ମହାନଦୀ ପୋଲ ତଳୁ ମିଳିଲା ସେଲ୍‌ଫି ବେବୋଙ୍କ ଶବ

ରହସ୍ୟରେ ଆଲବମ୍‌ ଅଭିନେତ୍ରୀ ସିମରନ୍‌ଙ୍କ ମୃତ୍ୟୁ

ସମ୍ବଲପୁର : ‘ପ୍ରେମ କରି ଭୁଲ କରିଛି…, ଥରେ ହେଲେ ଘର ଲୋକଙ୍କ କଥା ମାନିଥାଆନ୍ତି…, ଏଭଳି ଦିନ ଆସିନଥାନ୍ତା। କାସ୍.., ତୁମ ଝିଅ ଘର ଲୋକଙ୍କ କଥା ମାନିଥାଆନ୍ତା, ପରିବାର ସହ ସଂପର୍କ କାଟି ନଥାନ୍ତା…’

ବେଦନା ଜର୍ଜରିତ ଅନୁତାପ ଭରା ଏଭଳି ଅଭିବ୍ୟକ୍ତି ହେଉଛି ପଶ୍ଚିମ ଓଡ଼ିଶାର ଜଣେ ଉଦୀୟମାନ କଳାକାର ‘ସେଲ୍‌ଫି ବେବୋ’ ସିମରନ୍ ସିଂହଙ୍କର ଶେଷ କେଇପଦ କଥାରୁ କିଛି। ଆଜି ଅତ୍ୟନ୍ତ ରହସ୍ୟଜନକ ପରିସ୍ଥିତିରେ ବୁର୍ଲା ନିକଟ ମହାନଦୀ ବ୍ରିଜ୍ ତଳୁ ତାଙ୍କ ଶବ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁ ଘଟଣା ଝାରସୁଗୁଡ଼ାରୁ ବଲାଙ୍ଗୀର ଓ କଳାହାଣ୍ଡି ପର୍ଯ୍ୟନ୍ତ ସବୁଆଡ଼େ ଆଲୋଡ଼ନ ଖେଳାଇ‌ ଦେଇଛି। ସବୁଠାରୁ ଚର୍ଚ୍ଚାରେ ରହିଛି ତାଙ୍କର ୧ ମିନିଟ୍ ୧୮ ସେକେଣ୍ଡର ଭଏସ୍ ମେସେଜ୍। ଗତକାଲି ଏହି ମେସେଜ୍ ସେ ଘରକୁ ପଠାଇଥିଲେ। ବ୍ୟତିବ୍ୟସ୍ତ ହୋଇ ପରିବାର ଲୋକେ ତାଙ୍କୁ ଘରକୁ ଫେରିଆସିବା ପାଇଁ କହିଥିଲେ। ଗତକାଲି ସେ ଟ୍ରେନ୍‌ ଯୋଗେ କେସିଙ୍ଗାରୁ ଝାରସୁଗୁଡ଼ା ଫେରୁଥିଲେ। ମାତ୍ର ଘରେ ପହଞ୍ଚି ନଥିଲେ। ରାତିସାରା ବି ତାଙ୍କ ମୋବାଇଲରୁ କୌଣସି ଉତ୍ତର ମିଳିନଥିଲେ। ସକାଳେ ମହାନଦୀ ବ୍ରିଜ୍ ତଳେ ଏକ ପଥୁରିଆ ସ୍ଥାନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବୁର୍ଲା ଏସ୍‌ଡିପିଓ ଶିଶୁରଞ୍ଜନ ମହାପାତ୍ର କହୁଥିବା ‌ବେଳେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସିମରନଙ୍କ ମା’ ରାନୀ ଦେବୀ ଅଭିଯୋଗ କରିଛନ୍ତି। ସିମରନ୍‌ଙ୍କୁ ଗତବର୍ଷ ଅପହରଣ କରିନେଇ ବିବାହ କରିଥିବା ଓ କିଛିଦିନ ପରେ ମାଡ଼ ମାରିଥିବା ବଲାଙ୍ଗୀର ଜିଲ୍ଲା ବେଲପଡ଼ାର ଯୁଗ ସୁନା ସିମରନ୍‌ଙ୍କୁ ହତ୍ୟା କରିଛନ୍ତି ଏବଂ ଏଥିରେ ତାଙ୍କ ସଂପର୍କୀୟ ତଥା ଲୋକପ୍ରିୟ କଳାକାର ରୁକୁ ସୁନାଙ୍କର ମଧ୍ୟ ହାତ ରହିଥିବା ରାନୀ ଦେବୀ ସିଧାସଳଖ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହର ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଏହି ଘଟଣାର ରହସ୍ୟ ଉପରୁ ପରଦା ଉଠିପାରେ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ ଯେ ଆଜି ସକାଳୁ ସମ୍ବଲପୁର ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟ ମହାନଦୀ ବ୍ରିଜର ୩୦ ଫୁଟ ତଳେ ଏକ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ମୃତଦେହର ମୁଣ୍ଡରେ ଗଭୀର କ୍ଷତ ଥିଲା। ଦେହରେ ଥିଲା ଜ୍ୟାକେଟ୍, ଫୁଲପ୍ୟାଣ୍ଟ୍‌, ଗନ୍ ବୁଟ୍ ଓ ସ୍ଲିଙ୍ଗ୍ ବ୍ୟାଗ୍‌। ଚାହୁଁ ଚାହୁଁ ଏହି ଖବର ସବୁଆଡ଼େ ବ୍ୟାପି ଯାଇଥିଲା। ପୁଲିସ ପହଞ୍ଚି ଶବ ଜବତ କରିଥିଲା।। ଶବ ନିକଟରୁ ମୋବାଇଲ ଓ ୨୦୪୭ ଟଙ୍କା ମିଳିଥିଲା। ଏସ୍‌ଡିପିଓ ଶିଶୁରଂଜନ ମହାପାତ୍ର କହିଛନ୍ତି, ଯୁବତୀଙ୍କ ନିକଟରୁ ମିଳିଥିବା ମୋବାଇଲରୁ ନମ୍ବର ସଂଗ୍ରହ କରି ପରିବାରକୁ ସୂଚନା ଦିଆଯାଇଥିଲା। ପ୍ରଥମେ ପରିବାର ସିମରନଙ୍କ ମୃତଦେହ ନେବା ପାଇଁ ଅମଙ୍ଗ ହେଉଥିଲେ। ଯୁଗ ସୁନା ସିମରନଙ୍କ ସ୍ବାମୀ ହୋଇଥିବାରୁ ତାଙ୍କୁ ଅପେକ୍ଷା କରିବାକୁ ଦାବି କରିଥିଲେ। ପରେ ପୁଲିସ ବୁଝାଇବା ପରେ ସେମାନେ ଶବ ନେବା ପାଇଁ ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର