‘ସଅର’ମାନଙ୍କୁ ଆଦିବାସୀ ମାନ୍ୟତା କେବେ? : ମାସେ ଭିତରେ ଘୋଷଣା ନ ହେଲେ ବିଧାନସଭା ଘେରାଉ

ଭୁବନେଶ୍ୱର : ରାଜ୍ୟରେ ବସବାସ କରୁଥିବା ୧୧ ଲକ୍ଷ ‘ସଅର’ମାନଙ୍କୁ କେବେ ଆଦିବାସୀର ମାନ୍ୟତା ମିଳିବ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନେ ଆଦିବାସୀ ହୋଇ ମଧ୍ୟ ସରକାରୀ ନଥିରେ ଓବିସି ବର୍ଗରେ ଅନ୍ତର୍ଭୁକ୍ତ। ଯାହା ଫଳରେ ଆଦିବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନାରୁ ସେମାନଙ୍କୁ ବଞ୍ଚିତ ହେବାକୁ ପଡୁଛି। ଆସନ୍ତା ମାସେ ଭିତରେ ସେମାନଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ ନେଇ ଘୋଷଣା କରା ନ ଗଲେ ବିଧାନସଭା ଘେରାଉ କରିବାକୁ ‘ନୀଳମାଧବ ଆଦିବାସୀ ସଂଘ’ ଚେତାବନୀ ଦେଇଛି।

ଭାରତ ସରକାରଙ୍କ ଦ୍ୱାରା ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ଅନୁସୂଚିତ ଜନଜାତି ତାଲିକା ଓଡ଼ିଶା ପାଇଁ ଜାତି ନିର୍ଦ୍ଦେଶନାମା ୫୯ କ୍ରମରେ ‘ସଅର’, ‘ସୌରା’, ‘ସବର’ ଓ ‘ସହର’ ଘୋଷିତ ହୋଇଛନ୍ତି। ‘ସଅର’ ସଂପ୍ରଦାୟର କିଛି ଲୋକଙ୍କର ଜାତି ସଂଜ୍ଞା ସରକାରଙ୍କ ରେକର୍ଡରେ ‘ସବର’, ‘ଶବର’, ‘ସହର’ ଓ ‘ସଅର’ ଭାବେ ଲେଖାଯାଇଛି। ଜମି ପଟ୍ଟାରେ ଯାହା ବି ଥାଉନା କାହିଁକି ସୁପ୍ରିମ କୋର୍ଟର ଆଦେଶ ପ୍ରକାରେ ସମସ୍ତଙ୍କୁ ଏକ କରି ଜାତି ପ୍ରମାଣପତ୍ର ଦେବାକୁ ‘ଶ୍ରୀ ଶ୍ରୀ ନୀଳମାଧବ ଆଦିବାସୀ ସଂଘ’ ଦାବି କରିଛି। ଆସନ୍ତା ଏକ ମାସ ମଧ୍ୟରେ ‘ସଅର’ ସଂପ୍ରଦାୟକୁ ସ୍ୱତନ୍ତ୍ର ସାମ୍ବିଧାନିକ ଅଧିକାର ପ୍ରଦାନ ନେଇ ବିଧାନସଭାରେ ଘୋଷଣା କରା ନଗଲେ ଆଦିବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଆଜି ଉତ୍କଳ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସଭାପତି ବନମାଳୀ ନାଏକ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର