ଅନ୍ଧାରି ମୁଲକର ଗାଁ ସରାଡ଼ିଖୋଲ : ଟ୍ରାନ୍ସଫର୍ମର ବସି ତାର ଟଣା ସରିଛି, ବିଦ୍ୟୁତ୍‌ ସଂଯୋଗ ହୋଇନି

ଚାରିଛକ, (ସୌମ୍ୟରଂଜନ ସାହୁ): ଅଙ୍କାବଙ୍କା ବଣପାହାଡ ଘେରା ୪ଟି ପାହାଡ଼ ଘାଟି ରାସ୍ତା ଡେଇଁ ୬ କିମି ଗଲେ ମିଳୁଛି ଭତ୍ତା ଓ ରାସନ ସାମଗ୍ରୀ। ଯାତାୟାତ ପାଇଁ ଗାଁକୁ ସବୁଦିନିଆ ରାସ୍ତା ନାହିଁ। ଏଭଳି ଏକ ଅଭିଶପ୍ତ ଗାଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତର ସରାଡ଼ିଖୋଲ ଗାଁ।

ବ୍ଲକ ସଦରମହକୁମା ଠାରୁ ଚାରିଛକ–ଛତ୍ରଙ୍ଗ ରାସ୍ତାରେ ୧୭ କିମି ଗଲେ ପଡେ ଆଦିବାସୀ ହରିଜନ ବହୁଳ ଛତ୍ରଙ୍ଗ ପଞ୍ଚାୟତ। ଏହି ପଞ୍ଚା‌ୟତର ସଦର ମହକୁମାଠାରୁ ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲ ଦେଇ ବରଘାଟି, ପଥର ଘାଟି, ବସାଙ୍ଗୀ, ରାଜାବସା ନାଳ ଭଳି ୩/୪ଟି ଘାଟି ରାସ୍ତା ଅତିକ୍ରମ କରି ୬ କିମି ପାହାଡ ଉପରକୁ ଗଲେ ପଡ଼େ ସରାଡ଼ିଖୋଲ ଗାଁ। ପଞ୍ଚାୟତର ୯ନଂ ୱାର୍ଡ ଅର୍ନ୍ତଗତ ଏହି ଗ୍ରାମରେ ୮ଟି ଆଦିବାସୀ ପରିବାର ସହିତ ୩ଟି ଗଉଡ଼ ଏବଂ ଜଣେ ଲୁହୁରା ପରିବାରକୁ ମିଶାଇ ୧୨ଟି ପରିବାରର ପାଖାପାଖି ୭୦ ଲୋକ ବସବାସ କରନ୍ତି। ଧାନ ଚାଷ ଏମାନଙ୍କ ମୁଖ୍ୟ ଜୀବିକା ହୋଇଥିବା ବେଳେ କିଛି ଲୋକ ଛେଳି, କୁକୁଡ଼ା ଏବଂ ଗୋ ପାଳନ କରି ଜୀବିକା ନିର୍ବାହ କରୁଥିବା ଦେଖିବାକୁ ମିଳିଛି। ଗାଁରେ ଧାନ ଅମଳ ଭଲ ହେଉଥିବା ବେଳେ ଯାତାୟାତ ସୁବିଧା ନଥିବାରୁ ଚାଷୀ ଧାନ ସରକାରୀ ମଣ୍ତିରେ ବିକ୍ରି କରିପାରୁ ନଥିବା ଅଭିଯୋଗ ହେଉଛି। ଭତ୍ତା ଚାଉଳ ପାଇଁ ସେମାନେ ଗୋଟିଏ ଦିନ କଠିନ ପରିଶ୍ରମ କରି ୧୨ କିମି ପାହାଡ଼ି ରାସ୍ତାରେ ଚାଲି ଚାଲି ଯିବା ଆସିବା କରିଥାନ୍ତି। ପାଦରେ ଚାଲି ଚାଲି ଯିବା ଆସିବା କଷ୍ଟକର ହେଉଥିବା ବେଳେ ପ୍ରତି ମାସରେ ରାସନ ସାମଗ୍ରୀ ଆଣିବା ସେମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିପାଇଁ ଅଧିକାଂଶ ହିତାଧିକାରୀ ବାଧ୍ୟହୋଇ ପ୍ରତି ମାସରେ ରାସନ ସାମଗ୍ରୀକୁ ଖୁବ୍‌ କମ୍‌ ଦରରେ ଅନ୍ୟକୁ ବିକ୍ରି କରୁଥିବା କିଛି ଗ୍ରାମବାସୀ କହିଛନ୍ତି। ଫୁଣି ବର୍ତ୍ତମାନ ବାୟୋମେଟ୍ରିକ ମେସିନରେ ଟିପଚିହ୍ନ ଦେଲେ ଚାଉଳ ମିଳୁଥିବାରୁ ଅନେକ ବୁଢ଼ାବୁଢ଼ୀ ହିତାଧିକାରୀ ଚାଉଳ ପାଇଁ ପଂଚାୟତକୁ ଆସିପାରୁ ନଥିବା ଅଭିଯୋଗ ହେଉଛି।

୮ବର୍ଷ ତଳେ ଏଠାରେ ଏକ ସ୍କୁଲ ସ୍ଥାପନ ହୋଇଥିଲା। ଏହା ଏକ ଅସ୍ଥାୟୀ ଘରେ ବେଶ୍‌ କିଛି ବର୍ଷ ଚାଲିଲା ପରେ ଏକ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ଆସିଲା ଏବଂ ଘର ନିର୍ମାଣ ଆରମ୍ଭ ହେଲା। ୫ବର୍ଷ ହେଲା ଘର ନିର୍ମାଣ ଶେଷ ହୋଇନଥିବା ବେଳେ ଶିକ୍ଷକ ଆସୁ ନଥିବା ଏବଂ ଛାତ୍ର ଛାତ୍ରୀଙ୍କ ଅନୁପାତ କମ ଭଳି ବିଭିନ୍ନ ଭେଳିକି ଦର୍ଶାଇ ସ୍କୁଲଟି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇସାରିଲାଣି। ଯାହା ଫଳରେ ଗାଁର କୁନି କୁନି ପିଲା ଅର୍ଚ୍ଚିତା ମଲ୍ଲିକ, ନିର୍ମଳ ମଲ୍ଲିକ, ଅଶ୍ବିନୀ ମଲ୍ଲିକ, ଶ୍ରୀକାନ୍ତ ମଲ୍ଲିକ, ପ୍ରତିମା ମଲ୍ଲିକ, ସଂଯୁକ୍ତା ମଲ୍ଲିକ ପ୍ରାଥମିକ ଶିକ୍ଷାରୁ ବଂଚିତ ହୋଇ ବାହାରେ ସେବାଶ୍ରମ ସ୍କୁଲରେ ରହି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ନାଳ ବଢ଼ି ହେଲେ ଗ୍ରାମବାସୀ ଜଳ ବନ୍ଦୀ ଅବସ୍ଥାରେ ରହିଥାନ୍ତି। ବର୍ଷା ୪ ମାସ ପାହାଡ଼ିଆ ରାସ୍ତାରେ ଗମନା ଗମନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଉ ଥିବାରୁ ରୋଗୀଙ୍କୁ ଡାକ୍ତରଖାନା ନେବା ଆଣିବା କଷ୍ଟକର ହୋଇପଡ଼େ। ଗର୍ଭବତୀ ମହିଳାଙ୍କ ପ୍ରସବ ପାଇଁ ଏକ ମାସ ପୂର୍ବରୁ ସର୍ମ୍ପକୀୟଙ୍କ ଘରେ ଛାଡ଼ିବାକୁ ଗ୍ରାମବାସୀ ବାଧ୍ୟ ହୋଇଥାନ୍ତି। ଗାଁ ଲୋକଙ୍କ ଗାଧୁଆ ପାଧୁଆ ପାଇଁ ଏକ ମାତ୍ର କୁରମୀ ବନ୍ଧ ରହିଛି। ଏହାର ଉନ୍ନତି କରାଯାଉ ନଥିବାରୁ ଖରା ଦିନେ ଗାଁ ଲୋକେ ଗାଧୋଇବା ପାଇଁ ଟୋପାଏ ପାଣି ପାଇପାରୁ ନାହାନ୍ତି। ପାନୀୟ ଜଳର ବିକଳ୍ପ ବ୍ୟବସ୍ଥା ନଥିବାରୁ ଗାଁ ଲୋକ ବାଧ୍ୟ ହୋଇ କୂଅ ପାଣି ବ୍ୟବହାର କରୁଛନ୍ତି। ପ୍ର

ଧାନମନ୍ତ୍ରୀ ଆବାସ ପାଇଥିବା ଗ୍ରାମର ଦଣ୍ତୁଆ ବାଘ, ବିଭୀଷଣ ପ୍ରଧାନ, ଉଗ୍ରେସନ ମଲ୍ଲିକ, ସୁଦର୍ଶନ ମଲ୍ଲିକଙ୍କ ଭଳି ଅନେକ ଘର ତିଆରି ସାମଗ୍ରୀ ଆଣି ପାରୁ ନଥିବାରୁ ଘର ନିର୍ମାଣ କରିପାରୁ ନାହାନ୍ତି। ସେହିପରି ଗ୍ରାମବାସୀଙ୍କୁ ଆଜି ମଧ୍ୟ ଡିବିରି ଆଲୁଆ ଭରସା। ୨ ବର୍ଷ ତଳେ ଗାଁକୁ ବିଜୁଳି ସଂଯୋଗ ପାଇଁ ଖୁଣ୍ଟ ପୋତା, ତାର ଟଣା ସହ ଘରେ ମିଟର ଲଗା ସରିଥିଲା। ଆଜି ପର୍ଯ୍ୟନ୍ତ ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯାଇ ନାହିଁ। ନାନା ସମସ୍ୟା ସତ୍ତ୍ବେ ସେମାନେ ନିଜର ଭିଟା ମାଟିକୁ ଛାଡ଼ି କେଉଁ ଆଡ଼େ ଯିବାକୁ ଚାହୁଁ ନାହାନ୍ତି। ରାସ୍ତା ପାଇଁ ବାରମ୍ବାର ଗୁହାରି କରୁଥିଲେ ବି କେହି ଶୁଣୁ ନଥିବା ଗାଁର ତପ ମଲ୍ଲିକ, ଅର୍ଜୁନ ମଲ୍ଲିକ, ଛାୟା ପ୍ରଧାନ, ଜୟଦେବ ଜାନୀ, ରେଙ୍ଗଶା ବାଘ, ଦଣ୍ତୁଆ ବାଘ ପ୍ରମୁଖ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର

Comments are closed.