କଂଗ୍ରେସ ଭବନରେ ସ୍ୱର୍ଗତ ବିଜୟ ପାଣିଙ୍କ ଜନ୍ମ ଶତବାର୍ଷିକୀ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମୋତ୍ସବ

ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ବିଶିଷ୍ଟ ଜନନେତା, ପୂର୍ବତନ ବିଧାୟକ ତଥା ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ସ୍ୱର୍ଗତଃ ବିଜୟ କୁମାର ପାଣିଙ୍କ ଜନ୍ମ ଶତବାର୍ଷିକୀ ଓ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍‌ଙ୍କ ଜନ୍ମୋତ୍ସବ ପାଳିତ ହୋଇଛି। ଉତ୍ସବରେ ଯୋଗଦେଇ ପିସିସି ସଭପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ ନିଜସ୍ୱ କର୍ତବ୍ୟ ନିଷ୍ଠା ପାଇଁ ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ଦ୍ୱାରା ସ୍ୱର୍ଗତଃ ବିଜୟ କୁମାର ପାଣି ଆଦୃତ ହୋଇଥିଲେ। କଂଗ୍ରେସକୁ ସରକାରକୁ ଆଣିବାରେ ତାଙ୍କର ଅବଦାନକୁ ଭୁଲିହେବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ କହିଲେ ଯେ ବିଜୟ ବାବୁଙ୍କର ଏକ ଉତ୍ତୁୁଙ୍ଗ ବ୍ୟକ୍ତିତ୍ୱ ଥିଲା। ତାଙ୍କର ସାଂଗଠନିକ ପରାକାଷ୍ଠାରେ ଆଜିର ଯୁବପିଢି ଅନୁପ୍ରାଣିତ ହେଲେ ସମାଜରେ ପରିବର୍ତନ ଆସିବ। ଦଳୀୟ ଉପସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପିସିସି କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲ, ଉପସଭାପତି ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ପୂର୍ବତନ ନଗରପାଳ ଡାକ୍ତର ଜଗନ୍ନାଥ ମହାପାତ୍ର, ଉପସଭାପତି ଶିବାନନ୍ଦ ରାୟ, ବରିଷ୍ଠ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ପ୍ରମୁଖ ସ୍ୱର୍ଗତଃ ପାଣିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତଃ ବିଜୟ ପାଣିଙ୍କ ସୁପୁତ୍ର ଡା. ବିନୟ କୁମାର ପାଣି ଧନ୍ୟବାଦ ଦେଇଥିଲେ। ଗୁରୁ ଦିବସ ଅବସରରେ ବାସ୍ତୁବିତ୍‌ ଡ. ମନୋଜ ଲେଙ୍କା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରିଥିଲେ। ଏହି ଅବସରରେ କଂଗ୍ରେସ ଭବନରେ ଆୟୋଜିତ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିରକୁ ପିସିସି ସଭାପତି ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର