ସ୍ୟାଟ୍‌ ଭବିଷ୍ୟତ ପ୍ରସଙ୍ଗ : ପକ୍ଷ ରଖିବାକୁ ସମୟ ଲୋଡ଼ିଲା କେନ୍ଦ୍ର, ଜୁନ୍‌ ୨୧ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି

କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ୍‌(ସ୍ୟାଟ୍‌)ର ଭବିଷ୍ୟତ ପ୍ରସଙ୍ଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂପର୍କରେ କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ପର୍ସୋନେଲ ଆଣ୍ଡ୍‌ ଟ୍ରେନିଂ(ଡିଓପିଟି) ପକ୍ଷ ରଖିବା ପାଇଁ ହାଇକୋର୍ଟରେ ଅଧିକ ସମୟ ଲୋଡିଛି। ଆଜି ଜଷ୍ଟିସ ଏସ.ସି.ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସ୍ୟାଟ୍‌ ସଂପର୍କିତ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିକ ମହଲତ ପ୍ରଦାନ ପାଇଁ ନିବେଦନ କରାଯାଇଥିଲା। ଏପରି ପରିସ୍ଥିତିରେ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୨୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଡିଓପିଟି ନିଜ ପକ୍ଷ ରଖିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ୭ ତାରିଖରେ ମାମଲାର ଶୁଣାଣି ସମୟରେ ପ୍ରତିପକ୍ଷ ଦର୍ଶାଇଥିଲେ ଯେ ସ୍ୟାଟ୍‌ର ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସଂଗରେ ରାଜ୍ୟ ସରକାର ପ୍ରସ୍ତାବ ଡିଓପିଟି ନକଟକୁ ପଠାଇଛନ୍ତି। ଯଦି ରାଜ୍ୟ ସରକାର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି ତେବେ ଏହି ପ୍ରସଂଗରେ ଡିଓପିଟିର କଣ ଆଭିମୁଖ୍ୟ ରହିବ ସେ ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ କେନ୍ଦ୍ର ସରକାର ସ୍ପଷ୍ଟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ମେ’ ୧୭ ସୁଦ୍ଧା ସ୍ୟାଟ୍‌ର ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସଙ୍ଗରେ ମଧ୍ୟ ଡିଓପିଟି ସ୍ଥିତି ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର, ଉଲ୍ଲାସ ଚନ୍ଦ୍ର ମହାନ୍ତି, ବିରଜା ପ୍ରସନ୍ନ ଶତପଥୀ, ଶଶୀଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।

ଏହି ମାମଲାର ଶୁଣାଣି ସମୟରେ ପୂର୍ବରୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦାଖଲ ଅତିରିକ୍ତ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ସ୍ୟାଟ୍‌ରେ ଖାଲି ପଡିଥିବା ସଦସ୍ୟ ପଦ ଓ କାର୍ଯ୍ୟକାରୀ ଅଧ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ସଂପର୍କିତ ପ୍ରସ୍ତାବ ସହିତ ସ୍ୟାଟ୍‌ ଉଚ୍ଛେଦ ସଂକ୍ରାନ୍ତୀୟ ପ୍ରସଂଗ ଏବେ କେନ୍ଦ୍ର ସରକାରଙ୍କ ପର୍ସୋନେଲ, ପବ୍ଲିକ୍‌ ଗ୍ରିଭାନସେସ୍‌ ଆଣ୍ଡ୍‌ ପେନସନ୍ସ ମନ୍ତ୍ରାଳୟ ନିକଟରେ ବିଚାରାଧୀନ ରହିଛି। ସଦସ୍ୟ ପଦ ପୂରଣ ଓ କାର୍ଯକାରୀ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ଏହି ମନ୍ତ୍ରାଳୟ ଅଧୀନରେ ଥିବା ଡିପାର୍ଟମେଣ୍ଟ ଅଫ୍‌ ପର୍ସୋନେଲ ଆଣ୍ଡ୍‌ ଟ୍ରେନିଂ(ଡିଓପିଟି)କୁ ପଠାଯାଇଛି। ଏପରି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଥିବା ବେଳେ ଏ ସଂପର୍କିତ ମଞ୍ଜୁରୀ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର