ଅନିଶ୍ଚିତତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏମ୍‌ଏସ୍‌ସି ମେଡିକାଲ ଫିଜିକ୍ସ ଛାତ୍ରଙ୍କ ଭବିଷ୍ୟତ : ପାଠ୍ୟକ୍ରମକୁ ମିଳିବନି ଏଇଆର୍‌ବି ମାନ୍ୟତା

ବିଶ୍ୱସନୀୟତା ହରାଉଛି କି ସମ୍ବଲପୁର ବିଶ୍ବବିଦ୍ୟାଳୟ!

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ଏସ୍‌ସି ମେଡିକାଲ ପଦାର୍ଥ ବିଜ୍ଞାନ (ଫିଜିକ୍ସ) ପାଠ୍ୟକ୍ରମକୁ ମିଳିପାରିବନି ଏଇଆର୍‌ବି(ଆଟୋମିକ ଏନର୍ଜି ରେଗୁଲେଟାରି ବୋର୍ଡ) ମାନ୍ୟତା। ଏ ସଂକ୍ରାନ୍ତରେ ଏଇଆର୍‌ବି ପକ୍ଷରୁ ଏକ ପତ୍ର ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଦିଆଯାଇଛି। ଏମ୍‌ଏସ୍‌ସି ମେଡିକାଲ ଫିଜିକ୍ସ ପାଇଁ ବିଶ୍ବବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମିର ଅଭାବ ଏଥିପାଇଁ ବାଧକ ସାଜିଥିବା ପତ୍ରରେ ଉଲ୍ଲେଖ ରହିଛି। ପାଠ୍ୟକ୍ରମ ଖୋଲିବାର ୨ ବର୍ଷ ଏବଂ ୩ଟି ବ୍ୟାଚ୍‌ ପଢ଼ିବା ପରେ ଆଇଆର୍‌ବିର ଏଭଳି ଉତ୍ତର ବିଦ୍ୟାର୍ଥୀଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ଏହା ସହିତ ମେଡିକାଲ ଫିଜିକ୍ସ ପାଠ୍ୟକ୍ରମର ୩୬ ମେଧାବୀ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇ ପଡ଼ିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ ଭଳି ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟ ଏଇଆରବି ମାନ୍ୟତା ନ ନେଇ କିଭଳି ଏକ ପାଠ୍ୟକ୍ରମ ଖୋଲି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସହିତ ଖେଳ ଖେଳିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣେ ଏଇଆର୍‌ବି ମାନ୍ୟତା ନେଇ ଆନ୍ଦୋଳନରତ ବିଦ୍ୟାର୍ଥୀଙ୍କ ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ସୂଚନା ଅନୁଯାୟୀ, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସ୍କୁଲ ଅଫ୍‌ ଫିଜିକ୍ସ ଅନ୍ତର୍ଗତରେ ଏମଏସସି ମେଡିକାଲ ଫିଜିକ୍ସର ସେଲ୍ଫ ଫାଇନାନସିଂ ପାଠ୍ୟକ୍ରମ ରହିଛି। ଏହାର ପାଠ୍ୟକ୍ରମ ଫି’ ଦେଢ ଲକ୍ଷ ଟଙ୍କା। ମେଡିକାଲ ଫିଜିସିଷ୍ଟ ହେବାର ଆଶା ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାର ମେଧାବୀ ବିଦ୍ୟାର୍ଥୀ ଏଥିରେ ନାମ ଲେଖାଇଛନ୍ତି। ପାଠ୍ୟକ୍ରମ ସମାପ୍ତ ପରେ ପ୍ରଥମ ବ୍ୟାଚର ୧୨ ବିଦ୍ୟାର୍ଥୀଙ୍କୁ ପ୍ରାକ୍ଟିକାଲ ପାଇଁ ଅନୁମତି ନମିଳିବା ପରେ ଏଇଆରବି ମାନ୍ୟତା ପ୍ରସଙ୍ଗରେ ବିଦ୍ୟାର୍ଥୀ ଅଶାନ୍ତି ବୃଦ୍ଧି ପାଇଥିଲା। ଏହାକୁ ନେଇ ବିଦ୍ୟାର୍ଥୀମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ମେଡିକାଲ ଫିଜିକ୍ସ ପାଠ୍ୟକ୍ରମକୁ ଏଇଆର୍‌ବି ମାନ୍ୟତା ପାଇଁ ଆଟୋମିକ ଏନର୍ଜି ରେଗୁଲେଟାରି ବୋର୍ଡକୁ ଚିଠି ଲେଖାଯାଇ ଥିଲା। ଆଶା କରାଯାଉଥିଲା ଖୁବ ଶୀଘ୍ର ଅନୁଧ୍ୟାନ ଟିମ ଆସି ଆବଶ୍ୟକ ରିପୋର୍ଟ ପ୍ରଦାନ କରିବ। ମାତ୍ର ଟିମ ଆସିବା ପୂର୍ବରୁହିଁ ପାଠ୍ୟକ୍ରମକୁ ଏଇଆରବି ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି ଚିଠିରେ କୁହାଯାଇଛି।

ସୂଚନା ଅନୁଯାୟୀ, ଏଇଆର୍‌ବି ମାନ୍ୟତା ପାଇଁ ସ୍ବତନ୍ତ୍ର ଫେକଲଟି, ଏକ୍ସପେରିମେଣ୍ଟ(ପ୍ରାକ୍ଟିକାଲ) ବ୍ୟବସ୍ଥା ଏବଂ ପାଠ୍ୟକ୍ରମର ସର୍ତ୍ତାବଳୀ ରହିଛି। ଏକ୍ସପେରିମେଣ୍ଟ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଆଚାର୍ଯ୍ୟ ହରିହର ସହିତ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ମାତ୍ର ଏଇଆରବି ଲେଖିଛି ଯେ ସମ୍ବଲପୁର ବିଶ୍ବବିଦ୍ୟାଳୟଠାରୁ ଆଚାର୍ଯ୍ୟ ହରିହରର ଦୂରତା ୨୬୦ କିଲୋମିଟର ହୋଇଥିବାରୁ ବ୍ୟବହାରିକତା ଦୃଷ୍ଟିରୁ ଏଠାରେ ପ୍ରାକ୍ଟିକାଲ ସମ୍ଭବ ନୁହେଁ। ଏହାକୁ ଆଧାର କରି ମେଡିକାଲ ଫିଜିକ୍ସ ପାଠ୍ୟକ୍ରମକୁ ଏଇଆରବି ଅନୁମତି ଦେବାକୁ ମନା କରି ଦେଇଛି। ଅନୁମତି ନ ମିଳିଲେ ବିଦ୍ୟାର୍ଥୀଙ୍କ ପାଠପଢ଼ା ମୂଲ୍ୟହୀନ ହୋଇଯିବ। ସମ୍ବଲପୁର ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଅର୍କଦାସ ମହାପାତ୍ର କହିଛନ୍ତି, ଏହି ଚିଠି ପରେ ଏଇଆର୍‌ବି ମାନ୍ୟତା ନେଇ ପୁନର୍ବାର ଅପିଲ୍‌ କରାଯିବ। ସମ୍ବଲପୁର ବିଶ୍ବବିଦ୍ୟାଳୟଠାରୁ ଆଚାର୍ଯ୍ୟ ହରିହର ରିଜିଓନାଲ କେନ୍ସର ସେଣ୍ଟର ମଧ୍ୟରେ ଦୂରତା ଅଧିକ ହୋଇଥିଲେ ମଧ୍ୟ କମ୍ୟୁନିକେସନ ଭଲ ଥିବା କୁହାଯିବ। ଅନ୍ୟ ଦିଗରେ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ରକ୍ଷା ପାଇଁ ଏପ୍ଲାଏଡ ଫିଜିକ୍ସରେ ଏମଏସସି କିମ୍ବା ସାଧାରଣ ଏମ୍‌ଏସ୍‌ସି ପଢ଼ିବା ପାଇଁ ବିକଳ୍ପ ଦିଆଯାଇଛି। ୨ ବର୍ଷ ମଧ୍ୟରେ ଏହି ପାଠ୍ୟକ୍ରମ କିଭଳି ବିଦ୍ୟାର୍ଥୀମାନେ ସମାପ୍ତ କରିବେ ଏଥିପ୍ରତି ବ୍ୟବସ୍ଥା କରାଯିବ। ଯେଉଁ ବିଦ୍ୟାର୍ଥୀଙ୍କ ପାଠ୍ୟକ୍ରମ ସରିଯାଇଛି, ସେମାନଙ୍କ ପାଇଁ ବିଭିନ୍ନ ପ୍ରସ୍ତାବ ରହିଛି। ଏଥି ସହିତ ଭାବା ଆଟୋମିକ୍‌ ରିସର୍ଚ ସେଣ୍ଟର ସହିତ ମଧ୍ୟ ସମନ୍ବୟ ରକ୍ଷା କରାଯାଇ ଅନୁମତି କିଭଳି ମିଳିବ ଏଥିପ୍ରତି ଚେଷ୍ଟା ଜାରି ରହିବ।

ସମ୍ବନ୍ଧିତ ଖବର