୭ରେ ସରପଞ୍ଚଙ୍କ ବିକ୍ଷୋଭ

ଭୁବନେଶ୍ୱର : ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ ସରପଞ୍ଚ ମହାସଂଘ। ରାଜ୍ୟର ୩୦ ଜିଲ୍ଲାର ୩୧୪ ବ୍ଲକର ୬୮୦୨ ସରପଞ୍ଚ ଏକାଠି ହୋଇ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିବେ। ପରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାନେତ୍ରୀ ପୁଷ୍ପା ନାଏକ। ଦାବିଗୁଡ଼ିକ ମଧ୍ୟରେ ସରପଞ୍ଚଙ୍କ ବିରୋଧରେ ୱାର୍ଡ ସଭ୍ୟ ଆଣୁଥିବା ଅନାସ୍ଥା ପ୍ରସ୍ତାବକୁ ଯଥାଶୀଘ୍ର ଉଚ୍ଛେଦ, ମାସିକ ଭତ୍ତା ୧୦ ହଜାର, ଅବସରକାଳୀନ ଭତ୍ତା ମାସିକ ୨ ହଜାର, ହାତପାଣ୍ଠି, ତ୍ରିସ୍ତରୀୟ ପଞ୍ଚାୟତି ରାଜ୍‌ ବ୍ୟବସ୍ଥା ମୁତାବକ ୨୯ ବିଭାଗକୁ ପଞ୍ଚାୟତ ଅଧୀନକୁ ଆଣିବା, ପ୍ରତ୍ୟେକ ସରପଞ୍ଚଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଓ ଦୈବୀଦୁର୍ବିପାକରେ ଉଚିତ କ୍ଷତିପୂରଣ ପ୍ରଦାନ କରିବା ମୁଖ୍ୟ ରହିଛି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟ ଆବାହକ ଦିଗମ୍ବର ଜେନା ଓ ରାଜ୍ୟ ସମ୍ପାଦିକା‌ କଳ୍ପନା ମାରାଣ୍ଡିଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାପତି ଯଥା କେଉଁଝରର ଅଖିଳ ନାଏକ, କଟକର ପଙ୍କଜ ସାହୁ, ପୁରୀର ପ୍ରକାଶ ଧଳ, ଖୋର୍ଦ୍ଧାର ଶେଷଦେବ ପ୍ରଧାନ, ଗଜପତିର ଜୋହନ ଦଳବେହେରା, ନବରଙ୍ଗପୁରର ସୂର୍ଯ୍ୟ ରନ୍ଧାରୀ, କୋରାପୁଟର ଭଗବାନ ମୁଦୁଲି, ବାଲେଶ୍ବରର ତ୍ରିଲୋଚନ ପାଣିଗ୍ରାହୀ, କଳାହାଣ୍ଡିର ରବୀନ୍ଦ୍ର ସାହୁ, ଅନୁଗୁଳର ଅକ୍ଷୟ ପାଣି, ସୋନପୁରର ପ୍ରକାଶ ସାହୁ, ବରଗଡ଼ର ପ୍ରମୋଦ ସାହା, ଅନିତା ପଟେଲ, ଯାଜପୁରର ସୁଜିତ ମହାନ୍ତି, ଜ୍ୟୋତିର୍ମୟୀ ମହାପାତ୍ର, ବାଷ୍ପଲତା ପ୍ରଧାନ, ଅଭିମନ୍ୟୁ ପଣ୍ଡା, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର