ସାରଥିଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

କଟକ: ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। କେନ୍ଦ୍ରାପଡା ନିମ୍ନ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ଲୋଡି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ସାରଥିଙ୍କ ନୟମିତ ଜାମିନ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ସରକାରଙ୍କ ପକ୍ଷରୁ ଏଏସସି ଜ୍ୟୋତି ପ୍ରକାଶ ପାତ୍ର ମାମଲା ପରିଚାଳନା କରୁଥିଲେ। ଉଲ୍ଲେଖ ଯୋଗ୍ୟ ଯେ କ୍ରାଇମବ୍ରାଞ୍ଚ ପକ୍ଷରୁ ରୁଜୁ ୩ଟି ମାମଲାରୁ ୨ଟିରେ ସାରଥି ଜାମିନ ପାଇ ସାରିଛନ୍ତି। ବିବାଦୀୟ ଡାକ୍ତରୀ ଛାତ୍ରୀଙ୍କ ମାମଲାରେ ସାରଥିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ୨୦୧୭, ଅଗଷ୍ଟ ୪ରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଅନ୍ୟ ପକ୍ଷରେ କେନ୍ଦ୍ରାପଡାରେ ତାଙ୍କ ବିରୋଧରେ ଆଉ ଏକ ମାମଲା ବିଚାରାଧୀନ ରହିଛି। କେନ୍ଦ୍ରାପଡା ମାମଲାରେ ପୂର୍ବରୁ ମଧ୍ୟ ହାଇକୋର୍ଟରେ ସାରଥିଙ୍କ ଜାମିନ ଖାରଜ ହୋଇଥିଲା। ସୂଚନା ଯୋଗ୍ୟ ଯେ ୨୦୧୫, ଅଗଷ୍ଟ ୮ରେ ସାରଥିଙ୍କୁ କ୍ରାଇମବ୍ରାଞ୍ଚ୍‌ ଗିରଫ୍‌ କରିବା ପରେ କେନ୍ଦ୍ରାପଡାର ଜଣେ ଯୁବତୀ ଓ ତାଙ୍କ ମା’ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଝିଅକୁ ବାହା କରାଇ ଦେବାକୁ କହି ସାରଥି ମା-ଝିଅଙ୍କ ନିକଟରୁ ଚଞ୍ଚକତା କରି ସଞ୍ଚିତ ୧ ଲକ୍ଷ ୧୫ ହଜାର ଟଙ୍କା ସୁନା ଅଳଙ୍କାର ନେଇ ଯାଇଥିଲେ। ପାଶବିକ ଅତ୍ୟାଚାର କରିଥିଲେ ବୋଲି ଯୁବତୀ କରିଥିବା ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚ୍‌ ମାମଲା ରୁଜୁ କରିଥିଲା। କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ ଅଦାଲତରେ ତଦନ୍ତକାରୀ ସ˚ସ୍ଥା ସାରଥି ଓ ତାଙ୍କ ସହଯୋଗୀ ଶରତ ପାତ୍ରଙ୍କ ବିରୋଧରେ ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ୍‌ କରି ସାରିଛି।

ସମ୍ବନ୍ଧିତ ଖବର