ପ୍ରେମ ବିବାହ ପରେ ପ୍ରଥମ ପତ୍ନୀଙ୍କୁ ଧୋକା ଦେବା ଅଭିଯୋଗରେ ଗିରଫ ହେଲେ ବୌଦ୍ଧ ଜିଲ୍ଲାର ସରପଞ୍ଚ

ବୌଦ୍ଧ : ପ୍ରେମ ଓ ପ୍ରତାରଣାକୁ କେନ୍ଦ୍ର କରି ବୌଦ୍ଧ ଜିଲ୍ଲାର ଜଣେ ସରପଞ୍ଚଙ୍କୁ ପୁଲିସ ଗିରଫ କରିବା ଘଟଣା ଏବେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନା ପୁଲିସ ଉକ୍ତ ସରପଞ୍ଚଙ୍କୁ ତାଙ୍କ ଗାଁରୁ ଗିରଫ କରିଥିବା ଜଣାଯାଇଛି। ୬ ବର୍ଷ ଧରି ପ୍ରେମ ସଂପର୍କ ରଖି ଜଣେ ଯୁବତୀଙ୍କୁ ବିବାହ କରିବାର କିଛି ଦିନ ପରେ ଆଉ ଜଣଙ୍କୁ  ବିବାହ କରିଥିବାର ଅଭିଯୋଗ ଆସିବାରୁ ସରପଞ୍ଚଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିଛି। ପ୍ରେମ, ବିବାହ ଓ ତା’ପରେ ପ୍ରତାରଣା ଅଭିଯୋଗ ଆସିବା ପରେ ପୀଡ଼ିତାଙ୍କ ଏତଲା ଆଧାରରେ ସରପଞ୍ଚଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ମଣ୍ଡିପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ(୩୮) ଗତ ୬ ବର୍ଷ ଧରି ପ୍ରେମ ସଂପର୍କ ରଖିବା ପରେ ଭୁବନେଶ୍ବରର ଡମଣା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏବେ ଉକ୍ତ ଯୁବତୀ ଗର୍ଭବତୀ ଥିବା ସମୟରେ ତାଙ୍କ ସ୍ବାମୀ  ଆଉ ଜଣଙ୍କୁ ବିବାହ କରିଥିବା ଖବର ପାଇଥିଲେ। ଏହାପରେ ‌ଯୁବତୀ ଜଣକ ପୁଲିସରେ ଅଭିଯୋଗ କରିଥିଲେ।

ସୂଚନା ଅନୁସାରେ, ସରପଞ୍ଚ ଅନ୍ତର୍ଯ୍ୟାମୀ ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକର କନିଷ୍ଠ ଯନ୍ତ୍ରୀ ଲଳିତା ମାଝି (୩୫)ଙ୍କୁ  ବିବାହ କରି ପ୍ରାୟ ଛଅ ମାସ ହେବ ନିଜ ଗାଁ ଘରେ ରଖିଛନ୍ତି। ଲଳିତାଙ୍କ ସହ ଅନ୍ତର୍ଯ୍ୟାମୀଙ୍କର କିଛି ମାସ ତଳେ ପ୍ରେମ ସଂପର୍କ ଗଢ଼ିଉଠିଥିଲା ଓ ପରେ ସେ ତାଙ୍କୁ କୋର୍ଟରେ ବିବାହ କରିଥିବା ଜଣାପଡ଼ିଛି । ଏହା ଜାଣିବାପରେ ସରପଞ୍ଚଙ୍କର ପ୍ରଥମ ପତ୍ନୀ  ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ମଣ୍ଡିପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର