଦାନି ହେଉଥିବା ସାମଗ୍ରୀ ପରିବହନ କରି ରେଳବାଇ ବେଶ ଆୟ କରିପାରିବ। ଯାତ୍ରୀ ପରିବହନ ଦୃଷ୍ଟିରୁ ସେତେଟା ଲାଭଦାୟକ ନହେଲେ ବି ଏହା ଏକ ଅବହେଳିତ ଭୂଖଣ୍ଡର ଲୋକଙ୍କୁ ରାଜ୍ୟ ତଥା ଦେଶର ଅନ୍ୟ ଅଂଶ ସହ ଯୋଡ଼ିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର