ମହିଳା କାର୍ଡ ଖେଳିଲା ବିଜେଡି : ବାରିପଦାରେ ସାନନ୍ଦଙ୍କ ବଦଳରେ ସରୋଜିନୀ

ବାରିପଦା : ପ୍ରାର୍ଥିପତ୍ର ଦାଖଲ ପାଇଁ ମାତ୍ର ୨ ଦିନ ବାକିଥିବାବେଳେ ଆଜି ଗୁରୁତ୍ବପୂର୍ଣ୍ଣ ବାରିପଦା ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି ଶାସକ ବିଜେଡି। ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତ୍ରୀ ସରୋଜିନୀ ହେମ୍ବ୍ରମ୍‌ଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ। ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ଟିକେଟ୍‌ କାଟି ସରୋଜିନୀଙ୍କୁ ବିଜେଡି ବାରିପଦା ନିମନ୍ତେ ଟିକେଟ୍‌ ପ୍ରଦାନ କରିଛି। ଦଳୀୟ ଟିକେଟ୍‌ରୁ ବଞ୍ଚିତ ହୋଇଥିଲେ ମଧ୍ୟ ସାନନ୍ଦଙ୍କୁ ସରୋଜିନୀଙ୍କ ସ୍ଥାନରେ ରାଜ୍ୟସଭାକୁ ପଠା ଯାଇପାରେ ବୋଲି ସୂଚନା ମିଳିଛି।

ରାଜ୍ୟର ଜଣାଶୁଣା ଆଦିବାସୀ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଚୈତନ୍ୟ ପ୍ରସାଦ ମାଝୀଙ୍କ ଝିଅ ସରୋଜିନୀ ୨୦୦୯ରେ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରୁ ବିଜେଡିରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୨-୧୪ ପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ମାତ୍ର ୨୦୧୪ରେ ସୁଦାମ ମାର୍ଣ୍ଡିଙ୍କ ବିଜେଡିରେ ଯୋଗଦାନ ପରେ ସରୋଜିନୀଙ୍କୁ ଆଉ ବିଧାନସଭାରେ ଲଢ଼ିବା ନିମନ୍ତେ ସୁଯୋଗ ମିଳିନଥିଲା। ତାଙ୍କୁ ରାଜ୍ୟସଭା ପଠାଇଥିଲେ ନବୀନ। ଚଳିତ ନିର୍ବାଚନରେ ବାରିପଦା ଆସନରେ ବିଧାୟକ ସାନନ୍ଦଙ୍କ ଲୋକପ୍ରିୟତା ହ୍ରାସ ପରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିପାରେ ବୋଲି ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ତାହା ଆଜି ସତ ପ୍ରମାଣିତ ହୋଇଛି। ଏହି ଗୁରୁତ୍ବପୂର୍ଣ୍ଣ ଆସନରେ କୌଣସି ରିସ୍କ୍‌ ନ ନେଇ ଦଳ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ସରୋଜିନୀଙ୍କୁ ଦଳୀୟ ଟିକେଟ୍‌ ପ୍ରଦାନ କରିଛି। ଏହା ସହିତ ଜିଲ୍ଲାର ସଦର ମହକୁମାରେ ମହିଳା କାର୍ଡ଼ ଖେଳି ବିରୋଧୀ ଦଳଙ୍କୁ ମଧ୍ୟ ଚେକ୍‌ ଦେଇଛନ୍ତି ନବୀନ। ତେବେ ବରିଷ୍ଠ ନେତା ସାନନ୍ଦଙ୍କ ଟିକଟ‌ କଟିଥିବାରୁ ତାଙ୍କ ସମର୍ଥକମାନେ କିପରି ସରୋଜିନୀଙ୍କୁ ସମର୍ଥନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ବାରିପଦାର ୧୧, ଖୁଣ୍ଟାର ୧୪ ଓ ବଡ଼ସାହି ବ୍ଲକ୍‌ର ୯ଟି ପଞ୍ଚାୟତ ସମେତ ବାରିପଦା ମ୍ୟୁନିସିପାଲିଟିକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀର ଖୁଣ୍ଟା ଓ ବଡ଼ସାହି ବ୍ଲକ୍‌ରେ ସାନନ୍ଦଙ୍କ ଦବଦବା ରହିଛି। ଯଦିଓ ସରୋଜିନୀଙ୍କ ପ୍ରାର୍ଥିତ୍ବ ବିଜେଡିକୁ ବାରିପଦା ମ୍ୟୁନିସିପାଲିଟିରେ ସୁବିଧାଜନକ ସ୍ଥିତିରେ ରଖିବ। ମାତ୍ର ନିର୍ବାଚନମଣ୍ଡଳୀର ଗ୍ରାମାଞ୍ଚଳରେ ଥିବା ସାନନ୍ଦଙ୍କ ସମର୍ଥକଙ୍କୁ ନେଇ ସରୋଜିନୀଙ୍କୁ ଚାଲିବାକୁ ହେବ। ଟିକେଟ୍‌ ପାଇନଥିଲେ ମଧ୍ୟ ଦଳର ଜଣେ ଶୃଙ୍ଖଳିତ କର୍ମୀଭାବେ କାମ କରିବେ ବୋଲି କହିଛନ୍ତି ସାନନ୍ଦ। ସେ ବିଜେଡ଼ି ଛାଡ଼ିବେ ନାହିଁ ବୋଲି ମଧ୍ୟ ସାନନ୍ଦ ପ୍ରକାଶ କରିଛନ୍ତି।

ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ

ଆଜି ବିଜେଡି ବାରିପଦା ନିମନ୍ତେ ପ୍ରାର୍ଥୀ ଘୋଷଣା କରିବା ପରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ୍‌ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବା ସ୍ପଷ୍ଟ ହୋଇଛି। ପୂର୍ବରୁ ଏହି ଆସନରୁ ବିଜେପି ପ୍ରକାଶ ସୋରେନ୍‌ଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ୍‌ ଦଶରଥ ସିଂଙ୍କୁ ମଇଦାନକୁ ଆଣିଛି। ବିଜେଡି ଚଳିତ ଥର ବାରିପଦା ଆସନରେ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ବଦଳରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କରିଛି। ଦଳୀୟ ଟିକେଟ୍‌ ପାଇବା ପରେ ସରୋଜିନୀ ବାରିପଦାରୁ ବିଜୟୀ ହେବେ‌ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେବେ ସାନନ୍ଦଙ୍କ ବଦଳରେ ସରୋଜିନୀ ଟିକେଟ୍‌ ପାଇଲେ ମଧ୍ୟ କୌଣସି ପ୍ରଭାବ ପଡ଼ିବନି ବୋଲି ବିଜେପି ପ୍ରାର୍ଥୀ ପ୍ରକାଶ ସୋରେନ୍‌ ପ୍ରକାଶ କରିଛନ୍ତି। କଂଗ୍ରେସ୍‌ରୁ ପ୍ରାର୍ଥୀ ହୋଇଥିବା ଦଶରଥ ସିଂ କିନ୍ତୁ ଦଳୀୟ କନ୍ଦଳର ସମ୍ମୁଖୀନ ହୋଇଛନ୍ତି। ଏହି ଆସନରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ।

ସମ୍ବନ୍ଧିତ ଖବର