ସ୍ୟାଟ୍‌ରେ ଅଦାଲତ ଅବମାନନା ମାମଲା : ସଚିବ, ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ବିଦ୍ୟାଳୟ ଓ ଗଣିଶିକ୍ଷା ସଚିବ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତ ଅବମାନନାର ଚାର୍ଜ ଗ୍ରହଣ କରିବାକୁ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଯଦି ଅବହେଳା ହୁଏ ତେବେ ଉଭୟ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି ଭଳି କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ୟାଟଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ପ୍ରଥମ ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସ୍ୟାଟ୍ କାର୍ଯ୍ୟକାରୀ ଅଧ୍ୟକ୍ଷ ଜ୍ଞାନରଂଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ କାର୍ତ୍ତିକ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୬, ସେପ୍ଟେମ୍ବର ୧୬ରେ ସ୍ୟାଟ୍ ପ୍ରଦାନ କରିଥିବା ନି‌ର୍ଦ୍ଦେଶ ପାଳନରେ ଗଣଶିକ୍ଷା ବିଭାଗ ଅବହେଳା କରିବାରୁ ୨୦୧୭ରେ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଅଦାଲତ ଅବମାନନା ମାମଲାର ଶୁଣାଣି କରି ସ୍ୟାଟ୍ ୨୦୧୭, ଅଗଷ୍ଟ ୧୮ରେ ଗଣିଶିକ୍ଷା ସଚିବ ଓ ମାଧ୍ୟମିକ ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏହାପରେ ୨୦୧୯, ଜାନୁଆରି ୩୦ରେ ସ୍ୟାଟ୍ ମାମଲାର ଶୁଣାଣି କରି ପୂର୍ବ ନି‌ର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ଗଣଶିକ୍ଷା ବିଭାଗକୁ ନି‌‌େର୍ଦ୍ଦଶ ଦେଇଥିଲେ। ଯଦି ଏଥିରେ ଖିଲାପ କରାଯାଏ ତେବେ ଗଣିଶିକ୍ଷା ସଚିବ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବ୍ୟକ୍ତିଗତ ଭାବେ ହାଜର ହେ‌ବେ ବୋଲି ନି‌ର୍ଦ୍ଦଶରେ ଉଲ୍ଲେଖ କରାଯାଇଥିଲା। ଏହା ପରେ ମଧ୍ୟ ଗଣଶିକ୍ଷା ବିଭାଗ ସ୍ୟାଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନଥିଲା ବୋଲି ଅଭିଯୋଗ ହୋଇଥିଲା। ସିଲେକ୍ସନ ବୋର୍ଡ ଯେତେ‌ବେଳେ ଏଲଏସଇଏସ୍‌ରୁ କନିଷ୍ଠ ଏସଇଏସ ଶିକ୍ଷକ ପଦକୁ ପଦୋନ୍ନତି ଦେଉଥିଲା ସେତେବେଳେ ୧୯୭୨ ଶିକ୍ଷା ନିୟମ ଓ ୧୧୯୩ ଶିକ୍ଷା ନିୟମ ଅନୁଯାୟୀ ଏଏସଇଏସର ୩ ବର୍ଷ ପରଠାରୁ ବରିଷ୍ଠତା ଦିଆଯାଉଥିଲା। ଏପରି ଭାବେ ସରକାରୀ ହାଇସ୍କୁଲରେ ଶିକ୍ଷକଙ୍କ ପଦୋନ୍ନତି ହେଉଥିବା ବେଳେ ୧୯୯୪ ପରେ ଯେଉଁ ପ୍ରକ୍ରିୟାରେ ପଦୋନ୍ନତି ପ୍ରଦାନ କରାଗଲା ସେଥିରେ ପ୍ରାୟ ୧୫/୨୦ ବର୍ଷରେ ଉକ୍ତ ଏଲଏସଇଏସ୍ ଶିକ୍ଷକଙ୍କୁ ପିଛିଲା ବରିଷ୍ଠତା ଦିଆଗଲା ନାହିଁ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ପ୍ରଭାବିତ ଶିକ୍ଷକମାନେ ଗଣିଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଏପରି ପରିସ୍ଥିତିରେ ପଦୋନ୍ନତି ପ୍ରସଂଗକୁ ନେଇ ଶିକ୍ଷକମାନେ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ଏ ନେଇ ବହୁ ଶିକ୍ଷକ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ସରକାର ସ୍ୟାଟଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। କିନ୍ତୁ ହାଇକୋର୍ଟ ମାମଲାର ଶୁଣାଣି କରି ସ୍ୟାଟଙ୍କ ନିର୍ଦ୍ଦେଶ କାଏମ ରଖିବା ସହିତ ସରକାରଙ୍କ ଆବେଦନ ଅଗ୍ରାହ୍ୟ କରିଥିଲେ। ଏହା ପରେ ମଧ୍ୟ ଗଣଶିକ୍ଷା ବିଭାଗ ସ୍ୟାଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନଥିବାରୁ ଏ ନେଇ ସ୍ୟାଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର