ଜୁନିୟର ଆସିଷ୍ଟାଣ୍ଟଙ୍କ ଦରମା ହ୍ରାସ ପ୍ରସଙ୍ଗ : ସ୍ୟାଟ୍‌ ପକ୍ଷରୁ ସରକାରଙ୍କୁ ନୋଟିସ୍‌

କଟକ : ବୋର୍ଡ ଅଫ ରେଭିନ୍ୟୁ ଅଧୀନରେ କାର୍ଯ୍ୟରତ ଜୁନିୟର ଆସିଷ୍ଟାଣ୍ଟଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ସରକାରଙ୍କୁ ନିର୍ଦେଶ ଦିଆଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୩ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବୋର୍ଡ ଅଫ ରେଭିନ୍ୟୁରେ ଜୁନିୟର ଆସିଷ୍ଟାଣ୍ଟ ଭାବେ ଏକାଧିକ ପ୍ରାର୍ଥୀ ନିଯୁକ୍ତି ପାଇଥିଲେ। ୨୦୧୭, ସେପ୍ଟେମ୍ବର ୨୦ରେ ଅର୍ଥ ବିଭାଗ ଦରମା କ୍ଷେତ୍ରରେ ସଂଶୋଧନ ଆଣି ଏକ ବିଜ୍ଞପ୍ତି ଜାରି କରିଥିଲା। ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ସ୍ୟାଟରେ ମାମଲା ରୁଜୁ ହୋଇଛି। ଯେଉଁ ଆଇନ ଅନୁସାରେ ନିଯୁକ୍ତି ଦିଆଯାଇଥିଲା ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଆବେଦନକାରୀ ଦେବବ୍ରତ ସ୍ବାଇଁଙ୍କ ସମେତ ୫୧ଜଣ ସ୍ୟାଟ୍‌ରେ ମାମଲା ରୁଜୁ କରିଛନ୍ତି। ମାମଲାରେ ଅର୍ଥ ବିଭାଗ ସଚିବ, ରାଜସ୍ବ ସଚିବ, ସାଧାରଣ ପ୍ରଶାସନ ସଚିବ, ବୋର୍ଡ ଅଫ ରେଭେନ୍ୟୁ ସଦସ୍ୟଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର