ବେଧଡ଼କ ଚୋରି ହେଉଛି ବାଲି, ପଥର, ମୋରମ୍‌

ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି

ଭୁବନେଶ୍ୱର : ହଁ, ବେଧଡ଼କ ଚୋରି ହେଉଛି। ବାଲି, ପଥର, ମାଟି, ମୋରମ୍‌ ସବୁ। କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଜିଲ୍ଲାରୁ ନୁହେଁ, ବିଭିନ୍ନ ଜାଗାରୁ। ନଦୀ ପଠାରୁ ବାଲି, ଜଙ୍ଗଲରୁ ପଥର, ସରକାରୀ ଜମିରୁ ମାଟି, ମୋରମ୍‌ ଚୋରାଚାଲାଣ ହେଉଛି। ରାଜସ୍ୱ ମନ୍ତ୍ରୀ ଆଜି ବିଧାନସଭାରେ ଏମିତି ସ୍ୱୀକାରୋକ୍ତି ପ୍ରକାଶ କରିଛନ୍ତି।

କିନ୍ତୁ ଚୋରାଚାଲାଣ ରୋକିବା ନେଇ ମନ୍ତ୍ରୀ ଦୃଢ଼ୋକ୍ତି ଦେଖାଇପାରି ନାହାନ୍ତି। ବରଂ ଅସହାୟତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜିଲ୍ଲା, ସବ୍‌ଡିଭିଜନ୍‌ ଓ ତହସିଲ୍‌ ସ୍ତରରେ ସ୍କ୍ଵାର୍ଡ ବା ଟାସ୍କଫୋର୍ସମାନ ଗଠନ କରାଯାଇ ବେଆଇନ୍‌ ଚୋରାଚାଲାଣକାରୀଙ୍କ ଉପରେ ଚଢ଼ାଉ କରାଯାଉଛି। କିନ୍ତୁ ଏଥିରେ ଚୋରାଚାଲାଣ ରୋକିବା ସମ୍ଭବ ହେଉନି। ଠିକ୍‌ ସମୟରେ ପୁଲିସ ଫୋର୍ସ ମିଳୁନି। ସେଥି ପାଇଁ ଅନେକ ସ୍ଥାନରେ ତହସିଲ୍‌ଦାର ଓ ଅନ୍ୟ କ୍ଷେତ୍ର କର୍ମଚାରୀମାନେ ଚୋରା ଚାଲାଣକାରୀଙ୍କ ଆକ୍ରମଣର ଶୀକାର ହେଉଛନ୍ତି। ଚୋରାଚାଲାଣ ରୋକିବା ପାଇଁ ଏନ୍‌ଫୋର୍ସମେଣ୍ଟ୍‌ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।

ବିଧାନସଭାର ପ୍ରଶ୍ନକାଳରେ ଶାସକ ଦଳ ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମୂଳ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ଏ ସଂକ୍ରାନ୍ତୀୟ ଆଲୋଚନା। ନଦୀ ପଠାରୁ ବାଲି ଚୋରି ନେଇ ବହୁ ବିଧାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। ଏନ୍‌ଫୋର୍ସମେଣ୍ଟ୍‌ ବ୍ୟବସ୍ଥାକୁ ଦୃଢ଼ୀକରଣ କାହିଁକି କରାଯାଉ ନାହିଁ ବୋଲି ପଚାରିଥିଲେ।

ମନ୍ତ୍ରୀଙ୍କ ଉତ୍ତର ଥିଲା, ଏଥି ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ‘ଡିଷ୍ଟ୍ରିକ୍ଟ ମିନେରାଲ୍‌ ଫଣ୍ଡ୍‌’ରୁ ୧୦ ପ୍ରତିଶତ ଏନ୍‌ଫୋର୍ସମେଣ୍ଟ୍‌ ବ୍ୟବସ୍ଥା ବାବଦରେ ଖର୍ଚ୍ଚ କରିବା ପାଇଁ ଏକ ପ୍ରସ୍ତାବ ଇସ୍ପାତ ଓ ଖଣି ବିଭାଗକୁ ଦିଆଯାଇଛି। ଡିଏମ୍‌ଏଫ୍‌ ଖର୍ଚ୍ଚ ନିୟମାବଳୀରେ ଉକ୍ତ ଅର୍ଥକୁ ଏନ୍‌ଫୋର୍ସମେଣ୍ଟ୍‌ ବ୍ୟବସ୍ଥାର ସୁଦୃଢ଼ୀକରଣ ସମ୍ପର୍କରେ ଖର୍ଚ୍ଚ କରିବା ପାଇଁ ବ୍ୟବସ୍ଥା ନାହିଁ। ଏଣୁ ମାର୍ଗଦର୍ଶିକାକୁ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ଓ ତାହା ସେହି ବିଭାଗରେ ବିଚାରାଧୀନ ଅଛି।

ବିଧାୟକ ପ୍ରଣବ ବଳବନ୍ତରାୟ କହିଥିଲେ, ଚୋରାଚାଲାଣ ପାଇଁ ଯେଉଁ ଜରିମାନା ଆଦାୟ କରାଯାଉଛି, ସେଥିରୁ ୧୦ ପ୍ରତିଶତ ଏନ୍‌ଫୋର୍ସମେଣ୍ଟ୍‌ ବ୍ୟବସ୍ଥା ଦୃଢ଼ କରିବାକୁ ଖର୍ଚ୍ଚ କଲେ ଅସୁବିଧା କ’ଣ? ମନ୍ତ୍ରୀ କହିଥିଲେ, ଜରିମାନା ଅର୍ଥ ବି ଇସ୍ପାତ ଓ ଖଣି ବିଭାଗରେ। ରାଜସ୍ୱ ବିଭାଗ କିଛି କରିପାରିବନି।

ଶାସକ ଦଳ ସଭ୍ୟ ପ୍ରଶାନ୍ତ ମୁଦୁଲି କହିଲେ, ବାଲି ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଯାଇଛି। ପଟ୍ଟଦାରମାନେ ନିଲାମ ନେଲା ପରେ ମନଇଚ୍ଛା ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି। ବର୍ଷାଦିନ ପୂର୍ବରୁ ବାଲି ଉଠାଇ ଅନ୍ୟତ୍ର ରଖୁଛନ୍ତି ଓ ଚଢ଼ା ଦରରେ ବିକ୍ରି କରୁଛନ୍ତି। ସରକାର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସେ ଦାବି କରିଥିଲେ। କିନ୍ତୁ ମନ୍ତ୍ରୀ ଏ ବାବଦରେ ପାଟି ଫିଟାଇ ନ ଥିଲେ।

କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ସାଂଘାତିକ ଆରୋପ ଲଗାଇ କହିଥିଲେ, କୋରାପୁଟ ଜିଲ୍ଲାରୁ ପ୍ରତିଦିନ ୫୦୦ରୁ ୭୦୦ ଟ୍ରିପ୍‌ ବାଲି ବାହାର ରାଜ୍ୟକୁ ଚାଲାଣ ହେଉଛି। ରାୟଗଡ଼ାରୁ ବି ଯାଉଛି। ରାୟଗଡ଼ାର ଜଣେ ବିଜେଡି ନେତା ପ୍ରତିଦିନ ୨୦୦ ଟ୍ରିପ୍‌ ଚୋରାଚାଲାଣ କରୁଛନ୍ତି। ସେହି ନେତା ଜଣଙ୍କ ରାଜ୍ୟସଭା ସାଂସଦ ଅଛନ୍ତି। ବାହାର ରାଜ୍ୟକୁ ଚାଲାଣ ହେବା ଦ୍ୱାରା ସରକାର କେତେ ରାଜସ୍ୱ ପାଉଛନ୍ତି?

ବାହାର ରାଜ୍ୟକୁ ଚାଲାଣ ହେଉଥିବା ସ୍ୱୀକାର କରି ମନ୍ତ୍ରୀ ଶ୍ରୀ ମହାନ୍ତି କହିଥିଲେ, ପଡ଼ୋଶୀ ରାଜ୍ୟରେ ବାଲିର ମୂଲ୍ୟ ବହୁତ ଅଧିକ ରହିଛି। ଚଢ଼ଉ ହେଲେ ଚୋରାଚାଲାଣ ରୋକାଯାଇପାରିବ। ତେବେ ବିଜେଡି ନେତାଙ୍କ ବାବଦରେ ମନ୍ତ୍ରୀ ପାଟି ଫିଟାଇ ନ ଥିଲେ।

ଶାସକ ଦଳର ସଭ୍ୟ ସୁବ୍ରତ ତରାଇ କହିଥିଲେ, ଯଦି ବାହାର ରାଜ୍ୟରେ ବାଲିର ଚାହିଦା ଅଧିକ ରହିଛି, ତେବେ ବାଲି ଯୋଗାଣରୁ ସରକାର ଅଧିକ ରାଜସ୍ୱ ପାଇବା ଆବଶ୍ୟକ। ଏଥି ପାଇଁ ରାଜ୍ୟ ସରକାର ନୀତି ନିର୍ଦ୍ଧାରଣ କରନ୍ତୁ।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ସ୍ୱାଇଁ କହିଥିଲେ, ଖଣି ଓ ଖଣିଜ ପଦାର୍ଥ ଦୁଇଟି ବିଭାଗ ଅଧୀନରେ ରହୁଛି। ଦୁଇଟି ବିଭାଗ ମଧ୍ୟରେ ସମନ୍ଵୟର ଅଭାବରୁ ଚୋରାଚାଲାଣ ବଢ଼ୁଛି। ଏସବୁକୁ ଗୋଟିଏ ବିଭାଗ ଅଧୀନକୁ ଆଣିବାରେ ଅସୁବିଧା କ’ଣ ? ମନ୍ତ୍ରୀ କହିଥିଲେ, ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଲଘୁ ଖଣିଜ ଦ୍ରବ୍ୟ ରାଜସ୍ୱ ବିଭାଗ ଅଧୀନରେ ଓ ଅନ୍ୟ ଖଣିଜ ଦ୍ରବ୍ୟ ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଅଛି। ଏଥିରେ ସମସ୍ୟା କିଛି ନାହିଁ। ପ୍ରଫୁଲ୍ଲ ମାଝୀ ଓ ରବିନାରାୟଣ ମହାପାତ୍ର ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର