ସାମ୍‌ସ ଓ୍ଵବସାଇଟ୍‌ ଅଚଳ : ଯୁକ୍ତ୨ ଓ ଯୁକ୍ତ୩ ନାମଲେଖା ବାଧାପ୍ରାପ୍ତ, ୩୬ ଘଣ୍ଟା ହେଲା ଖୋଲୁନି

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ଗୁଡ଼ିକ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ଯୁକ୍ତ୩ କଲେଜ ପାଇଁ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ହେଲେ ଗତ ୩୬ ଘଣ୍ଟା ହେଲା ସାମ୍‌ସ ଓ୍ଵବସାଇଟ୍‌ ଅଚଳ ହୋଇପଡ଼ିଛି। ଯେଉଁଥିପାଇଁ ନାମଲେଖା ସମ୍ପର୍କରେ ଛାତ୍ରଛାତ୍ରୀ କୌଣସି ତଥ୍ୟ ପାଇପାରୁ ନାହାନ୍ତି। ଯୁକ୍ତ୨, ଯୁକ୍ତ୩ ସମେତ ଆଇଟିଆଇ ଓ ଡିପ୍ଲୋମା େଓ୍ଵବସାଇଟ୍‌ରେ ଖୋଲୁନି। ସମସ୍ତ ପ୍ର୍ରକ୍ରିୟା ଅନ୍‌ଲାଇନ୍‌ରେ ହେଉଥିବା ବେଳେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ େଓ୍ଵବସାଇଟ୍‌ ନ ଖୋଲିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କଲେଜ କର୍ତୃପକ୍ଷଙ୍କୁ ବି ହଟହଟା ହେବାକୁ ପଡ଼ିଛି।

‘www.samodisha.gov.in’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ ବୋଲି କୁହାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ଏଥର ନାମଲେଖାରେ ବାରମ୍ବାର ବିଭ୍ରାଟ ଦେଖିବାକୁ ମିଳୁଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ମଧ୍ୟ କିଛି ସାମ୍‌ସ ସେଣ୍ଟର୍‌ରେ ବିଭ୍ରାଟ ପରିଲକ୍ଷିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଓ୍ଵବସାଇଟ୍‌ ଖୋଲି ନ ଥିଲା। ଯେଉଁଥିପାଇଁ ଅଧିକାଂଶ କଲେଜ କର୍ତୃପକ୍ଷ ଏନେଇ ଅଭିଯୋଗ କରିଥିଲେ। ତଥାପି ଏପର୍ଯ୍ୟନ୍ତ ସମସ୍ୟାର କୌଣସି ସମାଧାନ କରାଯାଇ ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ବି ସମାନ ଅବସ୍ଥା ଉପୁଜିଛି। େଓ୍ଵବସାଇଟ୍‌ କାମ କରୁ ନାହିଁ। ଯେଉଁଥିପାଇଁ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ିଛି। ନିର୍ଦ୍ଧାରିତ ସମୟରେ ନାମଲେଖା ସରିବ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।

ରାଜ୍ୟରେ ଥିବା ସମସ୍ତ ସାମ୍‌ସ ସେଣ୍ଟର୍‌ରେ ଆଜି ଏଭଳି ସମସ୍ୟା ହୋଇଛି। କଲେଜ କର୍ତୃପକ୍ଷ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ସମାଧାନ ହୋଇପାରି ନାହିଁ। କଲେଜ କର୍ତୃପକ୍ଷଙ୍କୁ ଠିକ୍‌ ଭାବେ ତଥ୍ୟ ମିଳିନି। ଏଥିପାଇଁ କିଛି କଲେଜରେ ଛାତ୍ରଛାତ୍ରୀ ନାମଲେଖାଇପାରି ନ ଥିବା ଜଣାପଡ଼ିଛି। ଯୁକ୍ତ୩ ନାମଲେଖା ବି ପ୍ରଭାବିତ ହୋଇଛି। ଆଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାର ପ୍ରଥମ ଦିନ ହୋଇଥିବାରୁ କଲେଜ କର୍ତୃପକ୍ଷ ମଧ୍ୟ ଅସୁବିଧାରେ ପଡ଼ିଥିଲେ। ନାମଲେଖାଇପାରି ନ ଥିଲେ। ଯଦି ତୁରନ୍ତ ସମାଧାନ ନ ହୁଏ ତେବେ ଶୁକ୍ରବାର ଅଧିକ ଅସୁବିଧା ହେବ ବୋଲି କଲେଜ କର୍ତୃପକ୍ଷମାନେ କହିଛନ୍ତି।

ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ ଜାଣିଶୁଣି ଏଭଳି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ କଲେଜଗୁଡ଼ିକରେ ଖାଲିଥିବା ସିଟ୍‌ ସମ୍ପର୍କରେ େଓ୍ଵବସାଇଟ୍‌ରେ ଉଲ୍ଲେଖ କରାଯିବା କଥା। ଏହାକୁ ଲୁଚାଇବା ପାଇଁ ଏଭଳି କରାଯାଇଛି। କେତେଜଣ ଛାତ୍ରଛାତ୍ରୀଙ୍କୁ ଅନୁକମ୍ପା ଦେଖାଇ ନାମଲେଖା କରିବା ପାଇଁ ବିଭାଗର ବରିଷ୍ଠ ଅଧିକାରୀ ଏଭଳି କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ କେହି ବି ମୁହଁ ଖୋଲି ନ ଥିଲେ।

ସମ୍ବନ୍ଧିତ ଖବର