ଦାୟିତ୍ୱ ନେଲେ ରାଜ୍ୟ ବିଜେପିର ନୂଆ ସଭାପତି

କେନ୍ଦ୍ର ବିରୋଧରେ ଗଲେ ବିରୋଧ
ପରୋକ୍ଷରେ ସୂଚାଇ ଦେଲେ ଧର୍ମେନ୍ଦ୍ର
ସମୀର କହିଲେ ଆଗକୁ ଜୋରଦାର କାର୍ଯ୍ୟକ୍ରମ
ସାମୂହିକ ନେତୃତ୍ବ, କଠିନ ପରିଶ୍ରମ ମୂଳମନ୍ତ୍ର

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଆଜି ଆନୁଷ୍ଠାନିକ ଭାବେ ବିଜେପିର ରାଜ୍ୟ ସଭାପତି ଦାୟିତ୍ବ ନେଇଛନ୍ତି। ଏଥିସହିତ ବିଜେପିର ୯ମ ରାଜ୍ୟ ସଭାପତି ଭାବେ ଶ୍ରୀ ମହାନ୍ତିଙ୍କ କାର୍ଯ୍ୟ ଆଜିଠାରୁ ଆରମ୍ଭ େହାଇଛି। ସେ ତିନିବର୍ଷ ପାଇଁ ଏହି ଗୁରୁଦାୟିତ୍ବ ନିର୍ବାହ କରିବେ। ଏହି ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା, ଯେଉଁଠାରେ ତାଙ୍କ ନାମ ରାଜ୍ୟ ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯାଇଥିଲା ସେ ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କ ଠାରୁ ଦାୟିତ୍ବ ନେଇଥିଲେ।

ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, ବିଜେପି ନେତା କନକ ବର୍ଧନ ସିଂହଦେଓ ପ୍ରମୁଖ ବହୁ ବରିଷ୍ଠ ତାଙ୍କୁ ଶୁେଭଚ୍ଛା ଜଣାଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଶ୍ରୀ ମହାନ୍ତିଙ୍କ ସଭାପତିତ୍ବରେ ସାମୂହିକ ନେତୃତ୍ବ ଦଳକୁ ନୂଆ ଉଚ୍ଚତାକୁ ନେବ। କିଛି ବର୍ଷ ଧରି ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ରାଜ୍ୟ ସଂଗଠନ ବିସ୍ତାର, ଜନସ୍ବାର୍ଥରେ ଆନ୍ଦୋଳନ ଓ ଜନବିଶ୍ବାସ ହାସଲ କରିବାରେ ଦଳ ସଫଳ ହୋଇଛି। ଗତ ନିର୍ବାଚନରେ ବିଜେପି ଲୋକସଭାରେ ୩୮ ପ୍ରତିଶତ, ବିଧାନସଭାରେ ୩୨ ପ୍ରତିଶତ ଭୋଟ ହାସଲ କରିଛି। ଦଳ ୮ ଲୋକସଭା ଆସନରେ ବିଜୟ ଲାଭ କରିଛି। ଯେଉଁ କାରଣରୁ ଦିଲ୍ଲୀରେ େମାଦୀ ଶାସନରେ ଓଡ଼ିଶାର ସ୍ବରକୁ ଦଳୀୟ ସାଂସଦ ପ୍ରଭାବଶାଳୀ ଢଙ୍ଗରେ ଉଠାଇ ପାରୁଛନ୍ତି। ଶ୍ରୀ ପ୍ରଧାନ କହିଥିଲେ ଯେ ଓଡ଼ିଶାକୁ ଭାରତରେ ଏକ ନମ୍ବର ରାଜ୍ୟ କରିବାକୁ ହେବ। ଏହି ଦୃୃଢତା ଓ ସଂକଳ୍ପ ବିଜେପି କାର୍ଯ୍ୟକର୍ତାଙ୍କୁ ନେବାକୁ ପଡିବ। ସରକାର ଗଢିବା କିମ୍ବା ଲୋକସଭା ଆସନରେ ବିଜୟ ପାଇଁ ନୁହେଁ,ବରଂ ଗତ ୭୦ବର୍ଷ ଧରି ଓଡ଼ିଆ େଲାକ ନିଜ ହକ୍‌ରୁ ଯେଭଳି ବଞ୍ଚିତ ଅଛି, ତାକୁ ତା ହାତରେ ଦେବାକୁ ପଡିବ। ରାଜ୍ୟରେ ସଶକ୍ତ ବିରୋଧୀ ଦଳଭାବେ କାମ କରିବାକୁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ।

