ଓଡ଼ିଶା ଗସ୍ତରେ ସଂଜୟ ଯୋଶୀ

ନେତାଙ୍କ ସହ ଗୁପ୍ତ ମନ୍ତ୍ରଣା

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ସଂଜୟ ଯୋଶୀ ଆଜି ଅପରାହ୍ନରେ ଅଚାନକ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶ୍ରୀ ଯୋଶୀଙ୍କର ଏହି ଗସ୍ତ ବିଜେପି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି। ନିର୍ଦିଷ୍ଟ କେଉଁ କାରଣ ପାଇଁ ତାଙ୍କର ଏହି ଗସ୍ତ ଉଦ୍ଦିଷ୍ଟ ତାହା ଜଣାପଡିନଥିଲେ ମଧ୍ୟ ଆଜି ସଂଘ ପରିବାରର କିଛି କାର୍ଯ୍ୟକର୍ତ୍ତାଙ୍କ ସହ ସେ ନିଭୃତ ମନ୍ତ୍ରଣା କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଆଜି ରାତିରେ ସେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଗୁଜରାଟ ବିଜେପିରେ ମୋଦୀଙ୍କ ଜଣେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଗଣାଯାଉଥିବା ଶ୍ରୀ ଯୋଶୀ ଏକଦା ବିଜେପିର ସଂଗଠନ ସଂପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ। ତେବେ ଇତିମଧ୍ୟରେ ସେ ବିଜେପିର ଜାତୀୟ ରାଜନୀତିରେ ମୋଦୀ-ଶାହ ଯୋଡ଼ି ବିରୋଧୀ ଭାବେ ଜଣାଶୁଣା। ତେବେ ଗତ ୧ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସଂଘ ନେତାଙ୍କ ସହିତ ଆଲୋଚନା କରିବା ପରେ ଶ୍ରୀ ଯୋଶୀ ପୁଣି ଆସି ସଂଘ ନେତାଙ୍କ ସହିତ ପୃଥକ୍‌ ବୈଠକ କରିବା ରାଜନୈତିକ ମହଲରେ ଭିନ୍ନ ଏକ ଚର୍ଚ୍ଚା ସୃଷ୍ଟି କଲାଣି। ତେବେ ଯୋଶୀଙ୍କ ଗସ୍ତ ଉପରେ ରାଜ୍ୟ ବିଜେପି ନେତା ପାଟି ଖୋଲୁନଥିଲେ ହେଁ, ତୀକ୍ଷ୍ମ ନଜର ରଖିଥିବା ଜଣାପଡିଛି। ଓଡ଼ିଶା ବିଜେପି ବା ସଂଘର କେଉଁ କେଉଁ ନେତା ତାଙ୍କ ସହିତ ଯୋଗାଯୋଗରେ ଥିଲେ, ତାର ତାଲିକା ପ୍ରସ୍ତୁତ ଚାଲିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧିତ ଖବର