ଖତ ଖାଉଛି ସର୍ଦ୍ଦାର ରାଜା ମେଡିକାଲ କଲେଜ

ସରକାରଙ୍କ ୧୦ କୋଟି ଟଙ୍କା ପାଣିରେ ପଡ଼ିଲା

ଜୁନାଗଡ, (ଦେବେନ୍ଦ୍ର କୁମାର ବିଶି): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଜାରିଙ୍ଗସ୍ଥିତ ସର୍ଦ୍ଦରା ରାଜା ମେଡିକାଲ କଲେଜ ରାଜ୍ୟ ସରକାରଙ୍କ ପାଇଁ ଅଲୋଡ଼ା ହୋଇଗଲା। ଏହି କଲେଜ ୩ ବର୍ଷ ହେଲା ବନ୍ଦ ପଡ଼ିଥିବା ବେଳେ ନିର୍ମାଣ ହୋଇଥିବା କୋଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟିଛି। ରକ୍ଷଣାବେକ୍ଷଣା ଅଭାବରୁ ଏହି ମେଡିକାଲ କଲେଜ ଭୂତକୋଠିରେ ପରିଣତ ହୋଇଛି। ଫଳରେ ସରକାରଙ୍କ ୧୦ କୋଟି ଟଙ୍କା ପାଣିରେ ପଡିଲା। ଜାରିଂ ସ୍ଥିତ ସର୍ଦ୍ଦାର ରାଜ ମେଡିକାଲ କଲେଜ ବନ୍ଦ ହେଲା ପରେ ସରକାର ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଭଙ୍ଗାବାରି ଠାରେ ବେଦାନ୍ତ କମ୍ପାନିର ସହାୟତା ରାଶିରେ ଆଉ ଏକ ନୂତନ ସରକାରୀ ମେଡିକାଲ ନିର୍ମାଣ ପାଇଁ ଘୋଷଣା କଲେ। ଘୋଷଣାର ଦୁଇବର୍ଷ ବିତି ଯାଇଥିଲେ ସୁଦ୍ଧା ସେଠାରେ ଇଟା ଖଣ୍ଡେ ମଧ୍ୟ ପଡିନାହିଁ।

୨୦୦୪ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡିଶା ପାଇଁ ସରକାର ପିପିପି ମୋଡରେ ୩ଟି ମେଡିକାଲ ନିର୍ମାଣ କରିବା ପାଇଁ ଘୋଷଣା କଲେ। ସେଥିମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଦାୟିତ୍ୱ ଦିଆଯାଇଥିଲା। ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ମେଡିକାଲ କଲେଜ ନିର୍ମାଣ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିଲା। ସିଙ୍ଗିଲ ଟେଣ୍ଡର ହେତୁ ଏହାକୁ ରାଜ୍ୟ ସରକାର ବାତିଲ କରି ଦେଇଥିଲେ। ପରେ ରାଜ୍ୟ ସରକାର ବାଧ୍ୟ ହୋଇ ସେଲଭାମ ଚେରେଟେବୁଲ ଟ୍ରଷ୍ଟର ସର୍ଦ୍ଦାର ରାଜାଙ୍କୁ ନିର୍ମଣା ଦାୟିତ୍ୱ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଜାରିଂ ଠାରେ ୨୫ ଏକର ଜମି ଓ ୧୦କୋଟି ଆର୍ଥିକ ଟଙ୍କା ଯୋଗାଇ ଦିଆଯାଇଥିଲା।

ତେବେ ସର୍ଦ୍ଦାର ରାଜାଙ୍କ ଦେହାନ୍ତ ପରେ ପୁଅ ଜନସନ ରାଜା ମେଡିକାଲ କଲେଜର ସମସ୍ତ ଦାୟିତ୍ୱ ନିଜ ହାତକୁ ନେଇଥିଲେ। ୨୦୧୫ ମସିହାରେ ଜନସନ ରାଜା ଏମସିଆଇକୁ ଲାଞ୍ଚ ଦେଇ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ୧୦୦ ସିଟ ହାତେଇ ଥିବା ଅଭିଯୋଗ ହୋଇଥିଲା। ୨୦୧୬ ମସିହାରେ ଏହି ଚଞ୍ଚକତା ସିବିଆଇ ଦ୍ୱାରା ଧରାପଡିବା ପରେ ଏମସିଆଇ ଏହାକୁ ନାକଚ କରି ଦେଇଥିଲେ। ଏନେଇ ସୁପ୍ରିମକୋର୍ଟ ସଲଭାନ ଚେରେଟେବୁଲ ଟ୍ରଷ୍ଟକୁ ୨କୋଟି ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ ଏବଂ କଲେଜରେ ପଢୁଥିବା ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ୧୨୪ ଜଣ ଛାତ୍ରଛାତ୍ରୀଙ୍କୁ ଅନ୍ୟ କଲେଜ ମାନଙ୍କରେ ସ୍ଥାପିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ଏବେ ମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ କେବେ ନିର୍ମାଣ ହେବ ସେନେଇ ସରକାର କିଛି ନକହିବା ନେଇ କଳାହାଣ୍ଡିବାସୀଙ୍କୁ କଠୋରଘାତ କରିଥିବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଉଦାସୀନତା ଏବଂ ରାଜନେତାଙ୍କ ଅବହେଳା ଯୋଗୁଁ ଗତ ଦୁଇ ବର୍ଷ ହେଲା କଳାହାଣ୍ଡିବାସୀ ସରକାରୀ ମେଡିକାଲ କଲେଜ ପାଇଁ ଦିବା ସ୍ୱପ୍ନ ଦେଖୁଛନ୍ତି।

ସମ୍ବନ୍ଧିତ ଖବର