ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଜେ଼ଡିର ଜବାବ : ଭୋଟ ବେଳେ ପର୍ଯ୍ୟଟନ କରୁଛନ୍ତି ବିଜେପି ନେତା

ଭୁବନେଶ୍ବର : ନିର୍ବାଚନ ଆସିବାରୁ ଓଡ଼ିଶାକୁ ବିଜେପିର ନେତାମାନେ ପର୍ଯ୍ୟଟନ ଭ୍ରମଣରେ ଆସୁଛନ୍ତି। ଓଡ଼ିଶାର ବିକାଶ ପାଇଁ କେବେ ବି ଦେଖା ମିଳୁନଥିବା ବିଜେପିର ନେତାମାନେ ନିର୍ବାଚନ ଆସିବାରୁ ଭୋଟ ଓ କ୍ଷମତା ପାଇଁ ଏବେ ରାଜ୍ୟକୁ ଘନଘନ ଗସ୍ତ କରୁଛନ୍ତି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ଭାଷଣ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଏଭଳି କଡ଼ା ପ୍ରତିକ୍ରିୟା ରଖିଛି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ନ ନେଇ କଟାକ୍ଷ କରି କହିଛନ୍ତି, ବିଜେପି ନେତାମାନେ ୫ ବର୍ଷ ଧରି ଶୋଇଥିଲେ କେଉଁଠି? ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ହେଉ କି ମହାନଦୀ ପାଣିକୁ ଛତିଶଗଡ଼ ଚୋରି କରିବା ପ୍ରସଙ୍ଗରେ ବିଜେପି ନେତାମାନଙ୍କର ଦେଖା ନଥିଲା। କେନ୍ଦ୍ର ବାରମ୍ବାର ରାଜ୍ୟକୁ ପ୍ରତିଶ୍ରୁତି ଦେଇ ପାଳନ କରିନଥିବା ପ୍ରସଙ୍ଗ ଯେପରି ଦ୍ବିତୀୟ ବ୍ରାହ୍ଣଣୀ ସେତୁ, ରାଉରକେଲାରେ ଇସ୍ପାତ ମେଡିକାଲ କଲେଜ ସ୍ଥାପନ ପାଇଁ ସେମାନଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ତାହାର ଜବାବ ଦେବାକୁ ବିଜେଡି ଆହ୍ବାନ କରିଛି। ବିଜେଡି ମୁଖପାତ୍ର ଡ. ପାତ୍ର ଆହୁରି କହିଛନ୍ତି, ନିର୍ବାଚନୀ ପର୍ଯ୍ୟଟନ ଭ୍ରମଣରେ ଆସି ବଡ଼ବଡ଼ କଥା କହୁଥିବା ବିଜେପି ନେତାଙ୍କର ରାଜ୍ୟର ବିକାଶ ପ୍ରତି ସାମାନ୍ୟତମ ଅବଦାନ ନାହିଁ। ଅନ୍ୟପକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଓଡ଼ିଶା ୧୯ ବର୍ଷ ଭିତରେ ଏକ ଆଦର୍ଶ ରାଜ୍ୟରେ ପରିଗଣିତ ହୋଇଛି। ଓଡ଼ିଶାରେ ଗୋଟିଏ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ଗଢ଼ିବାକୁ ରାଜ୍ୟବାସୀ କେବେ ବି ଚାହିଁବେ ନାହିଁ ହୋଲି ବିଜେଡି କହିଛି। ବରଂ ବିଜୁ ଜନତା ଦଳ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁଣି ଥରେ ଏକ ସ୍ଥିର ଏବଂ ସଚ୍ଚୋଟ ସରକାର ଗଠନ ପାଇଁ ଭୋଟ ଦେବେ ବୋଲି ଡ. ପାତ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହା ବ୍ୟତୀତ ଧାନର ଏମଏସପି କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କଣ ପାଇଁ ହୋଇନାହିଁ? କାଳିଆ ଯୋଜନାକୁ ବିଜେପି କଣ ପାଇଁ ବନ୍ଦ କରିଛି? ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ସହାୟତା ବ୍ୟବସ୍ଥା ଥିବାବେଳେ ଆୟୁଷ୍ମାନ ଯୋଜନାରେ କମ୍ କାହିଁକି ବୋଲି ବିଜେଡି ପ୍ରଶ୍ନ କରିବ‌ା ସହ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟବାସୀଙ୍କୁ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଅ‌ାହ୍ବାନ ଦେଇଛି।

ସମ୍ବନ୍ଧିତ ଖବର