ଶ୍ରେୟସ୍‌ କେଶରଓ୍ଵାନ୍‌ ର‍୍ୟାଗିଙ୍ଗ୍‌ ଓ ମୃତ୍ୟୁ ମାମଲା: ୩ ଛାତ୍ରଙ୍କୁ ଜାମିନ

ସମ୍ବଲପୁର: ଗଡ଼ପୋଷ ନିବାସୀ ଶ୍ରେୟସ କେଶରଓ୍ଵାନିଙ୍କ ପ୍ରତି କରାଯାଇଥିବା ର‍୍ୟାଙ୍ଗିଗ୍‌ ଓ ତାଙ୍କର ମୃତ୍ୟୁ ମାମଲାରେ ସମ୍ପୃକ୍ତ ବିଶାଖାପାଟଣାର ପିଏମ୍‌ ପାଲେନ୍‌ ଥାନା ପୁଲିସ ଶ୍ରୀ ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଶାନ୍ତି ନିଲୟମ୍‌ କ୍ୟାମ୍ପସ୍‌ର ୩ ଜଣ ଛାତ୍ରଙ୍କୁ ବୁକ୍‌ କରିବା ପରେ ଜାମିନ୍‌ରେ ଛାଡ଼ି ଦେଇଛନ୍ତି।

ଶ୍ରେୟସ୍‌ ସେଠାରେ ଏକାଦଶ ଶ୍ରେଣୀରେ ବିଜ୍ଞାନ ପାଠ୍ୟକ୍ରମରେ ପଢୁଥିଲେ। ଗତ ଡିସେମ୍ବର ମାସରେ ତାଙ୍କୁ ୩ ଜଣ ଶ୍ରେଣୀସାଥୀ ର‍୍ୟାଗିଙ୍ଗ୍‌ କରି ମାଡ଼ପିଟ୍‌ କରିଥିଲେ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶ୍ରେୟସ୍‌ଙ୍କର ମୃତ୍ୟୁ ହୋଇଥିଲା।
ଏହି ମାମଲାରେ ସମ୍ବଲପୁର ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ପିଏମ୍‌ ପାଲେନ୍‌ ଥାନାରେ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରି ଚୁପ୍‌ ହୋଇ ବସିଥିଲା।

କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁଁ ଶ୍ରେୟସ୍‌ଙ୍କ ପିତାମାତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍‌ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଫୋନ୍‌ ଯୋଗେ ଏ ସଂକ୍ରାନ୍ତରେ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏହା ସହ ଶ୍ରେୟସ୍‌ଙ୍କ ପିତାମାତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍‌ ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରଧାନ ସଚିବ ପି କେ ମିଶ୍ରଙ୍କୁ ମଧ୍ୟଙ୍କୁ ମଧ୍ୟ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇବାକୁ ଅନୁରୋଧ କରିଥିଲେ।

ଶେଷରେ ଚାପଗ୍ରସ୍ତ ପିଏମ୍‌ ପାଲେନ୍‌ ଥାନା ପୁଲିସ ମାର୍ଚ ୭ ତାରିଖ ଦିନ ଅଭିଯୁକ୍ତ ୩ ଛାତ୍ରଙ୍କୁ ଧରି ଥାନାକୁ ଆଣିବା ପରେ ଭାରତୀୟ ପିଙ୍ଗଳ କୋଡ୍‌ ୩୦୨ ପରିବର୍ତ୍ତେ ୩୦୪ ଲାଗୁ କରିଥିଲେ। ତିନି ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ଜାମିନରେ ଛାଡ଼ି ଦିଆଯାଇଛି। ଖୁବ୍‌ ଶୀଘ୍ର ମାମଲା ସଂକ୍ରାନ୍ତରେ ଚାର୍ଜସିଟ୍‌ କରାଯିବ ବୋଲି ପୁଲିସ କହିଛି।

କିନ୍ତୁ, ଉକ୍ତ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇଥିବାରୁ ଶ୍ରେୟସ୍‌ଙ୍କ ବାପା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର