ସମ୍ବଲପୁର ବିଶ୍ବବିଦ୍ୟାଳୟରେ ମେଡିକାଲ ଫିଜିକ୍ସ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ଖେଳ

ପଦାର୍ଥ ବିଜ୍ଞାନ ବିଭାଗରେ ପଡିଲା ତାଲା

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ମେଡିକାଲ ଫିଜିକ୍ସ ବିଭାଗର ବିଦ୍ୟାର୍ଥୀମାନଙ୍କ ଆନ୍ଦୋଳନ ତେଜିଛି। ଶାନ୍ତିପୂର୍ଣ୍ଣ ଧାରଣା ପରେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ମଙ୍ଗଳବାର ଏହି ବିଦ୍ୟାର୍ଥୀମାନେ ପଦାର୍ଥ ବିଜ୍ଞାନ ବିଭାଗରେ ସାଢେ ୪ ଘଣ୍ଟା ଧରି ତାଲା ପକାଇ ଦେଇଥିଲେ। ପୁଲିସ ପହଞ୍ଚି ତାଲା କାଟି ବିଭାଗୀୟ ମୁଖ୍ୟ ଓ ଅନ୍ୟ ଅଧ୍ୟାପକମାନଙ୍କୁ ଉଦ୍ଧ‌ାର କରଥିଲା। ମାତ୍ର ଏହାପରେ ଆଜି ସଂଧ୍ୟାରୁ ବିଦ୍ୟାର୍ଥୀମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଏହି ଘଟଣାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ି ଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଯେଉଁ ଅର୍ଥ ଓ ସମୟ ଅପଚୟ ହେଲା ତାହାର ଭରଣା କିଏ କରିବ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଲଗାତାର ଚାରି ଦିନ ଧରି ଶାନ୍ତିପୂର୍ଣ୍ଣ ଧାରଣା ଦେଇ ଆସୁଥିବା ମେଡିକାଲ ଫିଜିକ୍ସ ବିଭାଗର ବିଦ୍ୟାର୍ଥୀଙ୍କ ମଙ୍ଗଳବାର ଧୈର୍ଯ୍ୟଚ୍ୟୁତି ହୋଇଥିଲା। ଆମ ଜୀବନ ସହ ଖେଳ କ’ଣ ପାଇଁ? ଏଇଆର୍‌ବି ମାନ୍ୟତା ଯଦି ନଥିଲା ତ‌େବେ ପାଠ୍ୟକ୍ରମ କାହିଁକି ଖୋଲିଲ? ଅନ୍ୟାୟ କିଏ କରିଛି, ଜବାବ ଦିଅ? କିଏ କାନ୍ଦି କାନ୍ଦିତ କିଏ ଉତ୍ତେଜିତ ହୋଇ ଏଭଳି ପ୍ରଶ୍ନ କରୁଥିଲେ ସେମାନେ। ଏ ସଂପର୍କରେ କିଛି ବିଦ୍ୟାର୍ଥୀ ଗଣମାଧ୍ୟମକୁ କହିଥିଲେ, ପାଠ୍ୟକ୍ରମକୁ କିଭଳି ଏଇଆରବି ମାନ୍ୟତା ମିଳିବ ସେଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଠୋସ ପଦକ୍ଷେପ ନିଆଯିବ ବୋଲି ସେମାନେ ଆଶା ରଖି ଆନ୍ଦୋଳନ କରୁଥିଲେ। ଏଇଆରବି କିମ୍ବା ବାର୍କ ସହିତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁଣିଥରେ ଯୋଗାଯୋଗ କରିବେ ବୋଲି ସେମାନଙ୍କ ବିଶ୍ବାସ ଥିଲା। ମାତ୍ର ସେହିଭଳି କିଛି ହେଲା ନାହିଁ। ବରଂ ୧୨ ତାରିଖ ମଧ୍ୟରେ ବିକଳ୍ପ ପାଠ୍ୟକ୍ରମ ବାଛିବାକୁ ସେମାନଙ୍କୁ କର୍ତ୍ତୃପକ୍ଷ କହିଛନ୍ତି। ସବୁଆଡ଼ୁ ନିରାଶ ହେବା ପରେ ଏହି ବିଦ୍ୟାର୍ଥୀମାନେ ପୂର୍ବାହ୍ନ ୧୧.୩୦ରେ ପଦାର୍ଥ ବିଜ୍ଞାନ ବିଭାଗରେ ତାଲା ପକାଇ ଦେଇଥିଲେ। ସେହି ସମୟରେ ବିଭାଗ ଭିତରେ ୩୦ ବିଦ୍ୟାର୍ଥୀ, ୧୦ ଜଣ ଅଧ୍ୟାପକ ଓ କର୍ମଚାରୀ ଥିଲେ। ଖବର ପାଇ ପିଜି କାଉନସିଲ ଅଧ୍ୟକ୍ଷ, ଓ୍ବାର୍ଡ‌େନ୍‌, ଅତିରିକ୍ତ ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧ୍ୟାପକମାନେ ଆନ୍ଦୋଳନରତ ବିଦ୍ୟାର୍ଥୀମାନଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଏସ୍‌ଡିପିଓ ଶିଶୁ ରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ପୁଲିସ ଫୋର୍ସ ପହଁଞ୍ଚିଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳକୁ କେବଳ ବିଦ୍ୟାର୍ଥୀମାନଙ୍କୁ ଛଡ଼ାଯିବାର ସର୍ତ୍ତରେ ତାଲା ଖୋଲିବା ପାଇଁ ଆନ୍ଦୋଳନରତ ବିଦ୍ୟାର୍ଥୀମାନେ ରାଜି ହୋଇଥିଲେ। ମାତ୍ର ପୁଲିସ ତାଲା କାଟି ଖୋଲିବା ପରେ ପଦାର୍ଥ ବିଭାଗ ପ୍ରମୁଖଙ୍କ ସମେତ ଅନ୍ୟ ଅଧ୍ୟାପକ ଏବଂ କର୍ମଚାରୀ ବାହାରି ଆସିବାରୁ ଉତ୍ତେଜନା ଆହୁରି ବଢି ଯାଇଥିଲା। ଏହାପରେ ବିଦ୍ୟାର୍ଥୀମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର