ଭୁବନେଶ୍ବର : ବିଶିଷ୍ଟ ଲେଖକ ଡ.ପ୍ରଦୀପ ଦାଶ ପାଇବେ ୪୦ତମ ଶାରଳା ପୁରସ୍କାର। ‘ଚରୁ ଚବିର ଓ ଚର୍ଯ୍ୟା’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏହା ଘୋଷଣା କରାଯାଇଛି। ପୁରସ୍କାର ସ୍ବରୂପ ଡ.ଦାଶଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ।
ଇମ୍ଫା ଦ୍ବାରା ପରିଚାଳିତ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ଏତଦ୍ବ୍ୟତୀତ ଚଳିତ ବର୍ଷ ସଂଗୀତ କ୍ଷେତ୍ରରେ ପଣ୍ଡିତ ହରମୋହନ ଖୁଣ୍ଟିଆ ‘ଇଲା ପଣ୍ଡା ସଂଗୀତ ସମ୍ମାନ’ ଏବଂ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ ‘ଇଲା ପଣ୍ଡା ଚିତ୍ରକଳା’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଉଭୟଙ୍କୁ ୧ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ। ଅକ୍ଟୋବର ୨୬ ତାରିଖରେ ମେ ଫେୟାରେ ଅନୁଷ୍ଠିତ ହେବାକୁ ଯାଉଥିବା ସ୍ବତନ୍ତ୍ର ଉତ୍ସବରେ ଶାରଳା ପୁରସ୍କାର ସହ ଉପାୟନ ପ୍ରଦାନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବାକୁ ସମ୍ମତି ଜଣାଇଛନ୍ତି। ପ୍ରକାଶଥାଉକି, ୧୯୭୯ ମସିହାରୁ ଇମ୍ପାକ୍ଟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଏଥିସହ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟ ଏକ ଉତ୍ସବରେ ‘ଏକଲବ୍ୟ ପୁରସ୍କାର’ ଦିଆଯାଉଛି।