ସେ ଆହୁରି କହିଥିଲେ ଯେ ଯଦି କେହି ଭାବୁଥିବ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁକୁ କାଟି କେବଳ ଆବାସ ଯୋଜନା କରିବ, ତେବେ ଦଳର ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ସେ ଦିବାସ୍ବପ୍ନକୁ ବିଧାନସଭା ଭିତରେ ଓ ବାହାରେ କଡ଼ା ବିରୋଧ କରିବ। ପରୋକ୍ଷରେ ଶ୍ରୀ ପ୍ରଧାନ ସୂଚାଇ ଥିଲେ, ଯଦି କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ବି ପଦକ୍ଷେପ ନିଆଯାଏ, ଦଳ ଛାଡିବନି।

ଦଳର ସାଂଗଠନିକ ଅଭିବୃଦ୍ଧି ସଂପର୍କରେ ଅନ୍ୟ ତୁଙ୍ଗ ନେତାମାନେ ତାଙ୍କର ବକ୍ତବ୍ୟ ରଖିଥିଲେ। ସମୀରଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ପ୍ରକଟ କରିଥିଲେ। ବିଦାୟୀ ସଭାପତି ବସନ୍ତ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ ଯେ ତାଙ୍କ କାର୍ଯ୍ୟକାଳରେ ସେ ସମସ୍ତଙ୍କ ଠାରୁ ସହଯୋଗ ପାଇଛନ୍ତି। ନୂଆ ସଭାପତିଙ୍କୁ ସମସ୍ତେ ସହଯୋଗ କରିବେ ବୋଲି ସେ ଆଶା କରିଥିଲେ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ ଯେ ସବୁଠାରୁ ବଡ ଦଳର ସଭାପତି ନିର୍ବାଚନ କେତେ ସହଜରେ ଓ ସହମତିରେ ହୋଇପାରେ ତାର ଜ୍ବଳନ୍ତ ଉଦାହରଣ ହେଉଛି ବିଜେପି। ଓଡ଼ିଶାରେ ସରକାର ନ ହେବା ପର୍ଯ୍ୟନ୍ତ ଆମକୁ କଠିନ ପରିଶ୍ରମ କରିବାକୁ ହେବ। ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ, ଆଗାମୀ ଦିନରେ ସମୀର ମହାନ୍ତିଙ୍କ ନେତୃତ୍ବରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯେଭଳି ଭାରତରେ ବିଜେପିକୁ ଆଗେଇ ନେଇଛନ୍ତି, ଠିକ୍ ସେମିତି ସମୀର ମହାନ୍ତି ଓ ପୂରା ବିଜେପି ଟିମ୍ ଓଡ଼ିଶାକୁ ଏକ ନମ୍ବର କରାଇବେ।

ନୂଆ ସଭାପତି ଶ୍ରୀ ମହାନ୍ତି କହିଥିଲେ, ରାଜ୍ୟରେ ବିଜେପିର ଲୋକପ୍ରିୟତା କ୍ରମଶଃ ବଢ଼ିବାରେ ଲାଗିଛି। ୧% ଭୋଟରୁ ଦଳ ୩୮%ରେ ପହଞ୍ଚିଛି। ଦଳର ନେତା, କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ, ବଳିଦାନ, ତପସ୍ୟା, ଶ୍ରମଦାନ ହିଁ ବିଜେପିକୁ ଲୋକପ୍ରିୟ କରିଛି ଓ ଦଳ ଲୋକଙ୍କ ବିଶ୍ବାସଭାଜନ ହୋଇଛି। ସେ କହିଥିଲେ, କେନ୍ଦ୍ରରୁ ଯେଉଁ ନିର୍ଦେଶ ଆସୁଛି, ତାହାକୁ ରାଜ୍ୟର ୩୭ ହଜାର ବୁଥ୍‌ରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା ଚାଲୁଛି, ଯାହା ଆଗକୁ ଆହୁରି ଜୋରଦାର କରାଯିବ। କାର୍ଯ୍ୟକର୍ତ୍ତାଙ୍କଠୁ ଆରମ୍ଭ କରି ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆଗକୁ ବଢିବ।

ଉଲ୍ଲେଖଯୋଗ୍ୟ, ଶ୍ରୀ ମହାନ୍ତି ଆଜି ନିଜ ସମର୍ଥକଙ୍କ ସହ ଏକ ବିରାଟ ରାଲିରେ ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ଆଶୀର୍ବାଦ ନେଇଥିଲେ। ଏକମାତ୍ର ପ୍ରାର୍ଥୀ ଭାବେ ଗତକାଲି ଶ୍ରୀ ମହାନ୍ତି ରାଜ୍ୟ ବିଜେପି ସଭାପତି ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ କେହି ପ୍ରାର୍ଥୀ ହୋଇନଥିବାରୁ ଭୋଟଗ୍ରହଣର ଆବଶ୍ୟକତା ପଡ଼ିନଥିଲା।

ସମ୍ବନ୍ଧିତ ଖବର