ହାଇକୋର୍ଟରେ କଟକର ବିଚାରପତିଙ୍କୁ ଅନ୍ୟତ୍ର ବଦଳି କରାଯାଉ: ସମ୍ବଲପୁର ଓକିଲ ସଂଘ

୨୬, ୨୭, ୩୦ରେ ସବୁ କାର୍ଯ୍ୟାଳୟ ବନ୍ଦ କରାଯିବ

ସମ୍ବଲପୁର : କଟକରେ ଓକିଲାତି କରିବା ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେଉଥିବା ବିଚାରପତିମାନଙ୍କୁ ଅନ୍ୟ ରାଜ୍ୟକୁ ବଦଳି କରାଯାଉ। ସଂପୃକ୍ତ ବିଚାରପତିମାନେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ବିରୋଧ କରୁଛନ୍ତି। ସେମାନେ ଥିବା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାବାସୀଙ୍କୁ ନ୍ୟାୟ ମିଳିବ ନାହିଁ ‌ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ପ୍ରସଂଗ ଉଠାଇ ଜିଲ୍ଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି, ଏହି ମର୍ମରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ କେନ୍ଦ୍ର ଆଇନ୍‌ ମନ୍ତ୍ରୀଙ୍କୁ ଚିଠି ଲେଖିଛୁ। ସେହିପରି ନିର୍ବାଚନ ଫଳାଫଳର ୩ ମାସରୁ ଅଧିକ ବିତି ଯାଇଥିଲେ ବି ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ସଂପୂର୍ଣ୍ଣ ନିଷ୍କ୍ରିୟ ହୋଇ ରହିଛି। ଏପର୍ଯ୍ୟନ୍ତ ଏହାର ବୈଠକ ବି ବସି ନାହିଁ। ଯଦି ଏଭଳି ଉଦାସୀନ ମନୋଭାବ ଜାରି ରହେ ତାହେଲେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ତଥା ଜନସାଧାରଣ ଏହାର ଜବାବ ‌ଦେବେ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଥିଲେ।

ହାଇକୋର୍ଟ ବେଞ୍ଚ ସ୍ଥାନକୁ ନେଇ ଆଉ କୌଣସି ବିବାଦ ନଥିଲାବେଳେ ସରକାର ତୁରନ୍ତ ସିଏସିର ସର୍ବସମ୍ମତ ସୁପାରିସ୍ ଅନୁଯାୟୀ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସୁପାରିସ୍ କରନ୍ତୁ ବୋଲି ତଥା ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ କମିଟି ଆବଶ୍ୟକ ପଦକ୍ଷେପ ନେଉ ବୋଲି ଦାବି କରିଥିଲେ। ଝାରସୁଗୁଡ଼ାରେ ଅନୁଷ୍ଠିତ ସିଏସି ବୈଠକ ଅନୁଯାୟୀ ଏଣିକି ପ୍ରତି ମାସ ଶେଷ ତିନି ଦିନ ଶିକ୍ଷା, ସ୍ବାସ୍ଥ୍ୟ, ରେଳସେବା ଓ ପରିମଳ ସେବା ଭଳି ଜରୁରୀ ଅନୁଷ୍ଠାନ ବ୍ୟବତୀତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଆର୍ଥିକ ସଂସ୍ଥା, ବ୍ୟାଙ୍କ, ପୋଷ୍ଟ ଅଫିସ, ବୀମା କାର୍ଯ୍ୟାଳୟ ବନ୍ଦ କରାଯିବ। ଚଳିତ ମାସର ଶେଷ ତିନି କାର୍ଯ୍ୟ ଦିବସ ଅର୍ଥାତ ସେପ୍‌ଟେମ୍ବର ୨୬, ୨୭ ଓ ୩୦ ତାରିଖ ଦିନ ଏହି ସମସ୍ତ କାର୍ଯ୍ୟାଳୟ ବନ୍ଦ କରାଯିବ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ଉପସଭାପତି ସୁରେନ୍ଦ୍ର ମହାନ୍ତି, ସଂପାଦକ ପ୍ରବୀଣ ସିଂ ଦେଓ, ପ୍ରବକ୍ତା ସୁରେଶ୍ବର ମିଶ୍ର, ସମ୍ବଲପୁର ସିଏସ୍‌ସି ସଭାପତି ପ୍ରଦୀପ ବହିଦାର, ସିଏସ୍‌ସି ଉପସଭାପତି ପ୍ରମୋଦ ରଥ ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର