ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ : ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ଼

ପୁରୀ : ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କଲେ କୋଟି ପୂଣ୍ୟ ମିଳେ। ଏହି ବିଶ୍ୱାସ ରଖି ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଶେଷ ଦର୍ଶନ ଭାବେ ବିବେଚିତ ‘ସଂଧ୍ୟା ଦର୍ଶନ’ କରିଛନ୍ତି। ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିଥିବାବେଳେ ଲଗାଣ ବର୍ଷା କିନ୍ତୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନ୍ତରାୟ ସୃଷ୍ଟି କରିଛି। ପୂର୍ବ ବର୍ଷ ତୁଳନାରେ ଭକ୍ତଙ୍କ ସଂଖ୍ୟା କମିଥିଲେ ବି ମହାପ୍ରଭୁଙ୍କ ପ୍ରତି ଭକ୍ତିଭାବ ରଖିଥିବା ଭକ୍ତମାନେ ପ୍ରବଳ ବର୍ଷା ସତ୍ତ୍ୱେ ସଂଧ୍ୟା ଦର୍ଶନ ଭଳି ବିରଳ ମୁହୂର୍ତକୁ ହାତଛଡ଼ା କରିନାହାନ୍ତି। ବର୍ଷାରେ ଭିଜିଭିଜି ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ସଂଧ୍ୟା ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବ୍ୟାରିକେଡ୍‌ ସହ ସିଂହଦ୍ଵାରରେ ତିନି ମେଟାଲ୍‌ ଡିଟେକ୍ଟର ଲଗାଯାଇଥିଲା। ଭକ୍ତମାନେ ସିଂହଦ୍ଵାର ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଦର୍ଶନ ସାରି ନାକଚଣା ଦ୍ଵାର ବାଟେ ବାହାରିଥିଲେ। ସାଧାରଣ ଦର୍ଶନ ବାଦ୍‌ ଆଜି ପରିମାଣିକ ଦର୍ଶନର ବି ବ୍ୟବସ୍ଥା କରାଯାଇଥିଲା। ଭିଡ଼କୁ ଦେଖି ଅଧିକାଂଶ ଭକ୍ତ ଆଜି ୫୦ ଟଙ୍କାର ପରିମାଣିକ ଟିକେଟ୍‌ କାଟି ମହାପ୍ରଭୁଙ୍କୁ ନିକଟରୁ ଦର୍ଶନ କରିଥିଲେ। ଆଜିଠାରୁ ଆଡ଼ପ ଅବଢ଼ା ମିଳିବା ସରୁଥିବାରୁ ଭକ୍ତମାନେ ଆଜି ଆଡ଼ପ ଅବଢ଼ା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରେ ପ୍ରବଳ ଭିଡ଼ ଲଗାଇଥିଲେ।

ସଂଧ୍ୟା ଦର୍ଶନ ପାଇଁ ଆଜି ବିଭିନ୍ନ ନୀତି ସଅଳ ସଂପନ୍ନ ହୋଇଥିଲା। ଭୋର ୩ଟା୫୫ରେ ଦ୍ଵାର ଫିଟିବା ପରେ ୫ଟା୪୫ରେ ମଙ୍ଗଳ ଆଳତି, ୬ଟାରେ ତଡ଼ପଲାଗି ନୀତି ସଂପନ୍ନ ହୋଇଥିଲା। ସକାଳ ୬ଟା ୫୦ରେ ଅବକାଶ, ୭ଟା ୨୦ରେ ବେଶ ଶେଷ, ସାଢ଼େ ୭ଟାରେ ରୋଷହୋମ, ୮ଟା ୨୫ରେ ଦ୍ଵାରପୂଜା, ୮ଟା ୩୫ରେ ବଲ୍ଲଭ ଭୋଗ ଲାଗି, ପୂର୍ବାହ୍‌ଣ ୧୦ଟାରେ ସକାଳ ଧୂପ ଏବଂ ସାଢ଼େ ୧୧ଟାରେ ପ୍ରଥମ ଭୋଗମଣ୍ଡପ ଉଠିଥିଲା। ମଧ୍ୟାହ୍ନ ୧୨ଟା ୧୫ରେ ଯାତ୍ରାଙ୍ଗୀ ମହାସ୍ନାନ ପରେ ସାଢ଼େ ୧୨ଟାରେ ସର୍ବାଙ୍ଗ ଚନ୍ଦନ ନୀତି ସଂପନ୍ନ ହୋଇଥିଲା। ଅପରାହ୍‌ଣ ଗୋଟାଏରେ ବେଶ ଶେଷ ପରେ ଗୋଟାଏ ୨୦ରେ ମଧ୍ୟାହ୍ନ ଧୂପ, ଅପରାହ୍‌ଣ ୧ଟା୪୦ରେ ପୂଜା ଆରମ୍ଭ ପରେ ୨ଟା ୧୦ରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା। ଭକ୍ତଙ୍କ ଆବଶ୍ୟକତା ଦୃଷ୍ଟିରୁ ଆଜି ଅପରାହ୍‌ଣ ସାଢ଼େ ୩ଟାରେ ଦ୍ଵିତୀୟ ଭୋଗମଣ୍ଡପ ଉଠିଥିଲା। ଅପରାହ୍‌ଣ ୪ଟା ୧୫ରେ ସଂଧ୍ୟା ଆଳତି, ସଂଧ୍ୟା ସାଢ଼େ ୫ଟାରେ ସଂଧ୍ୟା ଧୂପ ଶେଷ ହୋଇଥିଲା। ସଂଧ୍ୟା ଧୂପ ପରେ ଅନ୍ୟାନ୍ୟ ନୀତି ହୋଇ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଥିଲା। ଆସନ୍ତାକାଲି ବାହୁଡ଼ାଯାତ୍ରା ଥିବାରୁ ଆଜି ରାତି ୭ଟାରୁ ସଂଧ୍ୟା ଦର୍ଶନ ବନ୍ଦ କରାଯାଇଥିଲା।

ସମ୍ବନ୍ଧିତ ଖବର