ପୁଣି ପୁରୀରେ ଶାମୁକା ପାଇଁ ସ୍ୱପ୍ନ ଦେଖାଇଲେ : ଶାମୁକା ବେଳାଭୂମି ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ସଚିବ, ବଦଳିବ ମାଷ୍ଟର୍‌ ପ୍ଲାନ୍

ଭୁବନେଶ୍ୱର : ୧୪ ବର୍ଷ ତଳେ ପୁରୀରେ ଶାମୁକା ବେଳାଭୂମି ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା। ୧୧ ବର୍ଷ ତଳେ ମାଷ୍ଟର୍‌ ପ୍ଲାନ୍ ଚୂଡ଼ାନ୍ତ ହୋଇଥିଲା। ୪ ବର୍ଷ ତଳେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସ୍ବତନ୍ତ୍ର ନିଗମ ଗଠନ ‌େହାଇଥିଲା। ଏହି ୧୪ ବର୍ଷ ଭିତରେ ସରକାରଙ୍କ ମନ୍ତ୍ରୀ ଓ ସଚିବମାନେ ଶାମୁକା ନେଇ କେତେ ସ୍ବପ୍ନ ଦେଖାଇଛନ୍ତି, ତାହାର ହିସାବ ନାହିଁ। କିନ୍ତୁ ଫଳ ଶୂନ। ଏବେ ପୁଣି ଶାମୁକା ପ୍ରକଳ୍ପକୁ ନେଇ ସରକାର ରଙ୍ଗୀନ୍ ସ୍ବପ୍ନ ଦେଖାଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରକଳ୍ପର ସମୀକ୍ଷା ବୈଠକରେ ଅନେକ ଯୋଜନା ଘୋଷଣା କରିଛି ପର୍ଯ୍ୟଟନ ବିଭାଗ।

ଲୋକସେବା ଭବନରେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ କୁମାର ଦେବ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରି ଏହାକୁ ଏକ ବିଶ୍ବସ୍ତରୀୟ ଏକକ ପ୍ରକଳ୍ପ ଭାବେ ନିର୍ମାଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ୯୭୨ ଏକର ଜମିରେ ଇଡ୍‌କୋ ତୁରନ୍ତ ପାଚେରୀ ନିର୍ମାଣ କରିବ। ଏହା ସମୁଦ୍ର ତଟବର୍ତ୍ତୀ ହୋଇଥିବା ପାଚେରୀକୁ ଯଥାସମ୍ଭବ ଲୁଣା ପ୍ରଭାବ ଜନିତ ଅବକ୍ଷୟ ନିରୋଧକ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟକୁ ଧନୀକ ଶ୍ରେଣୀର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ଭଳି ପ୍ରକଳ୍ପର ପ୍ଲାନ୍ ପ୍ରସ୍ତୁତ କରିବାକୁ ଶ୍ରୀ ତ୍ରିପାଠୀ କହିଥିଲେ।

ବୈଠକ ପରେ ଗଣମାଧ୍ୟମକୁ ପର୍ଯ୍ୟଟନ ସଚିବ ଶ୍ରୀ ଦେବ କହିଥିଲେ, ଏହା ମଧ୍ୟରେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି। ପ୍ରକଳ୍ପ ନିର୍ମାଣ ନିମନ୍ତେ ଇଡ୍‌କୋ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମଙ୍କ ସହଭାଗିତାରେ ‘ଶାମୁକା ପର୍ଯ୍ୟଟନ ବିକାଶ ନିଗମ’ ନାମରେ ଯୁଗ୍ମ କମ୍ପାନି ଗଠନ କରାଯାଇଛି। ପ୍ରକଳ୍ପ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସିଆର୍‌ଜେଡ୍‌ କର୍ତ୍ତୃପକ୍ଷ ଓ ପିକେଡିଏ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିସାରିଛି। ବର୍ତ୍ତମାନ ସମୁଦ୍ର ତଟରେ ନୂଆ କରି ବାଲିକୁଦ ସୃଷ୍ଟି ହେଉଛି। ତେଣୁ ସେଗୁଡ଼ିକର କୌଣସି କ୍ଷତି ନ କରି ପ୍ରକଳ୍ପ ଯୋଜନାରେ କିଛିଟା ପରିବର୍ତ୍ତନ କରାଯିବ। ଏଥିରେ କଳା ଓ ସଂସ୍କୃତି କେନ୍ଦ୍ର, ସଂଗ୍ରହାଳୟ, ବିଳାସପୂର୍ଣ୍ଣ ହୋଟେଲ୍‌, ଗଲ୍‌ଫ୍‌ କୋର୍ସ, ଭିଲ୍ଲା, ଆବାସିକ ଆପାର୍ଟମେଣ୍ଟ୍‌, ଆତିଥ୍ୟ ପ୍ରତିଷ୍ଠାନ ଆଦି ନିର୍ମାଣ କରାଯିବ। ଖୋଲା ଜାଗା ଓ ପାର୍କ ମଧ୍ୟ ଏଠାରେ ରହିବ। ପରିବର୍ତ୍ତିତ ମା‌ଷ୍ଟର୍‌ ପ୍ଲାନ୍ ୪ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ ବୋଲି ସଚିବ କହିଥିଲେ। ବୈଠକରେ ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର, ରାଜସ୍ବ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ଯାଦବ ଓ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ପୁରୀଠାରୁ ଦକ୍ଷିଣକୁ ପ୍ରାୟ ୧୦ କିମି ଦୂରରେ ତିନି ହଜାର କୋଟି ଟଙ୍କା ବ୍ୟୟରେ ଏହି ‘ଶାମୁକା ବେଳାଭୂମି ପ୍ରକଳ୍ପ’ ନିର୍ମାଣ ପାଇଁ ପ୍ରାୟ ୧୪ ବର୍ଷ ତଳୁ ପ୍ରସ୍ତାବ ରହିଛି। ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ବିରୋଧ ଓ ଆଇନଗତ ବିବାଦ ଯୋଗୁଁ ପ୍ରକଳ୍ପ ବିଳମ୍ବ ହୋଇଚାଲିଥିଲା। ରାଜ୍ୟର ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହୋଇଥିଲେ ବି ସରକାରୀ ସ୍ତରରେ ଏଥି ପାଇଁ ସେତେଟା ତତ୍ପରତା ନ ଥିଲା। ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ୨୦୧୫ ଅକ୍ଟୋବରରେ ସରକାର ଏକ ନୂଆ ନିଗମ ଗଠନ କଲେ। ତାହାର ନାମ ରହିଲା ‘ଶାମୁକା ପର୍ଯ୍ୟଟନ ବିକାଶ ନିଗମ’(ଏସ୍‌ଟିଡିସି)। ଉଦ୍ଦେଶ୍ୟ ଥିଲା ଶାମୁକା ପ୍ରକଳ୍ପ ସମେତ ପାରିପାର୍ଶ୍ବିକ ଅଞ୍ଚଳର ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ଏହି ନିଗମ ତ୍ବରାନ୍ବିତ କରିବ। କିନ୍ତୁ ନିଗମ ଗଠନ ପୂର୍ବରୁ ଶାମୁକା ପ୍ରକଳ୍ପ ଯେମିତି ଧୀମା ଗତିରେ ଚାଲିଥିଲା, ନିଗମ ଗଠନ ହେବାର ୪ ବର୍ଷ ପରେ ମଧ୍ୟ ସମାନ ସ୍ଥିତି। ସେହି ନିଗମଟି କାହିଁକି ଗଠନ କରାଯାଇଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର